ନୂଆ ବିପଦ: ନିଯୁକ୍ତି ପ୍ରତି ବିମୁଖ ୪୫ କୋଟି ଭାରତୀୟ

ମୁମ୍ବାଇ (ଏଜେନ୍ସି): ଭାରତରେ ବେରୋଜଗାରୀ ହାର ଅତ୍ୟନ୍ତ ଉଦ୍ବେଗଜନକ ଭାବେ ବଢ଼ି ବଢ଼ି ଚାଲିଛି । ଅନ୍ୟପକ୍ଷେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ପାଇଁ ନୂଆ ନିଯୁକ୍ତି ସୃଷ୍ଟି କରିବା ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି । କରୋନା ସଂକ୍ରମଣ ମଧ୍ୟରେ ଅନେକ ଲୋକ ବେରୋଜଗାର ତାଲିକାରେ ଯୋଡି ହୋଇଯାଇଛନ୍ତି । ତେବେ ଏସବୁ ମଧ୍ୟରେ ଦେଶର ବେରୋଜଗାର କ୍ଷେତ୍ରରେ ଆଉ ଏକ ନୂଆ ବିପଦ ମୁଣ୍ଡ ଟେକିବାରେ ଲାଗିଛି । ସାମ୍ନାକୁ ଆସିଥିବା ଏପ୍ରକାର ଏକ ରିପୋର୍ଟକୁ ନେଇ ଆଗାମୀ ଦିନରେ ଭାରତରେ ବେରୋଜଗାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିବା ଆଶଙ୍କା ସୃଷ୍ଟି ହୋଇଛି ।
ମୁମ୍ବାଇ ସ୍ଥିତ ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି’ ନାମକ ଏକ ଘରୋଇ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ଏହି ରିପୋର୍ଟ ଅନୁସାରେ ଦେଶର ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ଏବେ ଚାକିରି କରିବାର ଆଗ୍ରହ କମି କମି ଆସୁଛି । ମନ ପସନ୍ଦର ନିଯୁକ୍ତି ମିଳୁନଥିବାରୁ, ନିଯୁକ୍ତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣୁନଥିବାରୁ ଯୁବଗୋଷ୍ଠୀ ଆଉ ନିଯୁକ୍ତି ପାଇଁ ଚେଷ୍ଟା ମଧ୍ୟ କରୁନାହାନ୍ତି । ଭାରତର ପ୍ରାୟ ୯ଠଠ ମିଲିଅନ୍ (୯ଠ କୋଟି)ର ୫୦%ରୁ ଉଦ୍ଧ୍ୱର୍ ନିଯୁକ୍ତି ଆଶାୟୀ ଏବେ ଚାକିରି ଖୋଜିବା ପ୍ରତି ବିମୁଖ ହୋଇପଡିଛନ୍ତି । ଏମାନେ ନିଯୁକ୍ତି ପାଇବା ପାଇଁ ଆଉ ଚେଷ୍ଟା ମଧ୍ୟ କରୁନାହାନ୍ତି । ଏଭଳି ମନୋଭାବ ଆସିଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ ମୁଖ୍ୟତଃ ମହିଳା ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ଯୋଗ୍ୟ ମହିଳା ଆଶାୟୀ, ସ୍ଥାୟୀ ଭାବେ ଚାକିରି କ୍ଷେତ୍ରରୁ ଦୂରେଇଯାଇଛନ୍ତି । ଯାହାଦ୍ୱାରା ଦେଶରେ କର୍ମକ୍ଷେତ୍ରରେ କର୍ମଜୀବୀଙ୍କ ଯୋଗଦାନ ହାର (ଶ୍ରମ ଅଂଶଗ୍ରହଣ ହାର) ପ୍ରତ୍ୟେକ ବର୍ଷ ହ୍ରାସ ପାଇବାରେ ଲାଗିଛି ।
ରିପୋର୍ଟ ଅନୁସାରେ ୨ଠ୧୭ରୁ ୨ଠ୨୨ ବର୍ଷ ମଧ୍ୟରେ କର୍ମକ୍ଷେତ୍ରରେ କର୍ମଚାରୀଙ୍କ ନିଯୁକ୍ତି ହାର ୪୬%ରୁ ୪ଠ%କୁ ହ୍ରାସ ପାଇଛି । ୨୧ ମିଲିଅନ୍ (୨କୋଟି ୧ଠଲକ୍ଷ) କର୍ମଜୀବୀ ତ ସମ୍ପୂର୍ଣ୍ଣ ଭାବେ ନିଯୁକ୍ତି କ୍ଷେତ୍ରରୁ ଉଭାନ୍ (ଅଦୃଶ୍ୟ) ହୋଇଯାଇଛନ୍ତି । କର୍ମକ୍ଷେତ୍ରରେ ଉପରକୁ ଉଠିବା ପାଇଁ ଆବଶ୍ୟକ ସୁଯୋଗର ଅଭାବ, ନିଜକୁ ଅସୁରକ୍ଷିତ ମଣିବା କାରଣ ତଥା ନିଜ ଯୋଗ୍ୟତା ତୁଳନାରେ ଆତ୍ମସନ୍ତୋଷଜନକ ନିଯୁକ୍ତି ମିଳୁନଥିବାରୁ ହତୋତ୍ସାହ ହୋଇ ଅନେକ କର୍ମଜୀବୀ ଶ୍ରମକ୍ଷେତ୍ରରୁ ବିଦାୟ ନେଇଯାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *