ନିଜ ସହରକୁ ଶ୍ରେଷ୍ଠ କର
ମେୟର, ପୌରାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର (ବୁ୍ୟରୋ): ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର । ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର । ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରାମର୍ଶ ଦେଇଛନ୍ତି ।
ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାଗା ମିଶନ ବିକାଶ ମୁଖି ଦେଶମାନଙ୍କ ପାଇଁ ଏକ ମଡେଲ ହୋଇଛି । ସେହିପରି ଟ୍ୟାପ୍ରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜାଗା ମିଶନ, ସୁଜଳ, ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ ଏଲ୍ଇଡି ଲାଇଟ୍ ଆଦି ସରକାରଙ୍କ ଫ୍ଲାଗ୍ସିପ୍ ପ୍ରୋଗ୍ରାମ୍ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଫୋକସ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ଏକ ଲକ୍ଷ ପଚସ୍ତରୀ ହଜାର ପରିବାରକୁ ଭୂମି ଅଧିକାର ଦିଆଯାଇଥିବାବେଳେ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ସୁଜଳ କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପ୍ରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳେ ରାଜ୍ୟର କୋଡିଏଟି ସହରରେ ଏଥିପାଇଁ କାମ ଚାଲିଛି । କୋଭିଡ ସମୟରେ ସହରର ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ । ଏଥିପାଇଁ ବଜେଟ୍ରେ ୫୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମିଶନ ଶକ୍ତି ଓ ବସ୍ତି ଉନ୍ନୟନ ଆସୋସିଏସନ୍ ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପରିମଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଚଳିତ ପୌର ନିର୍ବାଚନରେ ମା’ ମାନେ ବହୁସଂଖ୍ୟାରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ଓ ଭଲ କାମ କରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତରରେ ୫-ଟି ଉପକ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫-ଟି ଉପକ୍ରମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌରସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
କର୍ମଶାଳାରେ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥି ଭାତ ନାନ ଓ ପୌର ନିର୍ଦେଶକ ସଂଗ୍ରାମଜିତ୍ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।