ତୁରନ୍ତ କାର୍ଯ୍ୟ ସାରିବାକୁ ଦାବି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱନଗରୀ । ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଐତିହ୍ୟ କରିଡର୍ ନିର୍ମାଣ ଜାରି ରହିଛି । ହେଲେ ଏହି କାର୍ଯ୍ୟକୁ କେତେକ ରାଜନୈତିକ ଦଳ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିରୋଧ ଜାରି ରଖିଛନ୍ତି । ତେବେ ଏହି କାର୍ଯ୍ୟକୁ ଶତପ୍ରତିଶତ ସମର୍ଥନ କରିଛନ୍ତି ଶ୍ରୀମନ୍ଦିରର ସମସ୍ତ ସେବାୟତ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ସମସ୍ତ ସେବାୟତମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।
ସେମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କହିଛନ୍ତି ଯେ, ବିଶ୍ୱରେ ଶ୍ରୀଜଗନ୍ନାଥ ଧାମର ମହିମା ବଢ଼ାଯାଉ । ତତ୍ସହିତ ଯେଉଁ କରିଡର୍ ନିର୍ମାଣ ଜାରି ରହିଛି ତାହା ବିଶ୍ୱର ସମସ୍ତ ଭକ୍ତଙ୍କ ହିତକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ କରାଯାଇଛି । ତେଣୁ ଏହି କାର୍ଯ୍ୟକୁ ସେବାୟତଙ୍କ ସହ ପୁରୀର ସାତସାହିର ସମସ୍ତ ଜନସାଧାରଣ ସହଯୋଗ କରିବେ । ତେଣୁ ଏହି କରିଡର୍ ନିର୍ମାଣ ବରୋଧରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଓ ବଡ଼ଦାଣ୍ଡରେ କୌଣସି ବିକ୍ଷୋଭ ଓ ରାଲି କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ଦିଆ ନ ଯିବା ଲାଗି ସେବାୟତ ଦାବି କରିଛନ୍ତି ।
ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର, ବିନାୟକ ଦାସମହାପାତ୍ର, ଅମିତ୍ ଦାସମହାପାତ୍ର, ଗୌରହରି ପ୍ରଧାନ, ମାଧବ ଚନ୍ଦ୍ର ମହାପାତ୍ର, ରଜତ କୁମାର ପ୍ରତିହାରୀ, ଜଗନ୍ନାଥ କର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।