ଜଳିଲା, ଆହୁରି ଜଳିବ

ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର,୨୩ା୪(ବୁ୍ୟରୋ): ଆକାଶରୁ ସତେଯେମିତି ବର୍ଷୁଥିଲା ନିଆଁ । ସକାଳୁ ସନ୍ଧ୍ୟା ଯାଏ ଝାଞ୍ଜିମାଡ଼ । ଦିନତମାମ ଅସହ୍ୟ ଗୁଳୁଗୁଳି । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ୍ । ଦିନ ସାଢ଼େ ୧୧ଟାରେ ୪ଠ ଡିଗ୍ରୀ ପାର୍ କଲା, ଆଉ ସାଢ଼େ ୨ଟା ବେଳକୁ ୪୧.୨ ଡିଗ୍ରୀ । ପ୍ରଚଣ୍ଡ ରୌଦ୍ରତାପରେ ଶନିବାର ସିଝିଛି ଭୁବନେଶ୍ୱର । ଚଳିତବର୍ଷର ରେକର୍ଡ଼ ମଧ୍ୟ ଭାଙ୍ଗିଛି । ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଶନିବାର ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି । କଟକ ସ୍ଥିତି ବି ସମାନ । ଏଠାରେ ଶନିବାର ପାରଦ ଛୁଇଁଛି ୪୧ ଡିଗ୍ରୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅପେକ୍ଷାକୃତ କମ୍ ତାତି ପରିଲକ୍ଷିତ ହୋଇଥିଲେହେଁ ୨୫ରୁ ତିନିଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି ।
କେବଳ ଟ୍ୱିନ୍ସିଟି ନୁହେଁ ୨୧ଟି ସହରରେ ଶନିବାର ପାରଦ ଥିଲା ୪ଠ ଡିଗ୍ରୀ ଉପରେ । ସେହିପରି ୯ଟି ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଥିଲା । ଶନିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ଅନୁଗୋଳ । ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ପଛକୁ ୪୧.୭ ଡିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ବାରିପଦା, ବଲାଙ୍ଗିର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ଢେଙ୍କାନାଳ, ବୌଦ୍ଧ ଓ ଦେବଗଡ଼ରେ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଚାନ୍ଦବାଲିରେ ୪୦.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୩, ସମ୍ବଲପୁରରେ ୪୦.୫, ସୁନ୍ଦରଗଡ଼ରେ ୪୦, ଭବାନୀପାଟଣାରେ ୪୦, ଟିଟିଲାଗଡ଼ରେ ୪୦.୪, ତାଳଚେରରେ ୪୦.୩, ଭଦ୍ରକରେ ୪୦.୫, ଯାଜପୁରରେ ୪୦.୨, ନୂଆପଡ଼ାରେ ୪୦.୨, ଜଗତସିଂହପୁରରେ ୪୦.୨ ଓ ସୋନପୁରରେ ୪୦.୭ ଡିଗ୍ରୀ ରେକର୍ଡ କରାଯାଇଛି ।
ଅନ୍ୟପକ୍ଷରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହିଭଳି ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । କେତେକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ୨୫ ତାରିଖରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଠିକ୍ ସେହିପରି ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଏବଂ ୨୭ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେବାର ଆଶଙ୍କା ରହିଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଆସନ୍ତା ୩ ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ଂ ପର୍ଯ୍ୟନ୍ତ ବଢ଼ିବ । ସେହିଭଳି ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।
ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଲା- ସପ୍ତାହେ ହେଲାଣି ସମୁଦ୍ରରୁ ପବନ ଆସୁନି । କେବଳ ପଶ୍ଚିମା ପବନ ବହୁଛି । ଫଳରେ ଭୀଷଣ ଗରମ ଅନୁଭୂତ ହେଉଛି । ଏଭଳି ସ୍ଥିତି ଆହୁରି ୪ରୁ ୫ ଦିନ ଯାଏ ଲାଗି ରହିବ । ଆସନ୍ତା ୨୫, ୨୬ ଏବଂ ୨୭ ତାରିଖରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ଭାରତୀୟ ପାଣିପାଗ ବିଭାଗ ହିଟ୍ୱେଭ୍ ସତର୍କତା ମଧ୍ୟ ଜାରି କରିଛି ।
ତାତି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ୫ଟି ଜିଲ୍ଲା ଯଥା-ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ ଏବଂ ସୋନପୁର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ଲୋକଙ୍କୁ ସତର୍କ କରାଇବାକୁ ପରାମର୍ଶ ଦିଆଯାଇଛି । ସାଧାରଣ ଲୋକଙ୍କ ପାଇଁ ତାତି ଅସହ୍ୟ ହୋଇନଥିଲେ ହେଁ ନବଜାତ ଶିଶୁ, ବରିଷ୍ଠ ନାଗରିକ ଏବଂ ରୋଗୀ ଆଦି ସମ୍ବେଦନଶୀଳ ଲୋକଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଉପୁଜିପାରେ । ଉପରୋକ୍ତ ୫ଟି ଜିଲ୍ଲାର ଲୋକେ ଦିନ ୧୧ଟାରୁ ୩ଟା ୩ଠ ମିନିଟ୍ ମଧ୍ୟରେ ଘରୁ ପଦାକୁ ଯାଉଥିଲେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *