ଦୁଇ ନାଆରେ ଗୋଡ଼ ଦେଇଛନ୍ତି ପିକେ!

ନୂଆଦିଲ୍ଲୀ/ ହାଇଦ୍ରାବାଦ୍ (ଏଜେନ୍ସି): ଦେଶର ପ୍ରଖ୍ୟାତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଏବଂ ସେ ଗଠନ କରିଥିବା ରାଜନୈତିକ କନ୍ସଲଟାନ୍ସି ସଂସ୍ଥା ‘ଇଣ୍ଡିଆନ୍ ପଲିଟିକାଲ ଆକ୍ସନ୍ କମିଟି’ (ଆଇ-ପାକ୍)କୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରାପ୍ତ ସୂଚନାନୁସାରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ଏବେ ୨ଠ୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଇ-ପାକ୍ ସହ ଚୁକ୍ତି କରିଛି । ଅର୍ଥାତ୍ ୨ଠ୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ ଟିଆରଏସ୍ ପାଇଁ ଆଇ-ପାକ୍ କାମ କରିବ । ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ, ନିର୍ବାଚନୀ ପ୍ରତିଶ୍ରୁତି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଭୋଟରଙ୍କୁ ଟିଆରଏସ୍ ପ୍ରତି ବିଶ୍ୱାସଭାଜନ କରାଇବା ପର୍ଯ୍ୟନ୍ତ ସବୁୂକିଛି ଆଇ-ପାକ୍ ଉପରେ ଟିଆରଏସ୍ ନ୍ୟସ୍ତ କରିଦେଇଛି । ତେବେ ଏହାକୁ ନେଇ ପିକେଙ୍କ ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି ।
ସମ୍ପ୍ରତି ପ୍ରଶାନ୍ତ କିଶୋର (ପିକେ) ୨ଠ୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଏପରିକି ଆସନ୍ତା ୨୯ରେ ପିକେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବା ନେଇ ମଧ୍ୟ ସୂଚନା ରହିଛି । ଦେଶର ଅଧିକାଂଶ ରାଜ୍ୟରେ କଂଗ୍ରେସକୁ ବିଜୟୀ କରିବା ପାଇଁ ପିକେ ନିଜର ସବୁ ଚାଣକ୍ୟ ବୁଦ୍ଧିକୁ ଲଗାଇଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ରୋଡ୍ମ୍ୟାପ୍ରେ ପରିଚାଳିତ ହୋଇ କଂଗ୍ରେସ ୨ଠ୨୪ ସାଧାରଣ ନିର୍ବାଚନ (ଲୋକସଭା) ବିଜୟୀ ହେବାକୁ ଯୋଜନା ପ୍ରସ୍ତୁତ କରିଛି । ଇତି ମଧ୍ୟରେ ପ୍ରଶାନ୍ତ କିଶୋରଙ୍କ ଉପସ୍ଥିତିରେ କଂଗ୍ରେସର ୩/୪ଥର ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଲାଣି । ଏଭଳି ସ୍ଥିତିରେ ପ୍ରଶାନ୍ତ କିଶୋରଙ୍କ ନିଜ ଟିମ୍ ଆଇ-ପାକ୍ ଏବେ ଟିଆରଏସ୍ ସହ ଚୁକ୍ତି କରିଛି । ଅବଶ୍ୟ ପ୍ରାୟ ୧ବର୍ଷ ପୂର୍ବେ ଆଇ-ପାକ୍ ସହ ସବୁପ୍ରକାର ସମ୍ପର୍କ ତୁଟାଇସାରିଥିବା ପ୍ରଶାନ୍ତ କିଶୋର ଦାବି କରିଆସୁଛନ୍ତି । ମାତ୍ର ଆଇ-ପାକ୍ ସହ ଟିଆରଏସ୍ର ଚୁକ୍ତି ହେବା ପରେ ପରେ ଟିଆରଏସ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ହାଇଦ୍ରାବାଦ୍ରେ ପିକେ ସାକ୍ଷାତ କରିବା, ଉଭୟଙ୍କ ମଧ୍ୟରେ ରାତି ତମାମ ଏସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି । ପ୍ରକାଶ, ତେଲେଙ୍ଗାନାରେ ଟିଆରଏସ୍, କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସିଛି । ଏପରି ସ୍ଥିତିରେ ପ୍ରଶାନ୍ତ କିଶୋରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଏପ୍ରକାର ସ୍ଥିତିରେ ପ୍ରଶାନ୍ତ କିଶୋର ନିଜ ହାତରେ ଗଢ଼ିଥିବା ‘ଆଇ-ପାକ୍’ ଠାରୁ ଦୂରେଇ ଯାଇଥିବା ନେଇ ଯେତେ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ମଧ୍ୟ ସେ ଆଇ-ପାକ୍ ସହ ଓତଃପ୍ରୋତଃ ଭାବେ ଜଡିତ ରହିଥିବା ଅନୁମାନ କରାଯାଉଛି । ଗୋଟିଏ ପଟେ କଂଗ୍ରେସ ପାଇଁ ସେ ନିର୍ବାଚନ ରଣନୀତିକାର ସାଜିଥିବା ବେଳେ ଅନ୍ୟପକ୍ଷେ ତାଙ୍କ ଟିମ୍ ଏବେ ଟିଆରଏସ୍ ସହ ଚୁକ୍ତି କରିବା ଏବଂ ପ୍ରଶାନ୍ତ କିଶୋର ନିଜେ ହାଇଦ୍ରାବାଦ୍ ଯାଇ କେସିଆର୍ଙ୍କୁ ସାକ୍ଷାତ କରିବା କଂଗ୍ରେସ ପାଇଁ ଏକ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି । କାରଣ ତେଲେଙ୍ଗାନାରେ ଟିଆରଏସ୍ର ମୁଖ୍ୟ ବିରୋଧୀ କଂଗ୍ରେସ ରହିଥିବା ବେଳେ ରାହୁଲ ଗାନ୍ଧୀ, କେସିଆର ବିରୋଧୀ ରହିଆସିଛନ୍ତି । କେସିଆର ମଧ୍ୟ ଅଧିକାଂଶ ସମୟରେ ରାହୁଲ-ସୋନିଆ-ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ସମାଲୋଚନା କରିବା ଦେଖିବାକୁ ମିିଳେ । ସୂତ୍ର ଅନୁସାରେ ପିକେ, ଆଇ-ପାକ୍ ଛାଡିବା ପରେ ଏବେ ସଂସ୍ଥାର ସବୁକିଛି ଦାୟିତ୍ୱ ଋଷି ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି । ଋଷି ସିଂହ ସମ୍ପ୍ରତି ହାଇଦ୍ରାବାଦ୍ରେ ଡ଼େରା ପକାଇଥିବା ବେଳେ ଟିଆରଏସ୍ର ନେତାମାନଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ବୋଲି ଜଣାପଡିଛି । ତେବେ ଏସବୁ ମଧ୍ୟରେ ପିକେ, କଂଗ୍ରେସକୁ ଦେଇଥିବା ପରାମର୍ଶରେ ତେଲେଙ୍ଗାନାରେ ଟିଆରଏସ୍, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସହ ମେଣ୍ଟ କରିବା ପାଇଁ ଗୁରୁତ୍ୱାରୋପ କରିଥିବା ଜାଣିବାକୁ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *