ସୁଦୃଢ଼ ହେବ ଶକ୍ତି-ସୁରକ୍ଷା-ପ୍ରତିରକ୍ଷା ସହଭାଗିତା

ମୋଦି-ଜନ୍ସନ୍ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବି୍ରଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ମଧ୍ୟରେ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ ଗସ୍ତର ଦ୍ୱିତୀୟ ଦିନରେ ଜନ୍ସନ୍ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ୍ ହାଉସ୍ରେ ମୋଦିଙ୍କୁ ଭେଟିଛନ୍ତି । ପ୍ରଥମେ ଔପଚାରିକତା ପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ବେଳେ ପରେ ଉଭୟ ନେତା ପ୍ରତିନିଧିସ୍ତରୀୟ ବୈଠକରେ ମଧ୍ୟ ସାମିଲ ହୋଇଥିଲେ । ଆଲୋଚନାରେ ଉଭୟ ନେତା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରେ ସ୍ୱାକ୍ଷର କରିବା ସହ ମିଳିତ ବିବୃତି ମଧ୍ୟ ଜାରି କରିଛନ୍ତି ।
ସଂଯୁକ୍ତ ବୟାନରେ ଉଭୟ ନେତା ଗତ କିଛିବର୍ଷ ଧରି ଭାରତ-ବ୍ରିଟେନ୍ ସମ୍ପର୍କ ଦିନକୁ ଦିନ ମଜବୁତ୍ ହେଉଥିବା ଉଲ୍ଲେଖ କରିଛନ୍ତି । ମୋଦି ନିଜ ବିବୃତିରେ କହିଥିଲେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବା କ୍ଷେତ୍ରରେ ତାଙ୍କ ପ୍ରିୟ ବନ୍ଧୁ ଜନ୍ସନ୍ଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ପ୍ରତି ଭାରତ ସ୍ୱାଧିନତାର ୭୫ବର୍ଷ ପାଳନ କରୁଥିବା ବେଳେ ଜନ୍ସନ୍ଙ୍କ ଭାରତ ଗସ୍ତକୁ ଐତିହାସିକ ଦର୍ଶାଇଛନ୍ତି ମୋଦି । ସେହିପରି ଜନ୍ସନ୍ ନିଜ ବିବୃତିରେ କହିଥିଲେ ଯେ, ମୋଦି ତାଙ୍କର ଖାସ୍ ବନ୍ଧୁ । ମୋଦିଙ୍କୁ ସାକ୍ଷାତ କରିବା ପାଇଁ ସେ ବେଶ୍ ଉଚ୍ଛୁକ ହୋଇପଡିଥିଲେ । ଆଜି ଯେତେବେଳେ ସମଗ୍ର ବିଶ୍ୱ ଯୁଦ୍ଧପ୍ରବୃତ୍ତି ଧାରଣ କରିଛି ସେତେବେଳେ ଭାରତ ଏବଂ ବ୍ରିଟେନ୍ ନିଜ ଶାନ୍ତିପ୍ରିୟ ନୀତିରେ ଅତୁଟ ରହିଛନ୍ତି । ଏହି ଅବସରରେ ସେ ଭାରତୀୟ ମେଡ଼ିସିନ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । କରୋନା କାଳରେ ଭାରତ ଅନ୍ୟ ଦେଶଗୁୂଡ଼ିକୁ ବଢ଼ାଇଥିବା ସହଯୋଗର ହାତକୁ ମଧ୍ୟ ଜନ୍ସନ୍ ବେଶ୍ ତାରିଫ୍ କରିଛନ୍ତି । ଭାରତରେ ପ୍ରସ୍ତୁତ କରୋନା ଟିକା ଯୋଗୁ ବ୍ରିଟେନ୍ରେ ଅନେକ ନାଗରିକ (ସେ ନିଜେ ମଧ୍ୟ) କରୋନା ସଂକ୍ରମଣରୁ ରକ୍ଷା ପାଇପାରିଛନ୍ତି ବୋଲି ଜନ୍ସନ୍ କହିଛନ୍ତି । ଏହି ଅବସରରେ ଉଭୟ ନେତା ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ନିଜ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ମୋଦି କହିଥିଲେ ସେ ଯୁଦ୍ଧ ପ୍ରସଙ୍ଗରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭି.ଜେଲେନ୍ସ୍କିଙ୍କ ସହ ଏକାଧିକ ବାର ଆଲୋଚନା କରିସାରିଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ସେ ଉଭୟ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିସାରିଛନ୍ତି । ଏସମ୍ପର୍କରେ ଅବଗତ ହେବା ପରେ ଜନ୍ସନ୍, ମୋଦିଙ୍କ ନୀତିକୁ ବେଶ୍ ତାରିଫ୍ କରିଥିଲେ । ଜନ୍ସନ୍ ନିଜ ବୟାନ୍ରେ କହିଥିଲେ ଭାରତ ନିଜ ବନ୍ଧୁ ରାଷ୍ଟ୍ର ରୁଷ୍ ସହ ସମ୍ପର୍କ ଖରାପ ନକରିବାଜନିତ କୂଟନୀତିକୁ ବ୍ରିଟେନ୍ ବୁଝିପାରୁଛି । ଏହା ସ୍ୱାଗତଯୋଗ୍ୟ ମଧ୍ୟ । ଭାରତ ଉଭୟ ପକ୍ଷଙ୍କୁ ଯୁଦ୍ଧ ବିରତ ପାଇଁ ଆଲୋଚନା ପ୍ରସ୍ତାବ ଦେବା ଭାରତର ବିଶ୍ୱ ଶାନ୍ତି ନୀତିକୁ ପ୍ରତିଫଳିତ କରିଛି ।
ଦୁଇ ଦେଶ ମଧ୍ୟରେ ଜଳବାୟୁ, ପ୍ରତିରକ୍ଷା ଏବଂ ଅକ୍ଷୟ ଶକ୍ତି ସହଭାଗୀତାକୁ ଆହୁରି ଅଧିକ ସୁଦୃଢ଼ କରିବା ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇଛି । ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ନିଯୁକ୍ତି ହାର ବୃଦ୍ଧି ଏବଂ ସର୍ବୋପରି ମୁକ୍ତ ବାଣିଜ୍ୟ ଭଳି ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଜନ୍ସନ୍ ନିଜ ବିବୃତିରେ ଜଳ, ସ୍ଥଳ, ଆକାଶ, ମହାକାଶ ଏବଂ ସାଇବର (ଡିଜିଟାଲ) କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ବିପଦ ଦିଗରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଦୁଇ ଦେଶ ଚିନ୍ତା କରୁଥିବା କହିଛନ୍ତି । ଭାରତ ସହ ମିଳିତ ଭାବେ ବି୍ରଟେନ୍ ନିର୍ଦ୍ଦିଷ୍ଟ ସୁରକ୍ଷା ପ୍ରକଳ୍ପ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବ । ଏଥିରେ ନୂଆ ଲଢ଼ୁଆ ଜେଟ୍ ବିମାନ ଟେକ୍ନୋଲୋଜି, ହେଲିକପ୍ଟର ଏବଂ ସାମୁଦ୍ରିକ ଯୁଦ୍ଧ ସରଞ୍ଜାମ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯିବ ।
ରାଷ୍ଟ୍ରପତି ଭବନରେ ପହଞ୍ଚôବା ପରେ ବି୍ରଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ଼ ଅଫ୍ ଅନ୍ର ପ୍ରଦାନ କରାଯାଇଥିଲା । ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କୁ ପାଛୋଟି ନେଇଥିଲେ । ଏପ୍ରକାର ସମ୍ବର୍ଦ୍ଧନାରେ ଆପ୍ୟାୟିତ ହୋଇ ଜନ୍ସନ୍ ନିଜକୁ ସଚିନ୍ ତେନ୍ଦୁଲକର କିମ୍ବା ଅମିତାଭ ବଚ୍ଚନଙ୍କ ପରି ମନେ କରୁଥିବା କହିଥିଲେ । ପରେ ପରେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇଦିନିଆ ଭାରତ ଗସ୍ତରେ ଆସି ଗତକାଲି ଗୁଜରାଟରେ ପହଞ୍ଚôଥିଲେ ଏବଂ ସାବରମତୀ ଆଶ୍ରମ ପରିଦର୍ଶନ ସହ ଶିଳ୍ପପତି ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ସାକ୍ଷାତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *