ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଜେଟକୁ ମୋହର
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ନିମିତ୍ତ ୨୪୮କୋଟି ୫୧ଲକ୍ଷ ଟଙ୍କାର ବଜେଟ୍ ଅନୁମୋଦନ ଲାଭ କରିଛି । ପରିଚାଳନା କମିଟି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ସଂକ୍ରାନ୍ତରେ ବ୍ୟାପକ ଭାବେ ଆଲୋଚନା କରାଯାଇ ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦନ ହୋଇଛି । ବଜେଟରେ ବିଭିନ୍ନ ଉସôରୁ ୨୪୮.୫୧କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୫ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥର ୪୨.୭୪କୋଟି ଟଙ୍କାର ବଳକା ବଜେଟ ବୋଲି କୁହାଯାଇଛି ।
ସୋମବାର ପୁର୍ବାହ୍ଣରେ ନିଳାଦ୍ରୀ ଭକ୍ତନିବାସରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବଜେଟ୍ ଅନୁମୋଦିତ ହୋଇଛି । ଆୟ ମଧ୍ୟରେ ସର୍ବାଧିକ ୧୦୧ କୋଟି ୪୬ ଲକ୍ଷ ଟଙ୍କା ସରକାରୀ ସହାୟତା, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୬୦କୋଟି ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି । ଆୟର ଏକ ବଡ ଉସô ହେଉଛି ସୁଧ । ବିଭିନ୍ନ ବ୍ୟଙ୍କରେ କର୍ପସ ଫଣ୍ଡ, ଫାଉଣ୍ଡେସନ ଫଣ୍ଡ, ଟେମ୍ପୁଲ ଫଣ୍ଡରେ ମହାପ୍ରଭୁଙ୍କ ଟଙ୍କା ସ୍ଥାୟୀ ଜମା ରଖାଯାଇଛି । ସୁଧ ବାବବରେ ପ୍ରାୟ ୪୦ କୋଟି ୭୩ଲକ୍ଷ ଟଙ୍କା ମିଳିବ । ବ୍ୟୟ ୨୦୫କୋଟି ୭୭ଲକ୍ଷ ମଧ୍ୟରେ ସର୍ବାଧିକ କର୍ପସ ଫଣ୍ଡରେ ୬୮କୋଟି ୫୫ ଲକ୍ଷ ଟଙ୍କା ଜମା କରାଯିବ । କର୍ମଚାରୀଙ୍କ ବେତନ ବାବାଦରେ ୨୯ କୋଟି ୨୨ ଲକ୍ଷ, ପାଳିଆ ସେବାୟତଙ୍କ ନୈନିକ ପାରିଶ୍ରମିକ ବାବଦରେ ୨୨କୋଟି ୧୪ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣା ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ନିମିତ୍ତ ୧୮ କୋଟି ୫୪ ଲକ୍ଷ, ରଥଯାତ୍ରା ଓ ସ୍ନାନଯାତ୍ରା ଲାଗି ୧୪ କୋଟି ୭୬ ଲକ୍ଷ, ଫାଉଣ୍ଡେସନ ଫଣ୍ଡ ଜମାରେ ୧୨ କୋଟି ୫୫ ଲକ୍ଷ ଟଙ୍କା, ନୀତିକାନ୍ତି ଖର୍ଚ୍ଚ ୭କୋଟି ୬୭ ଲକ୍ଷ, ପିଣ୍ଡିକା, ପରିମାଣିକ ଏବଂ ଭିତରକାଠ ଦର୍ଶନ ପାଇଁ ସେବକଙ୍କୁ ୭ କୋଟି, ପ୍ରଶାସନିକ ବ୍ୟୟ ବରାଦ ୫କୋଟି ୯୯ ଲକ୍ଷ, ଆଦର୍ଶ ଗୁରୁକୁଳ ଲାଗି ୫ କୋଟି, ସେବକଙ୍କ କଲ୍ୟାଣ ପାଇଁ ୪ କୋଟି ୮୨ଲକ୍ଷ ଟଙ୍କା, ସେବକଙ୍କ ବାସଗୃହ ନିମନ୍ତେ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ।
ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।