ରୋଜଗାରର ମାଧ୍ୟମ ପାଲଟିଛି ଜଙ୍ଗଲଜାତ ଦ୍ରବ୍ୟ
ଯୋଡ଼ା (ସରୋଜିନୀ ଶତପଥି): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ରହିଛି ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ । ବନବାସୀ ଏହି ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରି ନିଜର ଗୁଜୁରାଣ୍ଟ ମେଣ୍ଟାଇ ଥାଆନ୍ତି । ଆଦିବାସୀ ଜୀବନଜୀବିକା ପାଇଁ ମହୁଲ ସଂଗ୍ରହ କରିଥାଆନ୍ତି । ଦେଖିବାକୁ ଗଲେ ଏହି ଆଦିବାସୀମାନେ ପରିଶ୍ରମ ଅନୁଯାୟୀ, ସେଭଳି ପ୍ରାପ୍ୟ ପାଉ ନାହାଁନ୍ତି । ଜୀବନ ଜୀବିକା ସହ ସଂଘର୍ଷ କରିଚାଲିଛନ୍ତି ହେଲେ ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି । ଆଦିବାସୀମାନେ ଚାଷ ଅପେକ୍ଷା ବନଜାତ ଦ୍ରବ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ଖରାଦିନରେ ସେମାନେ ମହୁଲ ଫୁଲ, ଶାଳପତ୍ର, ଦାନ୍ତକାଠି ସମେତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାଆନ୍ତି । କିନ୍ତୁ ସେମାନଙ୍କ ବନଜାତ ସାମଗ୍ରୀର ଠିକ୍ ମୂଲ୍ୟ ପାଉନାହାଁନ୍ତି । ବିଶେଷ କରି ମହୁଲ ବ୍ୟବସାୟୀମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଏହି ଗୋଟାଳିମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ସ୍ତରରେ ମହୁଲ ସଂଗ୍ରହ ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ମହୁଲ ଗୋଟାଳିମାନେ ବିଶେଷ ଭାବେ ବ୍ୟବାସୀୟଙ୍କ ଉପରେ ନିର୍ଭର କରିଥାଆନ୍ତି ।
କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପାହାଡ଼ୀ ତଳି ଗ୍ରାମ ଗୁଡିକରେ ବାସ କରୁଥିବା ଅଧିକାଂଶ ମହୁଲ ଫୁଲ ଓ ଫଳ ସଂଗ୍ରହ କରିବା ଏକ ଜୀବିକା କହିଲେ ଆଦୌ ଭୁଲ ହେବନାହିଁ । ହରିଡ଼ା, ବାହାଡ଼ା, ଅଁଳା, କାଠ, ବାଉଁଶ ବିଭିନ୍ନ ପ୍ରକାର ଫୁଲ ଓ ଫଳ ସଂଗ୍ରହ କରିବା ପାହାଡ଼ୀ ଅଞ୍ଚଳ ଅଧିବାସୀଙ୍କ ନିତିଦିନିଆ କାମ । ଏହା ସେମାନଙ୍କର ଜୀବନଜୀବିକାରେ ସହାୟକ ହୋଇଥାଏ ଏସବୁ ବନଜାତ ଦ୍ରବ୍ୟକୁ ଲୋକେ ନିକଟସ୍ଥ ହାଟ ବଜାରରେ ବିକ୍ରୟ କରି ଅର୍ଥ ସଂଗ୍ରହ କରିଥାଆନ୍ତି । ସେଥିମଧ୍ୟରୁ ପାହାଡ଼ୀ ଇଲାକାରେ ମହୁଲ ନାମ ବୃକ୍ଷ ବହୁ ପରିମାଣରେ ଦେଖାଯାଏ । ଏହି ଗଛର କାଠ ଯେତିକି ମୂଲ୍ୟବାନ ତାର ଫୁଲ ଓ ଫଳ ସେତିକି ମୂଲ୍ୟଯୁକ୍ତ । ବସନ୍ତ ଋତୁ ବେଳକୁ ମହୁଲ ଗଛରେ ପେନ୍ଥା ପେନ୍ଥା ଇଷତ ହଳଦିଆ ରଙ୍ଗର ଫୁଲ ହୁଏ । ଫୁଲ ଫୁଟିଗଲା ପରେ ତାହା ଭୂମି ଉପରକୁ ଖସିପଡ଼େ । ଏହାକୁ ଲୋକେ ସଂଗ୍ରହ କରି ଘରେ ରଖନ୍ତି । ମହୁଲ ଫୁଲ ସଂଗ୍ରହ କରିବାର ଉପଯୁକ୍ତ ସମୟ ହେଲା ବଡି ଭୋରରୁ ଦିନ ୧୧ଟା ଯାଏଁ । ମହୁଲ ସଂଗ୍ରହକାରୀ ଗଛ ମୂଳକୁ ସଫା କରିବା ଉଦେ୍ଦଶ୍ୟରେ ପ୍ରଥମେ ନିଆଁ ଲଗାଇ ଗଛ ତଳେ ପଡ଼ିଥିବା ପତ୍ର ଲଟାବୁଦା ପୋଡ଼ି ପକାନ୍ତି । ଏହା ସହିତ ଗଛର ବକଳକୁ ଗୋଲ କରି ଚାଞ୍ଚି ଦିଅନ୍ତି । ଏହାଦ୍ୱାରା ମହୁଲ ଫୁଲ ଶୀଘ୍ର ପରିପକ୍ୱ ହୋଇ ତଳେ ବିଛାଡ଼ି ହୋଇ ପଡ଼ିଥାଏ । ମହୁଲ ଫୁଲ ସଂଗ୍ରହରୁ ଯେତିକି ଲାଭ ପାଇବା ପରେ ଗଛର ଫଳ ମଧ୍ୟ ଲୋକେ ସଂଗ୍ରହ କରନ୍ତି, ଏହାର ଫଳକୁ ଟୋଲ କୁହାଯାଏ । ମହୁଲକୁ ଲୋକେ ଶୁୁଖାଇ ବିକ୍ରି କରିବା ସହ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରିଥାଆନ୍ତି । କେହି କେହି ନିଜ ଘରେ ମହୁଲ ମଦ ପ୍ରସ୍ତୁତ କରି ସେବନ କରିବା ଦେଖାଯାଏ । ଟୋଲରୁ ଟୋଲତେଲ ହୁଏ ଏବଂ ଏହି ତେଲରୁ ସାବୁନ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି ହୋଇଥାଏ । ମହୁଲ ଫଲ ଏପରିକି ପଶୁପକ୍ଷୀ, କୀଟପତଙ୍ଗ ଓ ସରୀସୃପ ସଭିଙ୍କର ପ୍ରିୟ ଖାଦ୍ୟ ।
ଅପରପକ୍ଷେ ମହୁଲ ଗଛ ତଳେ ନିଅାଁ ଲଗାଇବା ଦ୍ୱାରା ଅନେକ ବନ୍ୟ ଜୀବଜନ୍ତୁ ମୃତୁ୍ୟବରଣ କରିବା ସହ ଅନେକ ଛୋଟ ଛୋଟ ବୃକ୍ଷଲତା ନଷ୍ଟ ହେବାର ସମ୍ଭାବନା ଥାଏ । ଏସବୁ ସତ୍ତ୍ୱେ ଲୋକେ ମହୁଲ ଫୁଲ ଓ ଫଳକୁ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ତେବେ ମହୁଲ ଫୁଲ ଓ ଫଳକୁ ସରକାର ଲଘୁ ବନଜାତ ଦ୍ରବ୍ୟ ତାଲିକାଭୁକ୍ତ କରିଥିବାବେଳେ ଏହାର ବିକ୍ରୟ ପାଇଁ ଉପଯୁକ୍ତ ବ୍ୟବସ୍ଥା ନକରିବା ଦୁର୍ଭାଗ୍ୟଜନକ । କାରଣ ବୁଲା ବେପାରୀମାନେ ପାହାଡ଼ିଆ ଅଞ୍ଚଳକୁ ଯାଇ ଶସ୍ତା ଦରରେ ମହୁଲ କିଣିନେଇ ବଜାରରେ ଚଢ଼ା ଦରରେ ବିକ୍ରୟ କରନ୍ତି । ଫଳରେ ଗରିବ ଲୋକେ ଯେଉଁ ମହୁଲଫୁଲ ଓ ଫଳ ସଂଗ୍ରହ କରିଥାଆନ୍ତି ତାର ପରିଶ୍ରମର ଉଚିତ୍ ମୂଲ୍ୟ ପାଇପାରନ୍ତି ନାହିଁ । ଏଣୁ ଏଥିପ୍ରତି ପଞ୍ଚାୟତରେ ଏକ ମହୁଲ ମଣ୍ଡି କରାଗଲେ ସଂଗ୍ରହକାରୀ ଏହାକୁ ବିକ୍ରୟ କରି ବେଶ୍ ଲାଭ ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।