ରାଜ୍ୟରେ ହେବ ମଡେଲ୍ ମଣ୍ଡି
ଭୁବନେଶ୍ୱର (ବୁ୍ୟରୋ): ଖରିଫ ଓ ରବିଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟ ସଂଗୃହୀତ ହେଉଥିବା ମଣ୍ଡିଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଇ ମଡେଲ ମଣ୍ଡି ସ୍ଥାପନ କରାଯିବ । ଏହି ମଣ୍ଡିରେ ସମସ୍ତ ମୌଳିକ ସୁବିଧାସୁଯୋଗ ରହିବ । କୃଷିଜାତ ଦ୍ରବ୍ୟ ମଣ୍ଡିରେ ବିକ୍ରିକରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀମାନେ ପାଇପାରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ମଡେଲ ମଣ୍ଡି ନିର୍ମାଣ ଦ୍ୱାରା ମଣ୍ଡିର କାର୍ଯ୍ୟଦକ୍ଷତାରେ ପ୍ରଭୂତ ଉନ୍ନତି ଆସିପାରିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୨ଟି ମଡେଲ୍ ମଣ୍ଡି ନିର୍ମାଣ କରାଯିବ । ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରି ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ/ଲ୍ୟାମ୍ପସ୍ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯାଉଛି । ପ୍ରତିଟି ବହୁମଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ୟାକ୍ସ/ଲ୍ୟାମ୍ପସ୍ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ପ୍ୟାକ୍ସ/ଲ୍ୟାମ୍ପସ୍ର ଅଡ଼ିଟ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରି ବକେୟା ଅଡିଟ୍ ଶେଷ କରିବାକୁ କୁହାଯାଇଛି । ବୈଠକରେ ସମବାୟ ସଚିବ ସଂଜୀବ ଚଢ଼ା, ସମବାୟ ସମିତି ସମୂହର ନିବନ୍ଧକ ଡ. ଉଦ୍ଧବ ଚରଣ ମାଝୀ, ଅଡିଟର ଜେନେରାଲ, ସମବାୟ ସମିତି ଭରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।