ଜୋର ଧରିଲା ତିହିଡ଼ିକୁ ଏନ୍ଏସି ମାନ୍ୟତା ଦାବି
ତିହିଡ଼ି (ଆପ୍ର): ତିହିଡ଼ି ତିନି ନିର୍ବାଚନ ମଣ୍ଡଳୀରେ ବିଭକ୍ତ ହୋଇଗଲା ପରେ ତିହିଡ଼ି ଏବେ ଶ୍ରୀହୀନ ହୋଇପଡ଼ିଛି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭିନ୍ନ ମହଲରେ ଦାବି କରାଗଲାଣି । ଭୋଟ ବ୍ୟାଙ୍କ ହରାଇବା ଭୟରେ ଯଥାର୍ଥ କଥା କହିବାକୁ ବହୁ ନେତା ମଧ୍ୟ ଭୟ କରୁଥିବା ଦେଖାଯାଉଛି । ଫଳରେ ସାମୁହିକ ସ୍ୱାର୍ଥ ନଷ୍ଟ ହେବାରେ ଲାଗିଛି । ତିନି ବିଧାୟକ ନିଜ ନିଜ ଅଞ୍ଚଳ ମଧ୍ୟରେ ସୀମିତ ରହୁଥିବାରୁ ସମଗ୍ର ତିହିଡ଼ିର କଥା ଆଉ ଆଲୋଚନା ହେଉନାହିଁ । ତିହିଡ଼ି ବ୍ଲକ୍ର ସଦରମହକୁମା ଭାଟପଡ଼ା ପଞ୍ଚାୟତ ବାସୁଦେବପୁର ବିଧାନସଭା ଅଧୀନରେ ରହିଥିଲେ ବି ଏହାର ଉନ୍ନତି ପାଇଁ ତିନି ବିଧାୟକଙ୍କର କର୍ତ୍ତବ୍ୟବୋଧ ରହିଛି । ବର୍ଷବର୍ଷ ହେଲା ତିହିଡ଼ି ଡାକବଙ୍ଗଳାର କାହିଁକି ବ୍ୟବହାର ଅଯୋଗ୍ୟ ହୋଇ ପଡ଼ିଛି ତାହାର ଉତ୍ତର ନାହିଁ ।
ତିହିଡ଼ି ବଜାର ଆଜି ଜବର ଦଖଲକାରୀଙ୍କ ଅଧୀନରେ । ବଜାର ପାରି ହେବାପାଇଁ ବହୁ ସମୟ ଅଟକିବାକୁ ପଡ଼ୁଛି । ଦୁର୍ଘଟଣା ମଧ୍ୟ ଘଟୁଛି । ନିକଟରେ ଜଣେ ଯୁବକଙ୍କର ପ୍ରାଣ ମଧ୍ୟ ଗଲା । ଭୋଟବ୍ୟାଙ୍କ ହରାଇବା ଭୟରେ କୌଣସି ଦଳର ନେତା ଏପରି ଏକ ସଂଗୀନ ସମସ୍ୟା ପ୍ରତି ଆଖିବୁଜିଦେବା କେତେଦୂର ଯଥାର୍ଥ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ବ୍ଲକରେ କର୍ମଚାରୀ ନାହାନ୍ତି । ନିଜ ନିଜ ହେଡ୍କ୍ୱାର୍ଟରରେ ରହିବାରୁ ନିୟମ ଥିଲେ ବି କେହି ଅଧିକାରୀ ତିହିଡ଼ିରେ ରହୁନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ବଜାରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସେହିପରି ଆଇନଶୃଙ୍ଖଳା ପରିସ୍ଥିତିର ମଧ୍ୟ ଅବନତି ଘଟିବାରେ ଲାଗିଛି । ତିହିଡ଼ି ବଜାର ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଚୋରି ହେଉଛି । ଡ୍ରଗ୍ସ ଓ ଗଞ୍ଜେଇ ବ୍ୟବସାୟ ମଧ୍ୟ ଚାଲିଛି । ଧାମରା ଚୋରା କୋଇଲା ବ୍ୟବସାୟ ମଧ୍ୟ ଖୁଲମ ଖୋଲା ଚାଲିଛି । ଇଟାଭାଟି ଗୁଡ଼ିକରେ ଧାମରାର ଚୋରା କୋଇଲା । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଏହି କାରଣ ଗୁଡ଼ିକୁ ରୋକା ଯାଇପାରୁନାହିଁ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ତିହିଡ଼ି ସଦରମହକୁମାର ଉନ୍ନତି ପାଇଁ ତୁରନ୍ତ ଏହାକୁ ଏନ୍ଏସି କରିବାକୁ ଦାବି କରାଯାଇଛି ।