ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ: ଗଜପତି
ପୁରୀ, ୨୫ା୪ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନିର୍ମାଣକୁ ନେଇ ଲାଗି ରହିଥିବା ବିବାଦ ଘଟଣାରେ ସୋମବାର ମୁହଁ ଖୋଲିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି ଶ୍ରୀ ଦେବ କହିଛନ୍ତି, ବର୍ତ୍ତମାନ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସରକାରଙ୍କୁ ଅନୁରୋଧ କରିବା ସହ ସେ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ । ସମସ୍ତେ ମିଳିମିଶି ପ୍ରକଳ୍ପ କାମକୁ ଆଗେଇ ନେବା ଉଚିତ୍ । ବିଶେଷ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ମହାପ୍ରଭୁଙ୍କ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରନ୍ତୁ । ଯଦି ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟରେ କିଛି ସମସ୍ୟା ରହିଛି ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ । ପ୍ରକଳ୍ପ ହେବା ଦ୍ୱାରା ଶ୍ରୀମନ୍ଦିରର ସୁରକ୍ଷା ଦୃଢତର ହେବା ସହ ଭକ୍ତ ସମୂହଙ୍କ ସୁବିଧା ହେବ । ପ୍ରକଳ୍ପ ଶେଷ ହେଲେ ଅନ୍ତର୍ରାଷ୍ଟ୍ରୀୟସ୍ତରରେ ଜଗନ୍ନାଥ ସଂସ୍କୃତି ପ୍ରଭାବ ପକାଇବ ବୋଲି ଗଜପତି ମତପ୍ରକାଶ କରିଛନ୍ତି । ତେଣୁ ମହାପ୍ରଭୁଙ୍କ କାର୍ଯ୍ୟରେ ସମସ୍ତେ ସହଯୋଗର ହାତ ବଢ଼ାଇବା ଲାଗି ଆହ୍ୱାନ କରିଛନ୍ତି ।
ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରସଙ୍ଗ ଆଲୋଚିତ ହୋଇଥିଲା । ଏଏସ୍ଆଇର ଅନୁମତି ବିନା ଏହି ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିବା ପରିପ୍ରେକ୍ଷୀରେ ଗଜପତି ମହାରାଜା ପରିକ୍ରମା ପ୍ରକଳ୍ପ ସମ୍ବନ୍ଧୀୟ ସବୁ ଚର୍ଚ୍ଚା ଓ ଆଲୋଚନା ଉପରେ ବିରାମ ଲାଗିବା ଆବଶ୍ୟକ ବୋଲି ମତ ଦେଇ କହିଥିଲେ ।
ଏହି ପ୍ରକଳ୍ପ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ଇତିମଧ୍ୟରେ ଅନୁମୋଦନ କରିଛି । ଏହି ପରିପ୍ରେକ୍ଷୀରେ ଗଜପତି କହିଥିଲେ ଯେ ପରିକ୍ରମା ପ୍ରକଳ୍ପ ଯୋଜନା ପ୍ରସ୍ତୁତି ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସାମିଲ କରାଯାଇଥିଲା । ପ୍ରକଳ୍ପର ଆର୍କିଟେକ୍ଚର ଡିଜାଇନ୍ ମଧ୍ୟ ପରିଚାଳନା କମିଟିର ଅନୁମୋଦନ ଲାଭ କରିଛି ।
ସୂଚନାଯୋଗ୍ୟ, ପୁରୀରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଜୋର ଧରିଛି । ବିଧାନସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଏନେଇ ଆଲୋଚନା ହୋଇଛି ।
ନିକଟରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଆସି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ଏହି ପ୍ରକଳ୍ପକୁ ଏଏସ୍ଆଇର ଅନୁମତି ନଥିବା ବିରୋଧୀ ଅଭିଯୋଗ କରିଥିବାବେଳେ ଆସନ୍ତା ୨୭ ତାରିଖରେ ଏକ ବିଶାଳ ପଦଯାତ୍ରା ଡାକରା ଦିଆଯାଇଛି । ଏହି ପଦଯାତ୍ରାକୁ ସେବାୟତ ଓ ବିଭିନ୍ନ ମହତ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।