ଦଶ ବର୍ଷରେ ୧୭ ଲକ୍ଷ ଏଡ୍ସ୍ ରୋଗୀ
ଆନ୍ଧ୍ରରେ ସର୍ବାଧିକ ଏଚ୍ଆଇଭି ପଜିଟିଭ୍
ନୂଆଦିଲ୍ଲୀ,୨୪ ।୪: ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ଭାରତରେ ଗତ ୧୦ ବର୍ଷ ଭିତରେ ୧୭ ଲକ୍ଷରୁ ଅଧିକ ଲୋକ ଏଚ୍ଆଇଭି (ଏଡ୍ସ୍)ରେ ସଂକ୍ରମିତ ହୋଇଛନ୍ତି । ରାଷ୍ଟ୍ରୀୟ ଏଡ୍ସ୍ ନିୟନ୍ତ୍ରଣ ସଙ୍ଗଠନ (ଏନ୍ଏସିଓ) ପକ୍ଷରୁ ଏକ ଆର୍ଟିଆଇ ଆବେଦନର ଉତ୍ତରରେ ଏହି ତଥ୍ୟ ଦିଆଯାଇଛି । ସେଥିରେ କୁହାଯାଇଛି, ୨୦୧୧-୧୨ ତୁଳନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କମ୍ । ସେହି ବର୍ଷ ହୁ୍ୟମାନ ଇମୁ୍ୟନୋଡେଫିସିଏନ୍ସି ଭାଇରସ୍ (ଏଚ୍ଆଇଭି)ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୪୦ ହଜାର; ୨୦୨୦-୨୧ରେ ତାହା ୮୫ ହଜାର ୨୬୮କୁ କମି ଯାଇଥିଲା । ମଧ୍ୟପ୍ରଦେଶ ନିବାସୀ ଆର୍ଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌଡ଼ଙ୍କ ଆବେଦନର ଉତ୍ତରରେ ଏନ୍ଏସିଓ ପକ୍ଷରୁ କୁହାଯାଇଛି ଯେ, ୨୦୧୧ରୁ ୨୦୨୧ ଭିତରେ ୧୭ ଲକ୍ଷ ୮ହଜାର ୭୭୭ ଜଣ ଲୋକ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଡ୍ସରେ ସଂକ୍ରମିତ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶରେ ଏଚ୍ଆଇଭି ସଂକ୍ରମଣ ସର୍ବାଧିକ । ଏହି ରାଜ୍ୟର ୩ ଲକ୍ଷ ୧୮ ହଜାର ୮୧୪ ଜଣ ଏହି ପ୍ରାଣଘାତକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କ୍ରମାନ୍ୱୟରେ ଅନ୍ୟାନ୍ୟ ରାଜ୍ୟର ଏଡ୍ସ୍ ସଂକ୍ରମିତ ସଂଖ୍ୟା: ମହାରାଷ୍ଟ୍ର-୨,୮୪,୫୭୭, କର୍ଣ୍ଣର୍ାଟକ- ୨, ୧୨, ୯୮୨, ତାମିଲନାଡ଼ୁ- ୧, ୧୬, ୫୩୬, ଉତ୍ତର ପ୍ରଦେଶ- ୧,୧୦, ୯୧୧, ଗୁଜରାଟ- ୮୪,୪୦୦ ।
୨୦୧୧-୧୨ରୁ ୨୦୨୦-୨୧ ଭିତରେ ରକ୍ତ ଉତ୍ପାଦ ମାଧ୍ୟମରେ ୧୫ ହଜାର ୭୮୨ ଜଣ ଏଚ୍ଆଇଭିରେ ପୀଡ଼ିତ ହୋଇଥିଲେ । ମା’ମାନଙ୍କଠାରୁ ୪ ହଜାର ୪୨୩ ଶିଶୁଙ୍କ ଶରୀରକୁ ଏହି ଭୂତାଣୁ ସଂକ୍ରମିତ ହୋଇଥିଲା ।
ତଥ୍ୟ ଅନୁଯାୟୀ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏଚ୍ଆଇଭି ସଂକ୍ରମଣ ମାମଲା କମିବାରେ ଲାଗିଛି । ଦେଶରେ ୨୦୨୦ ସୁଦ୍ଧା ୮୧,୪୩୦ ଶିଶୁଙ୍କ ସମେତ ଏଚ୍ଆଇଭି ପୀଡ଼ିତ ଲୋକଙ୍କ ମୋଟ୍ ସଂଖ୍ୟା ଥିଲା ୨୩ ଲକ୍ଷ ୧୮ ହଜାର ୭୩୭ ।