୨୯ରୁ ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ ପଶ୍ଚିମ ଦ୍ୱାର
ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ (ବୁ୍ୟରୋ): ଆଗକୁ ଭକ୍ତଙ୍କ ଲାଗି ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ କାଳିଆ ଦର୍ଶନ । ଏଣିକି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆସନ୍ତା ୨୯ରୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଖୋଲା ରହିବ । ପୂର୍ବରୁ ଶ୍ରଦ୍ଧାଳୁ କେବଳ ପୂର୍ବ ଦ୍ୱାର ଦେଇ ପ୍ରବେଶ କରୁଥିଲେ । ପଶ୍ଚିମଦ୍ୱାର ଦେଇ କେବଳ ସେବାୟତଙ୍କ ପରିବାର ସଦସ୍ୟ ଓ ପୁରୀ ସହରବାସୀଙ୍କୁ ଭିତରକୁ ପ୍ରବେଶ କରୁଥିଲେ । ଏବେ ପଶ୍ଚିମଦ୍ୱାର ଦେଇ ସମସ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ବୈଠକରେ ମୋହର ଲାଗିଛି । ଏଭଳି ନିଷ୍ପତ୍ତିକୁ ସବୁଭକ୍ତଙ୍କ ମହଲରେ ସ୍ୱାଗତ କରାଯାଇଛି ।
ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଲାଗି ନୀତିନିର୍ଘଣ୍ଟ ହୋଇଛି । ଚନ୍ଦନ ଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ଥିବା ସେଡ୍ ଖୋଲାଯିବ । ଏହି ସେଡ୍ ଖୋଲାଯାଇ ଶ୍ରଦ୍ଧାଳୁଙ୍କ ନିମନ୍ତେ ପଶ୍ଚିମଦ୍ୱାରରେ ନିର୍ମାଣ କରାଯିବ । ତତ୍ସହିତ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହେବେ ବୋଲି ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ କରାଯିବ ବୋଲି ଶୁକ୍ରବାର ସ୍ଥାନୀୟ ନୀଳାଦି୍ର ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଛି ।
ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୨୩୭ କୋଟି ୫୮ ଲକ୍ଷ ଟଙ୍କା ବଳକା ବଜେଟ୍ ଆଗତ ହୋଇଛି । ଚଳିତବର୍ଷ ୩୩ କୋଟି ୬୨ ଲକ୍ଷ ଟଙ୍କାର ବଳକା ବଜେଟ ପ୍ରସ୍ତୁତ ହୋଇଛି । ଏନେଇ ଆସନ୍ତା ୨୫ରେ ବସିବାକୁ ଥିବା ବୈଠକରେ ମୋହର ଲଗାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପ୍ି କନୱାର ବିଶାଲ ସିଂହ, ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।