ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ମୁହାଁମୁହିଁ

ପୁରୀ (ବୁ୍ୟରୋ): କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିର । ଏହି ପବିତ୍ର ପୀଠର ଚତୁଃପାଶ୍ୱର୍କୁ ଦିଆଯାଉଛି ନୂଆ ରୂପ । ମେଘନାଦ ପାଚେରିଠାରୁ ୭୫ ମିଟର ପରିସର ମଧ୍ୟରେ ଜାରି ରହିଛି ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପ କାର୍ଯ୍ୟ ହେବା ଦ୍ୱାରା ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତଙ୍କ ଲାଗି ସୁବିଧା ହେବ । ତତ୍ ସହିତ ଏହି ପ୍ରକଳ୍ପରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ସ୍ଥାନିତ କରାଯିବ । ହେଲେ ଏଭଳି ମହାନ କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ଅନୁଷ୍ଠାନ ଏହାକୁ ନେଇ ବିବାଦ ସୃଷ୍ଟି କରିଛନ୍ତି ।
ଶ୍ରୀମନ୍ଦିର ବଞ୍ଚାଓ ଆନେ୍ଦାଳନ ପକ୍ଷରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆସନ୍ତା ୨୭ତାରିଖରେ ଶରଧାବାଲି ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ରାଲି ହେବାର କାର୍ଯ୍ୟକ୍ରମ ରହିଛି । ମାତ୍ର ମହାପ୍ରଭୁଙ୍କ ଏଭଳି କାର୍ଯ୍ୟକୁ କିଛି ସଂଗଠନ ବିରୋଧ କରୁଥିବାରୁ ସୋମବାର ସହରର ବିଭିନ୍ନ ସଂଗଠନର ସଦସ୍ୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଭଏସ୍ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହିଆଖଡ଼ା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଜାରି ରହିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କମିଟିର ସଦସ୍ୟ ସବ୍ୟସାଚୀ ମହାପାତ୍ର ସିଧାସଳଖ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟ ବନ୍ଦ ଲାଗି ଯେଉଁ ପଦଯାତ୍ରା ଅନୁଷ୍ଠିତ ହେବାକୁ ଅଛି ତାହାକୁ ଦୃଢ଼ ଭାବରେ ବିରୋଧ କରୁଛୁ । ଉକ୍ତ ଦିନ ପ୍ରାୟ ୨ହଜାରରୁ ଊଦ୍ଧ୍ୱର୍ ଲୋକ ମାର୍କେଟ ଛକଠାରେ ରାସ୍ତା ଅବରୋଧ କରିବେ । ସେମାନଙ୍କୁ ସିଂହଦ୍ୱାର ଅଭିମୁଖେ ଛଡ଼ାଯିବ ନାହିଁ । ତେବେ ଆଉ ମାତ୍ର ହାତରେ ଏକ ଦିନ ବାକି ରହିଥିବା ବେଳେ ସେଥିରୁ ନିବୃତ୍ତ ରହିବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲାଣି । ଆଗାମୀ ୨୭ ତାରିଖରେ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।
ସୂଚନାଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଜାରି ରହିଥିବା ବେଳେ ୭୫ମିଟର ପରିସର ମଧ୍ୟରେ ଏଏସ୍ ଆଇ କୌଣସି ଅନୁମତି ଦେଇନାହିଁ । ତେବେ ଏହି ବେଆଇନ୍ ନିର୍ମାଣ ହେବା ଦ୍ୱାରା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି । ତେଣୁ ଏହାକୁ ବିରୋଧ କରି ଅନେକ ଅନୁଷ୍ଠାନ ସହ ବ୍ୟକ୍ତିବିଶେଷ ବିରୋଧ କରୁଛନ୍ତି । ଆସନ୍ତା ୨୭ତାରିଖରେ ଶରଧାବାଲି ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *