କେତେ ସୁରକ୍ଷିତ ଇ-ସ୍କୁଟର?

୫ ଦିନରେ ଜଳିଗଲା ୪ ଇଭି
ନୂଆଦିଲ୍ଲୀ (ଏଜେନ୍ସି): ପେଟ୍ରୋଲ-ଡିଜେଲ ମହଙ୍ଗା ଯୁଗରେ ଏବେ ଇଲେକ୍ଟ୍ରିକ୍ ବାଇକ୍ ବା ଇ-ସ୍କୁଟରକୁ ଅଧିକ ପସନ୍ଦ କରୁଛନ୍ତି ଦେଶବାସୀ । ତେବେ ଏହା କେତେ ସୁରକ୍ଷିତ? ଏହାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଇ-ସ୍କୁଟରରେ ସ୍ୱତଃ ନିଆଁ ଲାଗିଯାଉଥିବା ବେଳେ ଏହା ବିସ୍ଫୋରିତ ମଧ୍ୟ ହେଉଛି । ଏପ୍ରକାର ଘଟଣାରେ ଚାଳକ କିମ୍ବା ଚାଳକ ପଛରେ ବସୁଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆଶଙ୍କା ବଢ଼ିଯାଇଛି ।
ଇ-ସ୍କୁଟରରେ ମୁଖ୍ୟତଃ ଲିଥିୟମ-ଆୟନ୍ ବ୍ୟାଟେରୀ ବ୍ୟବହୃତ ହୋଇଥାଏ । ଯାହା ସାଧାରଣତଃ ମୋବାଇଲ, ଲ୍ୟାପଟପ୍ ଆଦିରେ ବ୍ୟବହୃତ ହୋଇଥାଏ । ଏହା ଅପେକ୍ଷାକୃତ ହାଲୁକା ହୋଇଥିବାରୁ ଏବଂ ରିଚାର୍ଜ କରିବା ଶସ୍ତା ପଡୁଥିବାରୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି । ଏକ୍ସପର୍ଟଙ୍କ କହିବା ଅନୁସାରେ ଇ-ସ୍କୁଟର୍ରେ ବ୍ୟବହାର ହେଉଥିବା ବ୍ୟାଟେରୀ ସାଧାରଣତଃ ଚୀନ୍ରୁ ଆସିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର । ବିସ୍ଫୋରଣ ପଛରେ ଏହା ମୁଖ୍ୟ କାରଣ ହୋଇପାରେ । ଏହା ଅତ୍ୟଧିକ ଉତ୍ତାପରେ ଗରମ ହୋଇଯିବା ଯୋଗୁ ଏଥିରେ ନିଆଁ ଲାଗିଯାଉଛି । ଆନ୍ଧ୍ରପ୍ରଦେଶ, ବିଜୟୱାଡା, ତେଲେଙ୍ଗାନା ଏବଂ ପୁଣେ ଆଦି ସହରରେ ଏପ୍ରକାର ଘଟଣା ସାମ୍ନାକୁ ଆସିଛି । ଇ-ସ୍କୁଟର ବିସ୍ଫୋରିତ ହେବା ସହ ଚାଳକର ପ୍ରାଣହାନୀ ହେଉଥିବା ମଧ୍ୟ ସୂଚନା ମିଳୁଛି । ଯାହାକୁ ନେଇ ଦେଶବାସୀ ଭୟଭୀତ ହୋଇପଡିଛନ୍ତି ।
ଏସବୁ ମଧ୍ୟରେ ଇ-ସ୍କୁଟର ପ୍ରସ୍ତୁତକାରୀ କମ୍ପାନୀ ଓଲା’ ବଜାରକୁ ଛାଡିଥିବା ଇ-ସ୍କୁଟର ମଧ୍ୟରୁ ପ୍ରାୟ ୧୪୪୧ ସ୍କୁଟରକୁ ପ୍ରତ୍ୟାହାର କରିନେଇଥିବା ସୂଚନା ମିଳିଛି । ଓଲା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଇ-ସ୍କୁଟରରେ ତ୍ରୁଟି ସୁଧାରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଇଭି, ଓଲା, ଓକିନାୱା ଭଳି କମ୍ପାନୀ ପ୍ରସ୍ତୁତ ଇ-ସ୍କୁଟରଗୁଡ଼ିକୁ ଦେଶବାସୀ ବେଶ୍ ପସନ୍ଦ କରିବା ଆରମ୍ଭ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *