ଚୁଆ ପାଣି ଭରସାରେ ବଡ଼ନାଳ ସାହିବାସୀ

ଆନନ୍ଦପୁର (ଆପ୍ର): ରାଜ୍ୟ ସମେତ ପ୍ରତ୍ୟେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି । ଏବେ କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗାଁରୁ ସହର ସବୁଠି ତାତିରେ ଛଟପଟ ହେଉଛନ୍ତି ଜନସାଧାରଣ । ଏଭଳି ମୁଣ୍ଡଫଟା ଖରାରେ ମୁଣ୍ଡକାନ ଝାଇଁଝାଇଁ ମାରି ନେଉଛି । ଏଭଳି ସମୟରେ ଆନନ୍ଦପୁରର ବିଭିନ୍ନ ସ୍ଥାନରେ ପିଇବା ପାଣିର ଉକ୍ରଟ ସମସ୍ୟା ଦେଖିବାକୁ ମିଳିଛି ।
ପିଇବା ପାଣି ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଆନନ୍ଦପୁର ବ୍ଲକ୍ ବାଉଁଶଗଡ଼ ପଞ୍ଚାୟତ ବଡ଼ନାଳ ସାହିର ମହିଳା । ଦୀର୍ଘ ୧୦ କିମି ଚାଲି ଚାଲି ବ୍ଲକ୍୍ ଅଫିସ୍ ଆଗରେ ଫେରାଦ ହୋଇଛନ୍ତି । ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ସାକ୍ଷାତ କରି ପିଇବା ପାଣି ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି । ପାନୀୟ ଜଳ ସଙ୍କଟ ଦୂର ନ ହେଲେ ବାଧ୍ୟ ହୋଇ ରାସ୍ତାରେ ଧାରଣା ଦେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।
ସୂଚନାଯୋଗ୍ୟ, ବାଉଁଶଗଡ଼ ପଞ୍ଚାୟତ ବଡ଼ନାଳ ସାହିରେ ବାସ କରୁଛନ୍ତି ୨୫ରୁ ୩୦ ପରିବାର । ପ୍ରଚଣ୍ଡ ତାତି ସାଙ୍ଗକୁ ପିଇବା ପାଣି ସମସ୍ୟା ଦିନକୁ ଦିନ ସାହିରେ ବଡ଼ ସମସ୍ୟା ଭାବେ ଉଭା ହେବାକୁ ବସିଲଶଣି । ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ବଡ଼ନାଳ ସାହିବାସୀ । ଫଳରେ ସେମାନେ ନାନା ରୋଗର ସଂକ୍ରମିତ ହେଉଛନ୍ତି । ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ଗାଁର ମହିଳାମାନେ । ୧୦ କିମି ଚାଲିଚାଲି ବ୍ଲକ୍ ଅଫିସ୍ରେ ଜଳସଂକଟ ଦୂର ପାଇଁ ୨ଟି ନଳକୂଅ ବ୍ୟବସ୍ଥା କରିବାକୁ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ପ୍ରକାଶ ରାଉତଙ୍କ ନିକଟରେ ଦାବି କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୫ ଦିନ ମଧ୍ୟରେ ଗୋଟିଏ ନଳକୂଅ ବସାଇବା ଏବଂ ତ୍ୱରିତ ପଦକ୍ଷେପ ସ୍ୱରୂପ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତିି ଯନ୍ତ୍ରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *