ଗୁଜବକାରୀଙ୍କ ଉପରେ କଡ଼ା ନଜର

ମାଟ୍ରିକ୍, +୨ ପରୀକ୍ଷା ପ୍ରସ୍ତୁତି
ଭୁବନେଶ୍ୱର,୨୨ା୪(ବୁ୍ୟରୋ): ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ୍ ଏବଂ +୨ ପରୀକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
ସମୀକ୍ଷାରୁ ଜଣାପଡିଥିଲା ଯେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ ମେ’ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି +୨ ପରୀକ୍ଷା ଏପ୍ରିଲ୍ ୨୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରେ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, କେନ୍ଦ୍ରରେ ପରୀକ୍ଷା ସଞ୍ଚାଳନ, ଉତ୍ତର ଖାତା ଗୁଡିକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଏବଂ ମୂଲ୍ୟାୟନ ଆଦି ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ ଯୋଗାଇବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ନିଜ ଜିଲ୍ଲାର ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ କେତେକ କ୍ଲଷ୍ଟରରେ ସଂଗଠିତ କରି ଜଣେ ଜଣେ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ପ୍ରତି ସେକ୍ଟରରେ ସମୁଦାୟ ପରୀକ୍ଷା ପରିଚାଳନାରେ ଭାଗ ନେବା ପାଇଁ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ପରୀକ୍ଷାଗତ ଆଇନଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟରୱାରୀ ଆବଶ୍ୟକୀୟ ପୁଲିସ ଏବଂ ଗାଡି ଆଦି ମୁତୟନ କରିବାକୁ ମଧ୍ୟ ମୁଖ୍ୟ ସଚିବ ଏସ୍ପିମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଶେଷତଃ ସୋସିଆଲ୍ ମିଡିଆ ମାଧ୍ୟମରେ ରାତାରାତି ଧନୀ ହେବା ପାଇଁ ନକଲି ପ୍ରଶ୍ନପତ୍ର ସଂଚାର କରୁଥିବା ବ୍ୟକ୍ତି ଏବଂ ପ୍ରଶ୍ନପତ୍ର ବା ଉତ୍ତର ଖାତା ଆଦି ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ମୁଖ୍ୟ ସଚିବ ଏସ୍ପିମାନଙ୍କୁ ପରାମର୍ଶ ଦେଇଥିଲେ । ଏପରି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ପ୍ରତି ନୋଡାଲ୍ ସେଣ୍ଟରରେ ସିସିଟିଭି ନିରୀକ୍ଷଣ ସହ କଡ଼ା ନିରାପତ୍ତା ବ୍ୟବସ୍ଥା କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ ।
ପ୍ରମୁଖ ସଚିବ ଶ୍ରୀ ସେଠୀ କହିଥିଲେ ଯେ ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ । ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ଟି କେନ୍ଦ୍ର ଏବଂ ୩୧୫ଟି ନୋଡାଲ୍ କେନ୍ଦ୍ର କରାଯାଇଛି । ଚଳିତ ବର୍ଷ ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ ଉଚ୍ଚ ମାଧ୍ୟମିକ (+୨) ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ପରୀକ୍ଷା ନିମନ୍ତେ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି । ମୁଖ୍ୟତଃ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରମୁଖ ସଚିବ ଶ୍ରୀ ସେଠୀ କହିଥିଲେ । ଇତି ମଧ୍ୟରେ ନୋଡାଲ୍ ସେଣ୍ଟରମାନଙ୍କୁ ପ୍ରଶ୍ନ ଓ ଉତ୍ତରଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀକ୍ଷା କେନ୍ଦ୍ରରେ ଯେପରି ଛାତ୍ରଛାତ୍ରୀମାନେ ସୁବିଧାରେ ପରୀକ୍ଷା ଦେଇପାରିବେ ସେଥିପାଇଁ ଆବଶ୍ୟକୀୟ ଆୟୋଜନ କରାଯାଉଛି । ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ ଆର୍.କେ. ଶର୍ମା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଓଡ଼ିଶା ମାଧ୍ୟମିକ ପରିଷଦ ସଭାପତି ରମାଶିଷ ହାଜରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *