ଶିଶୁ ଶ୍ରମିକ ଓ ଚାଲାଣ ରୋକିବାକୁ ଗୁରୁତ୍ୱ
ଶିଶୁ-କିଶୋର ଆଇନ କାର୍ଯ୍ୟକାରିତା କର୍ମଶାଳାରେ ସୁପ୍ରିମକୋର୍ଟ ଜଷ୍ଟିସ୍
କଟକ (ବୁ୍ୟରୋ): କିଶୋର ନ୍ୟାୟ (ଶିଶୁଙ୍କ ଯନô ଓ ସୁରକ୍ଷା) ଆଇନ, ୨୦୧୫ ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ ଆକ୍ଟ)ର ଫଳପ୍ରଦ କାର୍ଯ୍ୟକରିତା ସମ୍ପର୍କିତ କର୍ମଶାଳା ଓଡ଼ିଶା ଜୁଡିସିଆଲ ଏକାଡ଼େମୀରେ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟର ବିଚାରପତି ତଥା ଭୁଭେନାଇଲ ଜଷ୍ଟିସ କମିଟି ଅଧ୍ୟକ୍ଷ ଜଷ୍ଟିସ ଏସ୍ ରବୀନ୍ଦ୍ର ଭଟ୍ଟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶିଶୁମାନଙ୍କର ସୁରକ୍ଷା ପାଇଁ ଶିକ୍ଷାର ବହୁ ଆବଶ୍ୟକତା ରହିଛି ବୋଲି କହିଥିଲେ । ଶିକ୍ଷକମାନେ ଶିଶୁଙ୍କ ସୁରକ୍ଷା ନେଇ ଥିବା ଆଇନ ସଂକ୍ରାନ୍ତରେ ଅଧିକ ସଚେତନ ହୋଇପାରିବେ ତାହେଲେ ଉକ୍ତ ଆଇନର କାର୍ଯ୍ୟକାରୀତା ମଧ୍ୟ ଭଲ ଭାବେ ହୋଇପାରିବ ବୋଲି ଜଷ୍ଟିସ ଭଟ୍ଟ ମତବ୍ୟକ୍ତ କରିଛନ୍ତି ।
ଶିଶୁ କିଶୋର ଆଇନ ୨୦୧୫ର କାର୍ଯ୍ୟକାରିତାକୁ ନେଇ ଓଡ଼ିଶା ହାଇକୋର୍ଟ, ଓଡ଼ିଶା ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଜି ଜୁଡ଼ିସିଆଲ ଏକାଡ଼େମୀରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଜଷ୍ଟିସ ଭଟ୍ଟ କହିଲେ, ଯେ ଶିଶୁମାନଙ୍କ କ୍ଷେତ୍ରରେ ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଶିଶୁ ଶ୍ରମିକ ଏବଂ ଶିଶୁ ଚାଲାଣ । ଏହାର ଉପଯୁକ୍ତ ମୁକାବିଲା କରାଯିବା ଆବଶ୍ୟକ । ଏଥିରେ ହାଇକୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଯୋଗଦେଇ କହିଲେ ଯେ ଭିନ୍ନଭିନ୍ନ ଅପରାଧରେ ଜଡ଼ିତ ଶିଶୁଙ୍କୁ ଗୋଟେ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ଏହାର ପୃଥକୀରଣ ହେବାର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ୍ ମୁରଲୀଧର କହିଥିଲେ । ୟୁନିସେଫ ଓଡ଼ିଶାର ମୁଖ୍ୟ ଡ଼. ମୋନିକା ନୀଲସେନ, ୟୁନିସେଫ ଇଣ୍ଡିଆର ଶିଶୁ ସୁରକ୍ଷା ମୁଖ୍ୟ ସୋଲିଡ଼ାଡ୍ ହିରିରୋ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି. ଲୋକୁର ଶିଶୁଙ୍କ ସୁରକ୍ଷା ନେଇ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟି ଅଧ୍ୟକ୍ଷ ଜଷ୍ଟିସ ଦେବେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ମହିଳା ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ତଥା କମିସନର ଭାସ୍କର ଶର୍ମା ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ କଲିକତା, ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟିର ଅଧ୍ୟକ୍ଷ ଯୋଗ ଦେଇଥିଲେ ।