ବାରବାଟୀକୁ ଫେରିଲା ଟି-୨ଠ
ଜୁନ୍ ୧୨ରେ ଭାରତ-ଦ.ଆଫ୍ରିକା ମ୍ୟାଚ୍
କଟକ,୨୨ ।୪ (ବୁ୍ୟରୋ): ଓଡ଼ିଶା କ୍ରିକେଟ୍ପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର । ଜୁନ୍ ମାସ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ । ଶୁକ୍ରବାର ଏଥିନେଇ ସନ୍ଧ୍ୟାରେ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଂପାଦକ ସଞ୍ଜୟ ବେହେରା ।
ପୂର୍ବରୁ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର କରାଯାଇଥିଲା । କରୋନା ମହାମାରୀ ଯୋଗୁଁ ବାରବାଟୀରେ ଏହି ଟି-୨୦ ମ୍ୟାଚ୍ ଖେଳାଯାଇ ପାରି ନ ଥିଲା । ଏହାପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତିକ ସିରିଜ୍ ପାଇଁ ବିସିସିଆଇ ଆୟୋଜନ ସ୍ଥଳ ଘୋଷଣା କରିଛି । ଏହି ଟି-୨୦ ସିରିଜ୍ କଟକ ଛଡ଼ା ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ୍ ଏବଂ ଚେନ୍ନାଇରେ ଖେଳାଯିବ । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ଟି ବାରବାଟୀରେ ଖେଳାଯିବ ବୋଲି ସୂଚନା ମିଳିଛି । ଓସିଏ ପକ୍ଷରୁ ଶୁକ୍ରବାର ଏହି ମ୍ୟାଚ୍ର ତାରିଖ ଘୋଷଣା କରାଯାଇଛି ।
ଉଲ୍ଲେଖଯୋଗ୍ୟ, ବାରବାଟୀରେ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା । କରୋନା ଭୂତାଣୁ ଜନିତ ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କ୍ରୀଡ଼ାସୂଚୀରେ ପରିବର୍ତ୍ତନ କରିଥିଲେ । ଦିନିକିଆ ସିରିଜ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଏବଂ ଟି-୨୦ ସିରିଜ୍ କୋଲକାତାର ଇଡେନ୍ ଗାଡେନ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା ।