ଆଦିବାସୀ ମେଳା ଆରମ୍ଭ

ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦ୍ଘାଟନ କରିଛନ୍ତି । ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହି ନାହିଁ, ଏହା ଏକ ପରମ୍ପରା ହୋଇଯାଇଛି । ଆମ ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆମର ଆଦିବାସୀ ଭାଇଭଉଣୀମାନେ ଯେଉଁ ଜିନିଷ ଉତ୍ପାଦନ କରନ୍ତି, ତା ପାଇଁ ଏହି ମେଳାରେ ଏକ ଭଲ ମାର୍କେଟ ମଧ୍ୟ ସୃଷ୍ଟି ହୋଇଥାଏ । ଜନଜାତିମାନଙ୍କର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । କରୋନା ପାଇଁ ଦୁଇ ବର୍ଷ ପରେ ଆଦିବାସୀ ମେଳା ଆରମ୍ଭ ହୋଇ ଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ମେଳା ହୋଇପାରି ନ ଥିଲା । ଖୁସିର କଥା, ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ମହାମାରୀର ପ୍ରଭାବ କମିଛି । ସାଧାରଣ ଜୀବନଯାତ୍ରା ଆରମ୍ଭ ହୋଇଛି । ତେବେ ଆମ ସମସ୍ତଙ୍କୁ ସାବଧାନ ରହିବାକୁ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ ।
ଉଦ୍ଘାଟନୀ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଏମ୍ସି ମେୟର ସୁଲୋଚନା ଦାସ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଏସ୍ସିଏସ୍ଟିଆର୍ଟିଆଇର ନିଦେ୍ର୍ଦଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା, ବିଭାଗୀୟ ନିଦେ୍ର୍ଦଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି ଆଦିବାସୀ ମେଳା ଓ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଚଳିତ ବର୍ଷ ମୋଟ୍ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ହାଟରେ ବିିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା ହୋଇଛି । ଏଠାରେ ୧୦୪ଟି ଷ୍ଟଲ ରହିଛି । ଆଇଟିଡିଏ ଦ୍ୱାରା ୪୪ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସେମାନଙ୍କର ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରିବେ । ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଆବଣ୍ଟନ କରାଯାଇଛି । ଜାତୀୟ ଜନଜାତି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଆଦିବାସୀ କାରିଗର ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍ମାସ୍ର ୧୫ଟି ଏବଂ ଟିଡିସିସିର ୨ଟି ଷ୍ଟଲରେ ଜନଜାତି ସାମଗ୍ରୀର ଭରପୂର ସମ୍ଭାର ବିକ୍ରୟ ପାଇଁ ଗଚ୍ଛିତ ରହିଛି । ସୂଚନା ଓ ଲୋକସଂପର୍କ ବିଭାଗର ଗୋଟିଏ ଷ୍ଟଲ୍ରେ ଓଡ଼ିଶା ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମ ସହିତ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତିର ଫଟୋଚିତ୍ର ସୁନ୍ଦର ଓ ଚିତ୍ତାକର୍ଷକ ଭାବେ ସ୍ଥାନୀତ ହୋଇଛି । ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ୮ରୁ ୧୦ ଲକ୍ଷ ଦର୍ଶକ ଆସିଥାନ୍ତି । ମେଳାରେ ସନ୍ଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ମେଳା ଚାଲିବ । ପ୍ରତ୍ୟହ ଅପରାହ୍ଣ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ମେଳା ଖୋଲା ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *