ସମ୍ପତ୍ତି ତାଲିକା ଦେଲେନି ୫୬୭ ଆଇଏଏସ୍
ନୂଆଦିଲ୍ଲୀ, ୨୩ା୪: ଦେଶର ୫୬୭ଜଣ ଆଇଏଏସ୍ ଅଫିସର ସେମାନଙ୍କ ଅସ୍ଥାବର ସମ୍ପତ୍ତି ତାଲିକା (ଆଇପିଆର୍) ପ୍ରଘଟ କରିବାକୁ ନାରାଜ । ଅନ୍ଲାଇନ୍ ପ୍ଲାଟଫର୍ମ ଥିଲେହେଁ ଏମାନେ ୨୦୧୮ରୁ ୨୦୨୧ ଭିତରେ ଆଇପିଆର୍ ଫାଇଲ୍ କରି ନାହାନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ରେ ସର୍ବଭାରତୀୟ ସେବା ଅଧିକାରୀମାନଙ୍କୁ ଆଇପିଆର୍ ଦାଖଲ ପାଇଁ ନିବେଦନ କରିଥିଲେ । ପୂର୍ବୋକ୍ତ ଆଇଏଏସ୍ ଅଫିସରମାନଙ୍କ ଉପରେ ଏହାର ମଧ୍ୟ ପ୍ରଭାବ ପଡ଼ି ନ ଥିଲା । ପରେ ସେମାନଙ୍କୁ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଧମକ ଦିଆଯାଇଥିଲା । ତାହା ମଧ୍ୟ ନିଷ୍ଫଳ ହେଲା ।
କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ବିଭାଗର ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟରେ କୁହାଯାଇଛି ଯେ, ବହୁ ଆଇଏଏସ୍ ଅଫିସର ପ୍ରତିବର୍ଷ ଅସ୍ଥାବର ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରୁନାହାନ୍ତି । ଏଭଳି ଅଭ୍ୟାସର ସୁଦୂରପ୍ରସାରୀ ପ୍ରଭାବ ପଡ଼ିପାରେ । ସେମାନେ ସମ୍ପତ୍ତି ତାଲିକା ଘୋଷଣା କରୁ ନ ଥିବାର ଅର୍ଥ ହେଉଛି ଭିଜିଲାନ୍ସ କ୍ଲିୟରାନ୍ସ ପ୍ରତି ସେମାନଙ୍କର ଖାତିର ନାହିଁ ।
ସଂସଦୀୟ ସ୍ଥାୟୀ କମିଟି ଅଧ୍ୟକ୍ଷ ସୁଶୀଲ କୁମାର ମୋଦି ନିକଟରେ ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟରୁ ଏହି ସବୁ ତଥ୍ୟ ମିଳିଛି । ସ୍ଥାୟୀ କମିଟିରେ ଲୋକସଭା ଓ ରାଜ୍ୟସଭାର ୩୧ଜଣ ସାଂସଦ ସଦସ୍ୟ ଥିଲେ । ରିପୋର୍ଟରେ କୁହାଯାଇଛି ଯେ, ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା ଆଇପିଆର୍ ଦାଖଲ କରିବା ନିୟମ ଥିଲେହେଁ ୫୬୭ ଆଇଏଏସ୍ ଅଫିସର ୨୦୧୮ରୁ ୨୦୨୧ ଭିତରେ ଆଇପିଆର୍ ଫାଇଲ୍ କରି ନାହାନ୍ତି ।
୨୦୧୮ରେ ୧୩୫, ୨୦୧୯ରେ ୧୨୮, ୨୦୨୦ରେ ୧୪୦ ଓ ୨୦୨୧ରେ ୧୫୮ ଆଇଏଏସ୍ ଅଫିସର ଆଇପିଆର୍ ଫାଇଲ୍ କରିବାରେ ଅବହେଳା କରିଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ସିଧାସଳଖ ଆଇଏଏସ୍ ପାଇଥିବା ଅଫିସରମାନେ ମଧ୍ୟ ଆଇପିଆର୍ ଦାଖଲ ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ଦୁଇ ବର୍ଷରୁ ଅଧିକ ସମୟ ଧରି ଆଇପିଆର୍ ଦାଖଲ କରି ନ ଥିବା ଅଫିସର ସଂଖ୍ୟା ୪୪ । ତିନି ବର୍ଷରୁ ଅଧିକ କାଳ ହେଲା ଆଇପିଏଲ୍ ଫାଇଲ୍ କରି ନାହାନ୍ତି ୩୨ ଆଇଏଏସ୍ ଅଫିସର ।
ସଂସଦୀୟ ସ୍ଥାୟୀ କମିଟି ଖିଲାପୀ ଆଇଏଏସ୍ ଅଫିସରମାନଙ୍କ ସମ୍ପର୍କରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)କୁ ଜବାବ ମାଗିଥିଲେ । ଡିଓପିଟି ପକ୍ଷରୁ ପୁନରୁକ୍ତିପୂର୍ଣ୍ଣ ଚିରାଚରିତ ଉତ୍ତର ମିଳିଥିଲା । ସେଥିରେ ବିଭିନ୍ନ ନିୟମର ଉଲ୍ଲେଖ ଥିଲା, ଯଥା- ଅଖିଳ ଭାରତୀୟ ସେବା (ଆଚରଣ) ନିୟମ, ୧୯୬୮ର ରୁଲ୍ ୧୬(୨) ଅନୁଯାୟୀ ପ୍ରତ୍ୟେକ ଲୋକସେବକ ନିଜ ଅସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ପୂର୍ଣ୍ଣ ବିବରଣୀ ଦେବା ଅନିବାର୍ଯ୍ୟ ।
ଲୋକସେବକମାନଙ୍କୁ ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ମିଳିଥାଏ । ତାଛଡା ସ୍ୱଅର୍ଜିତ ସମ୍ପତ୍ତି ନିଜ ନାମରେ ବା ପରିବାରର କୌଣସି ସଦସ୍ୟଙ୍କ ନାମରେ ଅଥବା ଅନ୍ୟ କେହି ବ୍ୟକ୍ତିଙ୍କ ନାମରେ ଥାଏ । ସେ ସବୁର ବିବରଣୀ ସେମାନେ ଦେବା ଆବଶ୍ୟକ । କିନ୍ତୁ ଆଇଏଏସ୍ମାନେ କାହିଁକି ନିଜ ନିଜ ଅସ୍ଥାବର ସମ୍ପତ୍ତି ଲୁଚାଉଛନ୍ତି ସେ ବିଷୟରେ ଡିଓପିଟି ରିପୋର୍ଟରେ କିଛି ଉଲ୍ଲେଖ ନ ଥିଲା ।
ଅନ୍ଲାଇନ୍ରେ ଆଇପିଆର୍ ଦାଖଲ ସୁବିଧା ଡିଓପିଟି ପକ୍ଷରୁ ୧-୪-୨୦୧୫ରୁ ଆରମ୍ଭ କରାଯାଇଥିଲା । କେନ୍ଦ୍ର ସରକାର ଆଇଏଏସ୍ମାନଙ୍କ ପାଇଁ ପ୍ରସ୍ତାବ ସୂଚୀରେ ସାମିଲ ହେବା, ଡେପୁଟେସନ୍ ନିଯୁକ୍ତି ଇତ୍ୟାଦି ଉଦେ୍ଦଶ୍ୟରେ ସତର୍କତା ମଞ୍ଜୁରୀ ନେବା ଅନିବାର୍ଯ୍ୟ କରିଛନ୍ତି । କିନ୍ତୁ ତାହା ବସ୍ତୁତଃ ପ୍ରଭାବୀ ହେଉନାହିଁ ।