ଆହୁରି ମହଙ୍ଗା ହେବ ଖାଇବା ତେଲ

ନୂଆଦିଲ୍ଲୀ,୨୩ା୪: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଭାରତୀୟମାନଙ୍କ ଆର୍ଥିକ ବୋଝ ଆହୁରି ଭାରୀ ହେବାକୁ ଯାଉଛି । ଇଣ୍ଡୋନେସିଆ ଆସନ୍ତା ୨୮ ତାରିଖରୁ ପାମ୍ ତେଲ ରପ୍ତାନୀ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ଏବଂ ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ଭାରତରେ ଖାଇବା ତେଲ ଆହୁରି ମହଙ୍ଗା ହେବା ଅନିବାର୍ଯ୍ୟ ।
ଇଣ୍ଡୋନେସିଆ ପୃଥିବୀର ସବୁଠାରୁ ବଡ଼ ପାମ୍ ତେଲ ଉତ୍ପାଦକ ଦେଶ, ଦ୍ୱିତୀୟ ସ୍ଥାନରେ ଅଛି ମାଲେସିଆ । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋ ଶୁକ୍ରବାର ପାମ୍ ତେଲ ରପ୍ତାନୀ ଉପରେ କଟକଣା ଘୋଷଣା କରିଛନ୍ତି । ଭାରତ ବାର୍ଷିକ ପ୍ରାୟ ୯୦ ଲକ୍ଷ ଟନ୍ ପାମ୍ ତେଲ ଆମଦାନୀ କରିଥାଏ । ସେଥିରୁ ୭୦% ଇଣ୍ଡୋନେସିଆରୁ ଅଣାଯାଇଥାଏ । ଅବଶିଷ୍ଟ ୩୦% ତେଲ ମାଲେସିଆରୁ ଆମଦାନୀ କରାଯାଏ । ୨୦୨୦-୨୧ରେ ଭାରତ ୮୩.୧ ଲକ୍ଷ ଟନ୍ ପାମ୍ ତେଲ ଆମଦାନୀ କରିଥିଲା । ବିଶେଷଜ୍ଞମାନଙ୍କ ମତରେ ଇଣ୍ଡୋନେସିଆର କଟକଣା ଫଳରେ ଭାରତର ପାମ୍ ତେଲ ଆମଦାନୀ ଅତ୍ୟନ୍ତ ପ୍ରଭାବିତ ହେବ । ଭାରତକୁ ଏଣିକି ମାଲେସିଆ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ ।
ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଖାଦ୍ୟ ଓ ମୁଦ୍ରାସ୍ପୀତି ଏବେ ରେକର୍ଡ ସ୍ତରକୁ ଯାଇଛି । ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର କଟକଣା କାରଣରୁ କେବଳ ଭାରତ ନୁହେଁ, ପୃଥିବୀବ୍ୟାପୀ ଖାଦ୍ୟ ଓ ମୁଦ୍ରାସ୍ପୀତି ଆହୁରି ବଢ଼ିପାରେ ।
ଏହା ପୂର୍ବରୁ ଜାନୁଆରୀରେ ଇଣ୍ଡୋନେସିଆ ପାମ୍ ତେଲ ରପ୍ତାନୀ ବ୍ୟାନ୍ କରିଥିଲା । ମାର୍ଚ୍ଚରେ ତାହା ହଟିଲା କିନ୍ତୁ ଏଥର ଯେଉଁ ପ୍ରତିବନ୍ଧକ ଇଣ୍ଡୋନେସିଆ ସରକାର ଘୋଷଣା କରିଛନ୍ତି । ସେଥିରୁ ଅନୁମାନ କରାଯାଉଛି ଯେ, କଟକଣା ଅନେକ ଦିନ ଧରି ବଳବତ୍ତର ରହିବ । କାରଣ ନିଜ ଦେଶର ଲୋକଙ୍କୁ ଶସ୍ତାରେ ପାମ୍ ତେଲ ଯୋଗାଇବା ଉଦେ୍ଦଶ୍ୟରେ ରାଷ୍ଟ୍ରପତି ବିଡୋଡୋ କଟକଣା କିଭଳି କାର୍ଯ୍ୟକାରୀ ହେଉଛି ନିଜେ ତାହାର ତଦାରଖ କରିବେ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଭାରତରେ ବେଶ କିଛିମାସ ହେଲା ସୋରିଷ ତେଲ ଦାମ୍ ଖୁବ୍ ଉଚ୍ଚ ସ୍ତରରେ ଅଛି । ଯୁଦ୍ଧ ଯୋଗୁ ସୂର୍ଯ୍ୟମୁଖୀ ତେଲ ଯୋଗାଣ ବ୍ୟାହତ ହେବା ଫଳରେ ଏହାର ଦାମ ମଧ୍ୟ ଆକାଶଛୁଆଁ ହୋଇଛି । ଭାରତ ସରକାର ପାମ୍ ତେଲ ଉତ୍ପାଦନ ଉପରେ କ୍ରମାଗତ ଜୋର ଦେଇ ଆସୁଥିଲେହେଁ ଆମଦାନୀ ଉପରୁ ନିର୍ଭରତା ହ୍ରାସ ପାଉନାହିଁ । ୨୦୨୫-୨୬ ସୁଦ୍ଧା ଦେଶରେ ପାମ୍ ତେଲ ଉତ୍ପାଦନ ୩ଗୁଣ ବଢ଼ାଇବା ଲକ୍ଷ୍ୟ ରଖିଛି ନ୍ୟାସନାଲ୍ ମିଶନ୍ ଅଫ୍ ଏଡିବଲ୍ ଅଏଲ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *