୭%ରେ ସୀମିତ ରହିବ ଜିଡିପି
ନୂଆଦିଲ୍ଲୀ,୨୨ ।୪: ଉକ୍ରଟ ମହଙ୍ଗା ପରିସ୍ଥିତି ଯୋଗୁ କେବଳ ଦେଶର ସାଧାରଣ ଜନତା ଆର୍ଥିକ ଚାପରେ ଭାରାକ୍ରାନ୍ତ ହେଉଁନାହାନ୍ତି, ଦେଶର ବିକାଶରେ ମଧ୍ୟ ବିରାଟ ବାଧା ଉପୁଜିଛି । ଅଶୋଧିତ ପେଟ୍ରୋଲିୟମ୍ ଓ ଅନ୍ୟାନ୍ୟ ସାମଗ୍ରୀର ଆନ୍ତର୍ଜାତିକ ବଜାର ଦର ଆକାଶ ଛୁଅାଁ ହେବା ଯୋଗୁ ଆଗାମୀ ଦିନରେ ମହଙ୍ଗା ଆହୁରି ଅଧିକ ହେବା ଆଶଙ୍କା ପ୍ରକାଶ ପାଇଛି । ଏହାଦ୍ୱାରା ଚାହିଦା ମଧ୍ୟ କମିବ । ଏହି ଦୁଇ କାରଣରୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ ୟୁବିଏସ୍ ପୂର୍ବାନୁମାନ କରିଛି । ୟୁବିଏସ୍ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ୭ରେ ସୀମିତ ରହିବ ବୋଲି କହିଛି । ଏହା ପୂର୍ବରୁ ୟୁବିଏସ୍ ଭାରତର ଅଭିବୃଦ୍ଧି ହାର ୭.୭ ପ୍ରତିଶତ ହେବା ଅନୁମାନ କରିଥିଲା ।
ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ବିଶ୍ୱସ୍ତରରେ ପରିସ୍ଥିତି ଚିନ୍ତାଜନକ ରଇଛି । ଏହି କାରଣରୁ ବିଶ୍ୱବ୍ୟାଙ୍କ, ଆଇଏମ୍ଏଫ୍, ଏଡିବି ସମେତ ସମସ୍ତ ବିତ୍ତିୟ ସଂସ୍ଥା ଭାରତର ବିକାଶ ହାର ସମ୍ବନ୍ଧୀୟ ନିଜ ନିଜ ପୂର୍ବାନୁମାନ କମାଇଛନ୍ତି । ୟୁବିଏସ୍ ଦ୍ୱାରା ସଦ୍ୟ ଆକଳିତ ୭% ଜିଡିପି ଅଭିବୃଦ୍ଧି ସବୁଠାରୁ କମ୍ । ଏହା ପୂର୍ବରୁ ଚଳିତ ମାସରେ ରିଜର୍ଭ ବ୍ୟାଙ୍କ ସମସ୍ତଙ୍କୁ ଚମକାଇ ଦେଇ ଦେଶର ବିକାଶ ହାର ଅନୁମାନକୁ ୭.୨%କୁ କମାଇ ଦେଇଥିଲା । ଏବେ ୟୁବିଏସ୍ ରିପୋର୍ଟରେ କୁହାଯାଇଛି ଯେ, ମହଙ୍ଗା ବଢ଼ିବା ଯୋଗୁ ଭାରତର ଘରୋଇ ଚାହିଦା କମିବ ଏବଂ ତା’ ସହିତ ଲୋକଙ୍କ କ୍ରୟଶକ୍ତି ମଧ୍ୟ ପ୍ରଭାବିତ ହେବ ।
ୟୁବିଏସ୍ ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ଇଲାକାରେ ମହଙ୍ଗାର ଚାପ ସ୍ପଷ୍ଟ ଦେଖାଯାଉଛି । ତାହା ଦେଶର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଛି । ୟୁବିଏସ୍ ୨୦୨୨-୨୩ରେ ଖୁଚୁରା ମହଙ୍ଗା ହାର ୬.୨% ରହିବ ବୋଲି ଆକଳନ କରିଛି । ମହଙ୍ଗା ସ୍ଥିତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଜୁନ୍ରେ ରେପୋରେଟ୍ ବଢ଼ାଇ ପାରେ । ଏହାଦ୍ୱାରା ଋଣ ଆହୁରି ମହଙ୍ଗା ହେବ । ଆର୍ଥିକ ବର୍ଷ ଶେଷ ସୁଦ୍ଧା ରେପୋ ରେଟ୍ରେ ଏକ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କହିଛି ୟୁବିଏସ୍ ।