ଝୁମ୍ପୁଡ଼ିରେ ରହିଲେ ବି ସେମାନେ ମଣିଷ
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ୍
ନୂଆଦିଲ୍ଲୀ (ଏଜେନ୍ସି): ‘ଝାଟିମାଟିରେ ରହିଲେ ବୋଲି ସେମାନେ କ’ଣ ମଣିଷ ନୁହଁନ୍ତି….ସେମାନେ ବି ମଣିଷ । ସେମାନଙ୍କ ସହ ମଣିଷଙ୍କ ପରି ବ୍ୟବହାର କର । ସେମାନଙ୍କ ଅସ୍ତିତ୍ୱ ନଥିବା ଭଳି ବ୍ୟବହାର ବନ୍ଦ କର’ । କେନ୍ଦ୍ର ସରକାରଙ୍କ ବସ୍ତି ଉଚ୍ଛେଦ ନୀତିକୁ ଏପ୍ରକାର କଡା ଭାଷାରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ପ୍ରାପ୍ତ ସୂଚନାନୁସାରେ ରାଜଧାନୀ ଦିଲ୍ଲୀ ଉପକଣ୍ଠ ତଥା ସହରତଳି ଅଞ୍ଚଳରେ ଥିବା ଅନେକ ବସ୍ତିକୁ ଏବେ ଉଚ୍ଛେଦ କରାଯାଉଛି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ ଏସବୁ କରାଯାଉଥିବା ବେଳେ ଉଚ୍ଛେଦକାରୀମାନେ ଅତ୍ୟନ୍ତ ଅଭଦ୍ରୋଚିତ ଭାବେ ବସ୍ତିବାସିନ୍ଦାଙ୍କ ସହ ଦୁର୍ବ୍ୟବହାର କରୁଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏସମ୍ପର୍କରେ ଆଗତ ଏକାଧିକ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ କେଏମ୍ ଯୋଶେଫ୍ ଏବଂ ଜଷ୍ଟିସ୍ ହୃଷିକେଶ ରୟଙ୍କ ଖଣ୍ଡପୀଠ ଏପରି ପ୍ରତିକ୍ରିୟା ଦେଇଛନ୍ତି । ଏସମ୍ପର୍କୀତ ଆଗତ ଅନେକ ଆବେଦନ ଉପରେ ସୋମବାର ଶୁଣାଣି କରି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କଡା ତାଗିଦ୍ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ସରୋଜିନି ନଗର ସ୍ଲମ୍ (ବସ୍ତି) ଅଞ୍ଚଳରେ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ପ୍ରଶାସନ ଜୋରଜବରଦସ୍ତି ଭାବେ ବସ୍ତିବାସିନ୍ଦାଙ୍କ ଝାଟିମାଟିରେ ନିର୍ମିତ ଝୁମ୍ପୁଡି ଘରକୁ ଭଙ୍ଗାରୁଜା କରୁଛନ୍ତି । ବସ୍ତିବାସିନ୍ଦା ବିରୋଧ କରିବାକୁ ଚେଷ୍ଟା କଲେ ସେମାନଙ୍କୁ ପୁଲିସ୍ ତଥା ଅନ୍ୟ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିର୍ଯାତିତ ହେବାକୁ ପଡୁଛି । ଏସମ୍ପର୍କରେ ସୁପ୍ରିମକୋର୍ଟ ଅବଗତ ହେବା ପରେ ଏହାକୁ ଅତ୍ୟନ୍ତ ଅମାନବୀୟ ଦର୍ଶାଇଛନ୍ତି । ସୁତରାଂ ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ସରୋଜିନି ନଗର ଅଞ୍ଚଳ ବସ୍ତିରେ କୌଣସି ପ୍ରକାର ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ ବୋଲି ଖଣ୍ଡପୀଠ ତାରିଖ ନିର୍ଘଣ୍ଟ କରିଛନ୍ତି । ପ୍ରକାଶ, କେନ୍ଦ୍ର ସରକାରଙ୍କ ଉଚ୍ଛେଦ ନୀତିକୁ ବିରୋଧ କରି ସରୋଜିନି ନଗର ବସ୍ତି ଅଞ୍ଚଳର କିଛି ସ୍କୁଲ, କଲେଜ ପଢ଼ା ଶିକ୍ଷାର୍ଥୀ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ପ୍ରକାଶ ଏହି ଅବସରରେ ନିଜ ପରିବାର ସହ ରହୁଥିବା ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଅନ୍ୟତ୍ର ଥଇଥାନ କରିବା ଉପରେ ବିଚାର କରିବାକୁ ମଧ୍ୟ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି । ଏତଦ୍ବ୍ୟତୀତ ବିନା ଥଇଥାନ ନୀତି ଏବଂ ସାମୟିକ ରିଲିଫ୍ ଯୋଗାଣ ବିନା ଏପ୍ରକାର ବଳପୂର୍ବକ ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଗୋଟିଏ ସ୍ଥାନରୁ ଉଠାଇ ଫିଙ୍ଗିଦେବା ସଦୃଶ ଅନୁଭୂତ ହେଉଛି । କେନ୍ଦ୍ର ସରକାର ଏପ୍ରକାର ଆଭିମୁଖ୍ୟ ଉପରେ ଆସନ୍ତା ୭ଦିନ ମଧ୍ୟରେ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କେଏମ୍ ନଟରାଜ୍ ମାମଲା ପରିଚାଳନା କରିଥିଲେ ।