ସାମରିକ ବ୍ୟୟରେ ଭାରତର ରେକର୍ଡ

ଷ୍ଟକ୍ହୋମ୍, ୨୫ା୪: ପୃଥିବୀର ଅଧିକାଂଶ ଦେଶର ସାମରିକ ବ୍ୟୟ ବର୍ଷକୁ ବର୍ଷ ବଢ଼ୁଛି । ବଜେଟ୍ର ସିଂହଭାଗ ଯୁଦ୍ଧାସ୍ତ୍ର କ୍ରୟରେ ବିନିଯୋଗ କରାଯାଉଛି । ଷ୍ଟକ୍ହୋମ୍ ଇଣ୍ଟନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ (ସିପ୍ରି)ର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଥର ପାଇଁ ପୃଥିବୀରେ ପ୍ରତିରକ୍ଷା ଖର୍ଚ୍ଚ ୨.୧ ଟି୍ରଲିୟନ (ଲକ୍ଷ କୋଟି) ଡଲାର (୧୬୦ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚôଛି । ୨୦୨୧ରେ ପ୍ରତିରକ୍ଷା ବାବଦରେ ସର୍ବାଧିକ ବ୍ୟୟ କରିଥିବା ଦେଶ ତାଲିକାର ତୃତୀୟ ସ୍ଥାନରେ ଅଛି ଭାରତ; ଶୀର୍ଷ ୨ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ।
ଚାରି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ରେ ଭାରତ ଏହି ତାଲିକାର ପଞ୍ଚମ ସ୍ଥାନରେ ଥିଲା । ସେ ସମୟରେ ଭାରତର ମୋଟ ସାମରିକ ବ୍ୟୟ ଥିଲା ୬୬.୫ ବିଲିୟନ ଡଲାର । ଗତବର୍ଷ ସୁଦ୍ଧା ଭାରତ ୧୦.୧ ବିଲିୟନ ଡଲାର (୭.୭୪ ଲକ୍ଷ କୋଟି ଟଙ୍କା) ଅଧିକ ବ୍ୟୟ କରିଛି । ଗତ ବର୍ଷ ଭାରତର ପ୍ରତିରକ୍ଷା ବ୍ୟୟ ଥିଲା ୭୬.୬ ବିଲିୟନ ଡଲାର । ସରକାର ୨୦୨୦ ତୁଳନାରେ ଗତବର୍ଷ ପ୍ରତିରକ୍ଷା ବଜେଟ୍ ୦.୯% ବୃଦ୍ଧି କରିଥିଲେ । ଚୀନ୍ ଓ ପାକିସ୍ଥାନ ସହ ସୀମା ବିବାଦ ଜାରି ରହିଥିବାରୁ ଭାରତକୁ ପ୍ରତିରକ୍ଷା ବ୍ୟୟ ବଢ଼ାଇବାକୁ ପଡ଼ିଛି । ଏହା ୨୦୧୨ର ପ୍ରତିରକ୍ଷା ବଜେଟ୍ ଠାରୁ ୩୩% ଅଧିକ ।
ସିପ୍ରି ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରରେ ସାମରିକ ବ୍ୟୟ ୨୦୨୧ରେ ୦.୭ % ବଢ଼ି ୨,୧୧୩ ବିଲିୟନ ଡଲାର ହୋଇଛି । ଗତବର୍ଷ ସାମରିକ ବାହିନୀ ପାଇଁ ସବୁଠାରୁ ଅଧିକ ଖର୍ଚ୍ଚ କରିଥିବା ପାଞ୍ଚଟି ଦେଶ ହେଲେ- ଆମେରିକା, ଚୀନ, ଭାରତ, ବ୍ରିଟେନ୍ ଓ ରୁଷ୍ । ପୃଥିବୀର ମୋଟ ସାମରିକ ବଜେଟ୍ର ୬୨ ଶତାଂଶ କେବଳ ଏହି ପାଞ୍ଚଟି ଦେଶ ବ୍ୟୟ କରିଛନ୍ତି ।
ସିପ୍ରିର ବରିଷ୍ଠ ଗବେଷକ ଡ. ଡିଏଗୋ ଲୋପେସ୍ ଡା ସିଲ୍ଭା କହିଛନ୍ତି କରୋନା ମହାମାରୀ ପରେ ସବୁ ଦେଶର ବିକାଶ ହାର ମାନ୍ଦା ରହିବା ସତ୍ତ୍ୱେ ସାମରିକ ବ୍ୟୟ ରେକର୍ଡ ସ୍ତରରେ ପହଞ୍ଚôଛି ।
ଚୀନ୍ ଗତ ୨୭ ବର୍ଷ ହେଲା ପ୍ରତିରକ୍ଷା ବଜେଟ୍ ବଢ଼ାଇ ଚାଲିଛି । ରୁଷ୍ ମଧ୍ୟ ଗତ ୨୧ରେ ପ୍ରତିରକ୍ଷା ବଜେଟ୍ରେ ୨.୯ ବୃଦ୍ଧି କରିଥିଲା । କ୍ରମାଗତ ତିନି ବର୍ଷ ହେଲା ରୁଷ୍ର ପ୍ରତିରକ୍ଷା ବ୍ୟୟ ଜିଡିପିର ୪.୧% ରହିଆସିଛି । ୟୁକ୍ରେନ୍ ମଧ୍ୟ ୨୦୧୪ରୁ ୨୦୨୧ ଭିତରେ ପ୍ରତିରକ୍ଷା ବ୍ୟୟ ୭୨% ବଢ଼ାଇଛି । ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷକୁ ସାମରିକ ବ୍ୟୟ ବଢ଼ାଇବାକୁ ପଡ଼ିଛି । ଯୁଦ୍ଧ ଆରମ୍ଭ ପରଠାରୁ ଏପର୍ଯ୍ୟନ୍ତ ପୁତିନ୍ ସରକାର ସେନାବାହିନୀ ପାଇଁ ଅଧିକ ୨୦ ବିଲିୟନ୍ ଡଲାର ଖର୍ଚ୍ଚ କଲେଣି ।
ଆମେରିକା ୨୦୨୦ ତୁଳନାରେ ଗତବର୍ଷ ପ୍ରତିରକ୍ଷା ବାବଦରେ ୧.୪%କମ୍ ଖର୍ଚ୍ଚ କରିଛି । ତେବେ ୧୦ ବର୍ଷରେ ଆମେରିକା ସାମରିକ ଗବେଷଣା ଓ ବିକାଶ ବାବଦ ବଜେଟ୍ ୨୪% ବଢ଼ାଇଥିବା ସ୍ଥଳେ ଅସ୍ତ୍ର କ୍ରୟ ବାବଦ ଖର୍ଚ୍ଚ ୬.୪% କମାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *