ଡାକିଲେଣି ତ୍ରାହିତ୍ରାହି

ଅସହ୍ୟ ତାତି
ଭୁବନେଶ୍ୱର,୨୫ା୪(ବୁ୍ୟରୋ): ରାଜ୍ୟବ୍ୟାପୀ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି ରହିଛି । ସ୍ଥିତି ଏପରି ହୋଇଛି ଯେ ଲୋକେ ଏବେ ଗ୍ରୀଷ୍ମ ଦାଉରୁ ତ୍ରାହିତ୍ରାହି ଡାକିଲେଣି । ଦିନ ୯ଟା ବାଜିଲେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ପାଣିପାଗ ବିଭାଗ କହୁଛି ତାତି ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିଯିବ । ଫଳରେ ତାତିରେ ଲୋକେ ଆହୁରି କଲବଲ ହେବେ ।
ସୋମବାର ରାଜଧାନୀ ଭୁବନେଶ୍ୱରରେ ସାମାନ୍ୟ କମିଛି ଗ୍ରୀଷ୍ମ ପ୍ରକୋପ । ଦୁଇଦିନର ଭୀଷଣ ତାତି ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ୪ଠ ଡିଗ୍ରୀ ଉପରେ ରହିଛି ପାରଦ । ମଙ୍ଗଳବାର ଠାରୁ ଭୁବନେଶ୍ୱରରେ ତାପମାତ୍ରା ଆଉଟିକେ କମିବା ନେଇ ଆକଳନ କରାଯାଉଛି । କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି, ମେ’ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ତାପମାତ୍ରା ପାଖାପାଖି ୩୮ ଡିଗ୍ରୀ ରହିବ । ୩ଠରେ ଉପକୂଳରେ କାଳବୈଶାଖୀ ସହିତ କୁଆପଥର ବର୍ଷା ହୋଇପାରେ । ହେଲେ ବଲାଙ୍ଗୀର, ସୋନପୁର, ଟିଟିଲାଗଡ଼, ବୌଦ୍ଧ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ବଢ଼ିଚାଲିବ । ୨୭ରୁ ୨୯ ଭିତରେ ଗୋଟିଏ ଦୁଇଟି ସ୍ଥାନରେ ୪୬ଂ ତାପମାତ୍ରା ଛୁଇଁବା ସମ୍ଭାବନା ରହିଛି । ୩ଠରୁ ମେ’ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହୋଇପାରେ । ୩ଠ ତାରିଖରୁ ତାପମାତ୍ରା କିଛିଟା କମିବ । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ତାପମାତ୍ରା ସପ୍ତାହେ ପର୍ଯ୍ୟନ୍ତ ବଢ଼ିବ । କମିବାର ସଂକେତ ନାହିଁ । ମେ’ ୧ ଓ ୨ରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାପମାତ୍ରା ହ୍ରାସ ପାଇପାରେ । ଅତ୍ୟଧିକ ତାପମାତ୍ରା ସହିତ ଅଧିକ ୟୁଭି କିରଣ ଓ ସୂର୍ଯ୍ୟ ଉତ୍ତାପ ମଣିଷ ପାଇଁ କ୍ଷତିକାରକ ।
ସୋମବାର ଭୁବନେଶ୍ୱରରେ ୟୁଭି ବିକରଣ ଇଣ୍ଡେକ୍ସ ୧୨ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ରହିବ । ଦିନ ୧ଠଟାରୁ ୪ଟା ପର୍ଯ୍ୟନ୍ତ ଏହାର ମାତ୍ରା ଅଧିକ ରହିବ ।
ପାଣିପାଗ ବିଭାଗ ସୂଚନାନୁସାରେ, ସୋମବାର ରାଜ୍ୟର ୮ଟି ସହରରେ ୪୩ଂରୁ ଅଧିକ ତାତି ରେକର୍ଡ଼ ହୋଇଛି । ସେହିପରି ୧୬ ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଥିଲା । ୨୭ଟି ସହରରେ ପାରଦ ୪ଠ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗୀର ୪୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଛି ।
ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରେ ବ୍ରେକ୍ ଲାଗିବାର ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ଆହୁରି ୨ରୁ ୩ଂ ତାପମାତ୍ରା ବୃଦ୍ଧି ପାଇବ । ୨୬ରେ ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ହିଟ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୨୭ ତାରିଖରେ ସୋନପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ୨୮ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ ୨୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୩ରୁ ୫ଂ ତାପମାତ୍ରା ବୃଦ୍ଧି ସହ ଅଧିକାଂଶ ସ୍ଥାନରେ ୪ଠଂ ଉପରେ ରହିବ ପାରଦ । ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
ସୋମବାର ଚାନ୍ଦବାଲିରେ ୪୦.୩ ଡିଗ୍ରୀ, କଟକରେ ୪୦.୨ ଡିଗ୍ରୀ, ଭୁବନେଶ୍ୱରରେ ୪୦.୮ ଡିଗ୍ରୀ, ଅନୁଗୁଳରେ ୪୩.୭ ଡିଗ୍ରୀ, ବାରିପଦାରେ ୪୩.୭ ଡିଗ୍ରୀ, ଝାରସୁଗୁଡାରେ ୪୩.୨ ଡିଗ୍ରୀ, କେନ୍ଦୁଝରରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୩ ଡିଗ୍ରୀ, ସୁନ୍ଦରଗଡରେ ୪୨.୫ ଡିଗ୍ରୀ, ହୀରାକୁଦରେ ୪୨.୬ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ଟିଟିଲାଗଡରେ ୪୩.୮ଡିଗ୍ରୀ, ତାଳଚେରରେ ୪୩ ଡିଗ୍ରୀ, ଭଦ୍ରକରେ ୪୧.୫ ଡିଗ୍ରୀ, ଯାଜପୁରରେ ୪୧.୨ ଡିଗ୍ରୀ, ଢେଙ୍କାନାଳରେ ୪୦.୫ ଡିଗ୍ରୀ, ଦେବଗଡ଼ରେ ୪୨.୬ ଡିଗ୍ରୀ, ବରଗଡ଼ରେ ୪୨ ଡିଗ୍ରୀ, ନୂଆପଡ଼ାରେ ୪୧ଡିଗ୍ରୀ, ଖୋର୍ଦ୍ଧାରେ ୪୨ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୨.୨ଡିଗ୍ରୀ, ସୋନପୁରରେ ୪୩.୪ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ନୟାଗଡ଼ରେ ୪୧ ଡିଗ୍ରୀ, ପାରଳାଖେମୁଣ୍ଡିି ଓ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

୩ଠ ଯାଏ ସ୍କୁଲ୍ ଛୁଟି
ଭୁବନେଶ୍ୱର,୨୫ା୪(ବୁ୍ୟରୋ): ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୫ ଦିନ ପାଇଁ ସାମୟିକ ଭାବେ କ୍ଲାସ୍ ବାତିଲ କରିଛନ୍ତି । ମଙ୍ଗଳବାର ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ । ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ।
ଚଳିତବର୍ଷ ସ୍କୁଲ୍ରେ ଖରାଛୁଟି ଅବଧିକୁ କମାଇ ଦେଇଥିଲେ ରାଜ୍ୟ ସରକାର । ପ୍ରତି ବର୍ଷ ଦେଢ଼ ମାସରୁ ଊଦ୍ଧ୍ୱର୍ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ୧୦ ଦିନରେ ସୀମିତ ରଖାଯାଇଛି । ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଯାହାକୁ କିନ୍ତୁ ଅଭିଭାବକ ଓ ଶିକ୍ଷାବିତମାନେ ବିରୋଧ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଦେଖି ମେ’ ମାସରୁ ଖରା ଛୁଟି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଏନେଇ ମାଧ୍ୟମିକ ଶିକ୍ଷା, ଗଣଶିକ୍ଷା ନିଦେ୍ର୍ଦଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ, ବୋର୍ଡ ଅଫ ସେକେଣ୍ଡାରୀ ସଭାପତି, ସିଏଚଏସଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ରାଜ୍ୟରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ଓ ଘରୋଇ ସ୍କୁଲ(ଉଭୟ ଓଡ଼ିଆ ଓ ଇଂରାଜୀ ମିଡିୟମ)ର ସମସ୍ତ କ୍ଲାସକୁ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ନିଲମ୍ବନ କରିଛନ୍ତି । ଏବେ ରାଜ୍ୟରେ ବିଶେଷକରି ଭୁବନେଶ୍ୱର ସମେତ ରାଜ୍ୟର ସବୁ ଭାଗରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଖରା ତାତିକୁ ଦୃଷ୍ଟିରେ ରଖି ବିଭିନ୍ନ ମହଲରୁ ସ୍କୁଲଗୁଡ଼ିକୁ ଛୁଟି କରିବା ନିମନ୍ତେ ଦାବି ହେଉଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *