ସହର ସାରା ଜାଇକାର ମରଣ ଯନ୍ତା

କଟକ (ବୁ୍ୟରୋ): ମହାମାରୀ ଗ୍ରାସ କରିବା ଭଳି ଦୀର୍ଘ ଦିନ ଧରି କଟକକୁ ଗ୍ରାସ କରିଚାଲିଛି ଜାଇକା ପ୍ରୋଜେକ୍ଟ । ଜାଇକାର ବେପରୁଆ କାର୍ଯ୍ୟକୁ ନେଇ ସହରବାସୀ ଅତିଷ୍ଠ ହୋଇ ପଡିଥିବାବେଳେ ପ୍ରତି ମୁହୂର୍ତ୍ତରେ ସାଧାରଣ ଲୋକଙ୍କ ମନରେ ଜାଇକାର ଖାମଖିଆଲୀ ମନୋଭାବ ନେଇ ଜୀବନ ପ୍ରତି ଭୟ ରହୁଛି । ବିଗତ ଦିନରେ ଜାଇକାର ଏଭଳି କାର୍ଯ୍ୟରେ ନିରୀହ ଲୋକଙ୍କ ଜୀବନ ହାନି ହୋଇଥିବାବେଳେ ସହରର ଅନେକ ସ୍ଥାନରେ କାର୍ଯ୍ୟ ଶେଷପରେ ମଧ୍ୟ ଜାଇକା ଲୋକଙ୍କ ପାଇଁ ମରଣ ଯନ୍ତା ବସାଇଛି । କିଛି ଦିନ ତଳେ କଟକ ୨୭ନଂ ୱାର୍ଡ ରାଉସାପାଟଣାରେ ଜାଇକା କାର୍ଯ୍ୟ ଶେଷ ହୋଇଥିଲା । ମାତ୍ର କାର୍ଯ୍ୟ ଶେଷପରେ ଯେଉଁ ନିମ୍ନମାନର କାର୍ଯ୍ୟ ହୋଇଛି ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟ ଶେଷ ହେବାପରେ ସଠିକ ରୂପେ ଉକ୍ତ ସ୍ଥାନରେ ବାଲି ଫିଲିଂ ହୋଇନାହିଁ । ଯେଉଁଥିପାଇଁ ଚଳିତ ବର୍ଷ ବାସନ୍ତୀ ଦୁର୍ଗା ଭଷାଣି ସମୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଚ୍ୟାମ୍ବର ନିକଟରେ ରାସ୍ତା ଧସି ଯାଇଥିଲା । ଯାହାଫଳରେ ଉକ୍ତ ସ୍ଥାନରେ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ରାସ୍ତା ଉପରେ ଯେଉଁଭଳି ଖାଲ ସୃଷ୍ଟି ହୋଇଛି ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳବାସୀ ସଂକଟ ଘେରରେ ରହିଛନ୍ତି ।
ଦୈନନ୍ଦିନ ଉକ୍ତ ରାସ୍ତାରେ ଅନେକ ବ୍ୟକ୍ତି ଯାତାୟାତ କରୁଥିବାବେଳେ ବହୁ ଛୋଟଛୋଟ ପିଲାଙ୍କ ସମେତ ବରିଷ୍ଠ ନାଗରିକ ମଧ୍ୟ ଯାତାୟାତ କରିଥାନ୍ତି । ଏଭଳି ସ୍ଥିତିରେ ଯଦି ଏହାକୁ ନେଇ କୌଣସି ଅଘଟଣ ଘଟେ ତେବେ ଏଥିପାଇଁ ଦାୟୀ କିଏ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ସୂଚନାଯୋଗ୍ୟ, ରାଉସାପାଟଣା ୨୭ ନମ୍ବର ୱାର୍ଡରେ ଯାଉଥିବା ବେଳେ ମେରିଆ ବଜାର ୨୨ ନମ୍ବର ୱାର୍ଡରେ ଯାଉଛି । ଏହି ଦୁଇଟି ୱାର୍ଡର ସଂଯୋଗସ୍ଥାନ ରାସ୍ତାରେ ଅର୍ଥାତ ରାଉସାପାଟଣା ଓ ମେରିଆବଜାର ଛକରେ ଜାଇକା ଏକ ବଡ଼ ଗାତ କରିଥିଲା । ତେବେ ଜାଇକାର କାମ ସରିଥିବା ବେଳେ ଆଜି ପର୍ଯ୍ୟନ୍ତ ରାଉସାପାଟଣା ଓ ମେରିଆବଜାର ଛକରୁ ନିମସାହି ଦେଇ ନନ୍ଦିସାହି ଛକ ପର୍ଯ୍ୟନ୍ତ ଖୋଳା ହୋଇଥିବା ରାସ୍ତାର ମରାମତି କରାଯାଉନାହିଁ । ଫଳରେ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ପଡ଼ିରହିଥିବା ବେଳେ କାଦୁଅ ଆଉ ଗାତରେ ପଡ଼ି ଆହତ ହେଉଛନ୍ତି । ଖାଲି ସେତିକି ନୁହେଁ ବରଂ ଅନେକ ଗାଡ଼ି ମଧ୍ୟ ଉକ୍ତ ଗାତରେ ପଡ଼ି ଭାଙ୍ଗିଯାଇଛି । ସ୍ଥାନୀୟ ଜଳ ପ୍ରତିନିଧି ଏଥିପ୍ରତି ନଜର ଦେଉଛନ୍ତି ନା ଜାଇକା କିମ୍ବା ସିଏମସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉଛନ୍ତି । ଏହାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *