ମଣିଷ ବଦଳରେ କାମ କରୁଛି ମେସିନ୍
ଡେଲାଙ୍ଗ(ଆପ୍ର): ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ଅର୍ନ୍ତଗତ ମାଛପଡା ଜେନା ସାହି ଓ ଗୁଆଳିପଡା ପୋତାସାହି ପୋଖରୀ ଖନନ କାର୍ଯ୍ୟ କରାଯାଉଛି । ସେଥିପାଇଁ ପୋଖରୀରୁ ପାଣି ଶୁଖାଯାଇ ଏବେ ଜବକାର୍ଡଧାରୀଙ୍କ ବଦଳରେ ଜେସିବି ମେସିନ ଓ ଟ୍ରାକ୍ଟର ସାହାର୍ଯ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ଏକ ଅଭିଯୋଗ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ସୂଚନାନୁସାରେ, ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଏମଜିଏନଆରଜିଏସ ଯୋଜନାରେ ପୋଖରୀ ଖନନ ପାଇଁ ଅର୍ଥ ମଞ୍ଜୁର ହୋଇଛି । ଜବକାର୍ଡଧାରୀ ଓ ଗାଁ ସାଥି ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ପାଣି ଟିକେ ପାଇବା ପାଇଁ ସମସ୍ତେ ଡହଳ ବିକଳ ହେଉଛନ୍ତି । ଏହି ପୋଖରୀ ପାଣିରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀମାନେ ନିର୍ଭର କରିଥାନ୍ତି । ଦୁଃଖର ବିଷୟ ଗୁଆଳପଡା ପଞ୍ଚାୟତ ଅଧିନସ୍ଥ ଦୁଇଟି ପୋଖରୀରୁ ଜୋର ଜବରଦସ୍ତ ପାଣି ଶୁଖାଯାଇ ଜବକାର୍ଡଧାରୀଙ୍କ ବଦଳରେ ଜେସିବ ମେସିନ ସାହାର୍ଯ୍ୟରେ ନିର୍ମାଣ କାର୍ଯ୍ୟ ହେଉଛି । ସେହି ପୋଖରୀରୁ ବାହାରୁଥିବା ମାଟିକୁ ନିର୍ଦ୍ଧିଷ୍ଟ କେତେକ ଲୋକେ ବିକ୍ରି କରିବା କେତେଦୂର ଠିକ ତାହା ତଦନ୍ତ ସାପେକ୍ଷ ବୋଲି ଗୁଆଳିପଡାର ପୂର୍ବତନ ସରପଞ୍ଚ କାଳନ୍ଦୀ ଚରଣ ଜେନାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ । ପଞ୍ଚାୟତର ଉନ୍ନତି ପାଇଁ ସରକରାଙ୍କ ନିୟମାନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଏକ ପ୍ରଶ୍ନର ଉତ୍ତରରେ ଗୁଆଳିପଡା ସରପଞ୍ଚ ଗିତାଞ୍ଜଳୀ ସ୍ୱାଇଁ ପ୍ରକାଶ କରିଛନ୍ତି ।