ପୁଣି ଶୀର୍ଷରେ ଗୁଜରାଟ

ନବି ମୁମ୍ବାଇ, ୨୩ା୪ (ଏଜେନ୍ସି): ଆନେ୍ଦ୍ର ରସେଲ୍ଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲ୍ରେ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି । ଗୁଜରାଟ ଟାଇଟନ୍ସ ଶନିବାର ସିଜନ୍ର ୩୫ତମ ମ୍ୟାଚ୍ରେ କୋଲକାତାକୁ ୮ ରନ୍ରେ ମାତ୍ ଦେଇଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଜ୍ଜ୍ୱଳ ଅର୍ଦ୍ଧଶତକ ଓ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ରଶିଦ୍ ଖାଁଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଗୁଜରାଟ ପୁଣି ଥରେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚିଛି । ଟିମ୍ର ଏହା ସାତଟିି ମ୍ୟାଚ୍ରୁ ଷଷ୍ଠ ବିଜୟ । ଅନ୍ୟପଟେ, କୋଲକାତା ଆଠଟି ମ୍ୟାଚ୍ରୁ ପଞ୍ଚମ ପରାଜୟ ସହ ସପ୍ତମ ସ୍ଥାନରେ ରହିଛି ।
୧୫୭ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା କୋଲକାତା ଟିମ୍ ୮ ୱିକେଟ୍ ହରାଇ ୧୪୮ ରନ୍ କରିବାକୁ ସମର୍ଥ ହୋଇଥିଲା । ୧୬ ରନ୍ରେ ୩ ୱିକେଟ୍ ହରାଇ ଟିମ୍ ସଙ୍କଟରେ ପଡ଼ିଥିଲା । ସାମ୍ ବିଲିଙ୍ଗ୍ସ (୪) ଓ ସୁନୀଲ ନରିନ୍ (୫)ଙ୍କୁ ମହମ୍ମଦ ଶାମି ଓ ନୀତୀଶ ରାଣା (୨)ଙ୍କୁ ଲୋକୀ ଫର୍ଗୁସନ୍ ପାଭିଲିଅନ୍ ପଠାଇଥିଲେ । ଅଧିନାୟକ ଶ୍ରେୟାସ ଆୟର ମଧ୍ୟ ବେଶୀ ବାଟ ଯାଇ ପାରି ନ ଥିଲେ ଏବଂ ୧୨ ରନ୍ କରି ଯଶ ଦୟାଲ୍ଙ୍କ ଶିକାର ହୋଇଥିଲେ ।
୩୪ ରନ୍ରେ ଚତୁର୍ଥ ୱିକେଟ୍ ପଡ଼ିଥିଲା । ଏହାପରେ ରିଙ୍କୁ ସିଂହ ଓ ଭେଙ୍କଟେଶ ଆୟର ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ପଞ୍ଚମ ୱିକେଟ୍ ପାଇଁ ୪୫ ରନ୍ର ଭାଗୀଦାରୀ ହୋଇଥିଲା । ରିଙ୍କୁ (୩୫) ଯଶଙ୍କ ବଲ୍ରେ ଓ ଭେଙ୍କଟେଶ (୧୭) ରଶିଦଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଶିବମ୍ ମାଭୀ ୨ ରନ୍ କରି ରଶିଦଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୧୦୮ ରନ୍ରେ ୭ ୱିକେଟ୍ ପଡ଼ିବା ପରେ ଟିମ୍ର ଆଶା ମଉଳି ଯାଇଥିଲା । ତେବେ ଆନେ୍ଦ୍ର ରସେଲ୍ ଶେଷ ଓଭର୍ ଯାଏଁ ଲଢ଼େଇ ଅବ୍ୟାହତ ରଖିଥିଲେ, ହେଲେ ମ୍ୟାଚ୍ ବଞ୍ଚାଇ ପାରି ନ ଥିଲେ । ଶେଷ ଓଭର୍ର ଦ୍ୱିତୀୟ ବଲ୍ରେ ଯୋସେଫ୍, ରସେଲ୍ (୨୫ ବଲ୍ରୁ ୪୮ ରନ୍)ଙ୍କୁ ଆଉଟ୍ କରିଥିଲେ । ଉମେଶ ଯାଦବ ୧୫ ଓ ଟିମ୍ ସାଉଦୀ ୧ ରନ୍ କରି ଅପରାଜିତ ଥିଲେ । ଶାମି, ଯଶ ଓ ରଶିଦ ୨ଟି ଲେଖାଏଁ ଏବଂ ଯୋସେଫ୍ ଓ ଫର୍ଗୁସନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ଡ. ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦ୍ୱିତୀୟ ଓଭର୍ର ପ୍ରଥମ ବଲ୍ରେ ଟିମ୍ର ଓପନିଂ ଯୋଡ଼ି ଭାଙ୍ଗିଥିଲା । ଶୁଭମନ ଗିଲ୍ ୭ ରନ୍ କରି ଟିମ୍ ସାଉଦୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟତମ ଓପନର୍ ରିଦ୍ଧିମାନ ସାହା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୭୫ (୫୬ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ସାହା ୨୫ ରନ୍ କରି ଉମେଶ ଯାଦବଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପାଣ୍ଡ୍ୟା ଏହାପରେ ନୂଆ ବ୍ୟାଟର୍ ଡେଭିଡ୍ ମିଲର୍ଙ୍କ ସହ ଇନିଂସ୍କୁ ୧୦୦ ଅତିକ୍ରମ କରାଇବା ସହ ତୃତୀୟ ୱିକେଟ୍ ପାଇଁ ୫୦ ରନ୍ ଯୋଗ କରିଥିଲେ ।
ଇତ୍ୟବସରେ ହାର୍ଦ୍ଦିକ ୩୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆଇପିଏଲ୍ରେ ଏହା ତାଙ୍କର ସପ୍ତମ ଓ ଅଧିନାୟକ ଭାବେ ତୃତୀୟ ଅର୍ଦ୍ଧଶତକ । ପ୍ର୍ରଥମ ଥର ସେ ଲିଗ୍ରେ କ୍ରମାଗତ ତିନି ଅର୍ଦ୍ଧଶତକ ଲଗାଇଥିଲେ । ହାର୍ଦ୍ଦିକ ବ୍ୟକ୍ତିଗତ ୬୭ (୪୯ ବଲ୍ରୁ) ରନ୍ରେ ସାଉଦୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୪ ଚୌକା ଓ ୨ ଛକା ରହିଥିଲା । ଉକ୍ତ ଓଭର୍ରେ ରଶିଦ ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ । ରସେଲ୍ ଶେଷ ଓଭର୍ରେ ଅଭିନବ ମନୋହର (୨), ଫର୍ଗୁସନ୍ (୦), ରାହୁଲ ତେୱାଟିଆ (୧୭) ଓ ଯଶ ଦୟାଲ (୦)ଙ୍କୁ ପାଭିଲିଅନ୍ ପଠାଇଥିଲେ ।
ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଅଲଜାରୀ ଯୋସେଫ ୧ ଓ ଯଶ ଦୟାଲ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *