ପ୍ରଥମ ଦିନରେ ୫ଟି ଗାଡ଼ି ଜବତ
ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଥିଲେ କାର୍ଯ୍ୟାନୁଷ୍ଠାନ
କଟକ (ବୁ୍ୟରୋ): ଡ୍ରାଇଭିଂ ଲାଇସେନ୍ସ ନଥାଇ ଦୁଇ ଚକିଆ ଗାଡ଼ି ଚଲାଉଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଟକ କମିଶନରେଟ ପୁଲିସ । ଏହି କ୍ରମରେ ଶନିବାରଠାରୁ କଟକ ସହରରେ ପୁଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିବା ବେଳେ ପ୍ରଥମ ଦିନରେ ଧରା ପଡ଼ିଛନ୍ତି ୫ ଜଣ ସ୍କୁଲ ଛାତ୍ରଛାତ୍ରୀ । କମିଶନରେଟ ପୁଲିସର ଟ୍ରାଫିକ୍ ବିଭାଗ ଓ ଆର୍ଟିଓ ପକ୍ଷରୁ ମିଳିତଭାବେ କରାଯାଇଥିବା ଏହି ସ୍ପେସାଲ ଡ୍ରାଇଭ୍ ସହରର ଅନ୍ୟତମ ପ୍ରମୁଖ୍ୟ ସ୍କୁଲ ସିଡିଏ ଡିଏଭି ନିକଟରେ ଆରମ୍ଭ ହୋଇଥିଲା । ସକାଳ ପ୍ରାୟ ୭ଟା ବେଳେ ଆରମ୍ଭ ହୋଇଥିବା ଏହି ଡ୍ରାଇଭ ଗୋଟିଏ ଘଣ୍ଟା ଧରି ଚାଲିଥିଲା ଏବଂ ଏହି ଡ୍ରାଇଭରେ ପ୍ରଥମ ଦଫାରେ ଦୁଇ ଚିକିଆ ଗାଡ଼ି ସ୍କୁଲକୁ ଆସିଥିବା ୫ ଜଣ ଛାତ୍ରଛାତ୍ରୀଙ୍କ ଗାଡ଼ିକୁ ପୁଲିସ ଜବତ କରିଥିଲା । ଜବତ କରିବା ପରେ ଗାଡ଼ିଗୁଡ଼ିକୁ ଟ୍ରାଫିକ ଥାନାକୁ ନିଆଯାଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଓ ଫାଇନ ଦେଇ ଗାଡ଼ିଗୁଡ଼ିକୁ ଥାନାରୁ ଆଣିବା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକମାନଙ୍କ ଜଣାଇ ଦେଇଥିଲା ପୁଲିସ । ଏଥିସହିତ ଯେଭଳିି ଭବିଷ୍ୟତରେ ଏଭଳି ନ ହୁଏ ସେଥିପ୍ରତି ମଧ୍ୟ ପୁଲିସ ତାଗିଦ କରିଥିଲା । ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛୁ । ବିଶେଷ କରି ପିଲାମାନଙ୍କୁ ଗାଡ଼ି ଚାଳନା ନେଇ ଥିବା ମୋଟର ଭେଇକିଲ ଆଇନରେ ଥିବା ବ୍ୟବସ୍ଥା ବାବଦରେ ଅବିଭାବକମାନଙ୍କୁ ସଚେତନ କରିବାକୁ ଚାହୁଁଛୁ । ଆଗକୁ ଏହି ଭଳି ଅଭିଯାନ ସହରର ବିଭିନ୍ନ ସ୍କୁଲଗୁଡ଼ିକରେ କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି । ମୋଟର ଭେଇକିଲ ଆକ୍ଟ ୧୯୮୮ ମୁତାବକ ୧୮ ବର୍ଷ ବୟସ୍କ କିମ୍ବା ତା’ଠାରୁ ଊଦ୍ଧ୍ୱର୍ ବୟସ୍କ ଯେ କୌଣସି ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇବା ପରେ ହିଁ ସର୍ବସାଧାରଣ ସ୍ଥାନରେ ଦୁଇ ଚକିଆ ଯାନ ଚଲାଇ ପାରିବେ । କିନ୍ତୁ ୧୬ ବର୍ଷରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ କେବଳ ୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ନ ଥିବା ଦୁଇ ଚକିଆ ଗାଡ଼ି ଚଲାଇବା ପାଇଁ ଅନୁମତି ରହିଛି । ବର୍ତ୍ତମାନ ୫୦ ସିସି ବିଶିଷ୍ଟ କୌଣସି ଦୁଇ ଚକିଆ ଯାନ ଭାରତୀୟ ବଜାରରେ ଉପଲବ୍ଧ ନାହିଁ । ଏହି କ୍ଷେତ୍ରରେ ଯେଉଁ ଅବିଭାବକମାନେ ସେମାନଙ୍କ ପିଲାଙ୍କୁ ଗାଡ଼ି ଦେବାକୁ ଚହୁଁଛନ୍ତି ସେମାନେ ଇଲେକ୍ଟ୍ରିକ ଗାଡ଼ିର ବ୍ୟବହାର କରିପାରନ୍ତି । ୧୬ରୁ ୧୮ ବର୍ଷର ପିଲାମାନେ .୨୫ କିଲୋୱାଟରୁ ତଳକୁ ଥିବା ସମସ୍ତ ଇଲେକ୍ଟ୍ରି ବାଇକ କିମ୍ବା .୨୫ କିଲୋୱାଟରୁ ଅଧିକ କ୍ଷମତା ଥିଲେ ମଧ୍ୟ ଯେଉଁ ଗାଡ଼ିଗୁଡ଼ିକର ସ୍ପିଡ୍ ଘଣ୍ଟାପ୍ରତି ୪୦ କିମିରୁ ଅଧିକ ନଥିବ ସେହି ଗାଡ଼ିଗୁଡ଼ିକୁ ସେମାନେ ବ୍ୟବହାର କରି ପାରିବେ, କହିଛନ୍ତି ଆରଟିଓ ଅଧିକାରୀ ।