ଯୁବ ବ୍ୟବସାୟୀଙ୍କୁ ହତ୍ୟା ପ୍ରତିବାଦରେ ରାସ୍ତାରୋକ
ଛତ୍ରପୁର (ଆପ୍ର): ଛତ୍ରପୁର ଥାନା ଅଧୀନ ହଂସପୁର ଗ୍ରାମ ଅଶାନ୍ତ ହୋଇପଡ଼ିଛି । ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା ପ୍ରତିବାଦରେ ତାତିଛନ୍ତି ଗ୍ରାମବାସୀ । ହତ୍ୟାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଏଯାବତ କାହାରିକୁ ଗିରଫ କରିନି । ଉଚିତ ନ୍ୟାୟ ନ ମିଳିବାରୁ କୃଷ୍ଣଙ୍କ ସହ ଆସନ୍ତା ୩ ରେ ବିବାହ ପାଇଁ ସ୍ଥିର ହୋଇଥିବା ତାଙ୍କ ଭାବି ପତ୍ନୀ ସେହି ଗ୍ରାମର ଆରତୀ ପ୍ରଧାନ ସୋମବାର ସକାଳୁ ବିଷପିଇ ଆତ୍ମହତ୍ୟା କରିଛନ୍ତି ।
ବିଷପାନ କରିବା ପୂର୍ବରୁ ମହିଳା ଜଣକ ମୃତ କୃଷ୍ଣଙ୍କ ଭଣଜା ରାକେଶ କୁମାର ସାହୁଙ୍କ ଫୋନରେ ମେସେଜ ମଧ୍ୟ କରିଥିଲେ । ମୁଁ ମଲା ପରେ ବୋଧେ ତମ ମାମୁଁଙ୍କୁ ଉଚ୍ଚିତ ନ୍ୟାୟ ମିଳିବ ବୋଲି ଲେଖି ଆରତୀ ବିଷପାନ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ଏମ୍କେସିଜି ପଠାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣାରେ ଛତ୍ରପୁର ପୁଲିସ କାହାରିକୁ ଗିରଫ କରିପାରି ନ ଥିବାରୁ ହଂସପୁର ଗ୍ରାମବାସୀ ଗ୍ରାମର ମୁଖ୍ୟରାସ୍ତା ଅର୍ଥାତ ଛତ୍ରପୁର-ତାରାତାରିଣୀ ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତୁରନ୍ତ କୃଷ୍ଣଙ୍କୁ ନ୍ୟାୟ ଦାବି ପ୍ରଦାନ ସହ ଏତଲାରେ ଉଲ୍ଲେଖ ଥିବା ୪ ଜଣକୁ ତୁରନ୍ତ ଗିରଫ ଦାବି କରାଯାଇଥିଲା । ଘଟଣାସ୍ଥଳରେ ସଦଳବଳେ ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ଶୀତାଂଶୁ ଶେଖର ମାନ୍ଦତା, ଗଞ୍ଜାମ ଥାନା ଅଧିକାରୀ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଣାୟତ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ଟେକା ପଥର ଫିଙ୍ଗିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇବା ସହ ଠେଲାପେଲା କରିଥିଲେ । ତିନୋଟି ମେଗା ଜଳ ପ୍ରକଳ୍ପକୁ ବନ୍ଦ କରିଦେଇଥିଲେ । ମୃତ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ଭାବି ପତ୍ନୀ ଆରତୀ ପ୍ରଧାନଙ୍କ ଶବକୁ ରାସ୍ତା ମଝିରେ ରଖି ଆନେ୍ଦାଳନ ଜାରି ରଖିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବାରୁ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟ, ଉପ ଜିଲ୍ଲାପାଳ ନୀଳମାଧବ ଭୋଇ, ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୨୫ ହଜାର ସହାୟତା ରାଶି ପ୍ରଦାନ କରାଯାଇଛି । ସରକାରୀ ହିସାବରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ ।
ସୂଚନା ଥାଉକି ଚଳିତ ମାସ ୨୨ ତାରିଖ ବିଳମ୍ବିତ ରାତିରେ ହଂସପୁର ଗ୍ରାମ ନିକଟ ଟୋଲେକେଶ୍ୱର ମନ୍ଦିର ନିକଟରେ କୃଷ୍ଣଚନ୍ଦ୍ର ଫୋନରେ କଥା ହେଉଥିବା ବେଳେ ପଛପଟୁ କିଛି ଲୋକ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘର ଲୋକ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।