ରାସ୍ତା ତାଡ଼ି ଦେଲେ ଠିକାଦାର
ବନ୍ତ (ଆପ୍ର): ବନ୍ତ ବ୍ଲକ୍ ଓଡ଼ଙ୍ଗ ପଞ୍ଚାୟତ ଅଧୀନ ଓଡ଼ଙ୍ଗ ଠାରୁ ଭରସିଂପୁର ଭାୟା ମହିଶଡ଼ିହା, ସାହାଡ଼ାଗଢ଼ିଆ, ସୁଆଁପଦା ରାସ୍ତା ନିର୍ମାଣ ବେଳେ ସଂପୃକ୍ତ ଠିକାଦାର କାମ ନ କରି ରାସ୍ତା ତାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୮.୮୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୮ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଦେଖାଯାଇଛି । କାମ ନ କରି ରାସ୍ତା ତାଡ଼ି ଦେବା ଫଳରେ ସାଧାରଣ ଲୋକେ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି । ଏନେଇ ଗ୍ରାମବାସୀ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ପରେ ମଧ୍ୟ କେହି ଶୁଣୁ ନାହାନ୍ତି । କେଉଁଠି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି ତ କେଉଁଠି ପୁରୁଣା ପକ୍କା ରାସ୍ତା ତାଡ଼ି ଦେବା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ବିଶେଷକରି ବାରିକ ସାହି, ମଳିକ ସାହି, ଜେନା ସାହି, ଦାସ ସାହିର ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଲୋକ ଯାତାୟାତ କରି ପାରୁନାହାନ୍ତି । ଉକ୍ତ ରାସ୍ତାକୁ ପ୍ରାୟ ୧୦ ଦିନରୁ ଅଧିକ ହେବ ତାଡ଼ି ଦେବା ପରେ ଏପର୍ଯ୍ୟନ୍ତ କାମ ନ ହେବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ୨୦୨୧ ମସିହା ଡିସେମ୍ବର ୨୧ରୁ ଆରମ୍ଭ ହୋଇ ୨୦୨୨ ମସିହା ଫେବ୍ରୁଆରୀ ୨୦ରେ ଶେଷ ହେବା କଥା । ହେଲେ କାର୍ଯ୍ୟର ଅଗ୍ରଗତି ଠିକ୍ ଭାବେ ହୋଇପାରୁନାହିଁ । ଏହି ରାସ୍ତା କାର୍ଯ୍ୟକୁ ସଠିକ୍ ଭାବେ କରିବା ସହିତ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।