୨୪ ଘଣ୍ଟାରେ ୨ ଅଟକ
ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କ ଘରକୁ ବୋମାମାଡ଼
ପୁରୀ (ବୁ୍ୟରୋ): ଶନିବାର ବିଳମ୍ବିତ ରାତିରେ ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କ ଘରକୁ ବୋମାମାଡ଼ ଘଟଣାରେ ପୁଲିସ୍ ୨୪ ଘଣ୍ଟା ମଧ୍ୟରେ ୨ ଦୁର୍ବୃତ୍ତଙ୍କୁ ଥାନାରେ ଅଟକ ରଖିଛି । ତତ୍ସହିତ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି । ଏହି ବୋମା ମାଡ଼ ଘଟଣାରେ ଅଟକ ଥିବା ୨ ଜଣ ବ୍ୟତୀତ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ ଜାରି ରହିଥିବା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀ ସୂଚନା ଦେଇଛନ୍ତି । ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ । କେବେ ପୁଲିସ୍ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
କୁମ୍ଭାରପଡ଼ା ଥାନା ଅଞ୍ଚଳରେ ରହୁଥିବା ଏନ୍ଫୋର୍ସମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କୁ ପ୍ରଥମେ ଦୁର୍ବୃତ୍ତ ଫୋନ୍ କରି ଧମକାଇଥିଲେ । କିଛି ସମୟ ପରେ ଦୁର୍ବୃତ୍ତ ତାଙ୍କ ଘର ଉପରକୁ ତିନୋଟି ବୋମା ମାଡ଼ କରିଥିଲା । ଏଥିରେ ଘରର କାନ୍ଥ ସହ ଖୁଣ୍ଟରେ ଦାଗ ସୃଷ୍ଟି ହୋଇଥିଲା । ହେଲେ ଏହି ବୋମା ମାଡ଼ରେ ତାଙ୍କ ପରିବାରର ଜଣେ ସଦସ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ କୁମ୍ଭାରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ । ଗତ ୧୬ରେ କାଶୀନାଥଙ୍କ ଘରୁ ଦୁର୍ବୃତ୍ତମାନେ ପାରା ଚୋରି କରିଥିଲେ । ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ମାତ୍ର ଦୁର୍ବୃତ୍ତମାନେ ଥାନାରୁ ମାମଲା ପ୍ରତ୍ୟାହାର କରିବା ଲାଗି ଶନିବାର ଫୋନ୍ ଯୋଗେ କାଶୀନାଥଙ୍କୁ ଧମକ ଦେଇଥିଲେ । କିଛି ସମୟ ପରେ ତାଙ୍କ ଘର ନିକଟକୁ ଆସି ଲଗାତାର ୩ଟି ବୋମା ମାଡ଼ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।