ସିବିଏସ୍ଇ ସିଲାବସ୍ରୁ ହଟିଲା ମୋଗଲ ଅଧ୍ୟାୟ
ନୂଆଦିଲ୍ଲୀ, ୨୩ା୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୨-୨୩ର ନୂଆ ଶିକ୍ଷା ବର୍ଷ ପାଇଁ ଘୋଷଣା କରିଥିବା ପାଠ୍ୟକ୍ରମରୁ ଭାରତରେ ମୋଗଲ୍ ଶାସନ ଓ ଶୀତଳ ଯୁଦ୍ଧ ସମ୍ବନ୍ଧୀୟ ଅଧ୍ୟାୟଗୁଡିକୁ ହଟାଇ ଦିଆଯାଇଛି । ତାହା ସହିତ ପାକିସ୍ତାନୀ ଶାୟର ଫୈଜ ଅହମ୍ମଦ ଫୈଜଙ୍କ ଲେଖାକୁ ମଧ୍ୟ ନୂଆ ପାଠ୍ୟକ୍ରମରୁ ବାଦ୍ ଦିଆଯାଇଛି ।
ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଇତିହାସ ଏବଂ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନେ୍ଦାଳନ, ଶୀତଳ ଯୁଦ୍ଧ, ଆଫ୍ରିକା-ଏସୀୟା ଇଲାକାରେ ଇସ୍ଲାମିକ୍ ସାମ୍ରାଜ୍ୟର ଅଭୁ୍ୟଦୟ, ମୋଗଲ ଦରବାରଗୁଡିକରେ ଇତିହାସ ଓ ଶିଳ୍ପ ବିପ୍ଲବ ସମ୍ବନ୍ଧୀୟ ଅଧ୍ୟାୟ ସବୁକୁ ବାଦ୍ ଦିଆଯାଇଛି । ସେହିପରି ଦଶମ ପାଠ୍ୟକ୍ରମରେ ଥିବା ‘ଖାଦ୍ୟ ସୁରକ୍ଷା’ ଅଧ୍ୟାୟରୁ ‘କୃଷି ଉପରେ ଜଗତୀକରଣର ପ୍ରଭାବ’ ବିଷୟଟିକୁ ଉଠାଇ ଦିଆଯାଇଛି । ତା’ସହିତ ‘ଧର୍ମ, ସାମ୍ପ୍ରଦାୟିକତା ଓ ରାଜନୀତି-ସାମ୍ପ୍ରଦାୟିକତା ଧର୍ମ ନିରପେକ୍ଷ ରାଜ୍ୟ’ ଭାଗରୁ ଅହମ୍ମଦ ଫୈଜଙ୍କ ଦୁଇଟି ଉର୍ଦ୍ଦୁ କବିତାର ଅନୂଦିତ ଅଂଶକୁ ଏଥର ରଖାଯାଇ ନାହିଁ । ପାଠ୍ୟ ବିଷୟରୁ ‘ଲୋକତନ୍ତ୍ର ଓ ବିବିଧତା’ ସମ୍ବନ୍ଧୀୟ ଅଧ୍ୟାୟ ବାଦ୍ ପଡିଛି ।
ନୂଆ ପାଠ୍ୟକ୍ରମରୁ ଏହିସବୁ ବିଷୟ ବା ଅଧ୍ୟାୟକୁ ଲୋପ କରାଯିବାର କାରଣ ସମ୍ପର୍କରେ ସିବିଏସ୍ଇ ଅଧିକାରୀମାନେ କହିଛନ୍ତି ଯେ ପାଠ୍ୟକ୍ରମକୁ ଯୁକ୍ତି ସଙ୍ଗତ କରାଇବା ପ୍ରଧାନ ଲକ୍ଷ୍ୟ । ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି)ଙ୍କ ସୁପାରିସ ଅନୁଯାୟୀ ଏପରି କରାଯାଇଛି ।
ସିବିଏସ୍ଇ ଏହି ପ୍ରଥମ ଥର ପାଇଁ ପାଠ୍ୟକ୍ରମରୁ ବହୁ ବର୍ଷ ହେଲା ଚଳି ଆସିଥିବା ବିଭିନ୍ନ ଅଧ୍ୟାୟ ହଟାଇ ନାହିଁ ।
ପାଠ୍ୟକ୍ରମକୁ ଯୁକ୍ତି ସଙ୍ଗତ କରାଇବାର ତର୍କ ଦେଖାଇ ସିବିଏସ୍ଇ ୨୦୨୦ ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ସଂଘବାଦ, ନାଗରିକତା, ରାଷ୍ଟ୍ରବାଦ ଓ ଧର୍ମନିରପେକ୍ଷତା ସମ୍ବନ୍ଧୀୟ ଅଧ୍ୟାୟଗୁଡିକ ନେଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ କରିନଥିଲା । ଏହାକୁ ନେଇ ବଡ ବିବାଦ ସୃଷ୍ଟି ହୋଇଥିଲା । ପରବର୍ଷ ଅର୍ଥାତ୍ ୨୦୨୧-୨୨ ଶିକ୍ଷାବର୍ଷରେ ସେଗୁଡିକୁ ପୁଣି ପାଠ୍ୟକ୍ରମରେ ସ୍ଥାନ ଦିଆଗଲା ।