୮ ବର୍ଷରେ ୪ଠଠଠ ଆତ୍ମହତ୍ୟା
ବିଦେଶରେ ଭାରତୀୟଙ୍କ ସ୍ଥିତି ଉଦ୍ବେଗଜନକ
ନୂଆଦିଲ୍ଲୀ (ଏଜେନ୍ସି): ଅର୍ଥ ରୋଜଗାର ପାଇଁ ହେଉ କିମ୍ବା ଅନ୍ୟ କିଛି କାରଣ, ଅସୁମାରୀ ସ୍ୱପ୍ନ ନେଇ ପ୍ରତ୍ୟେକ ବର୍ଷ ଶହ ଶହ ସଂଖ୍ୟକ ଭାରତୀୟ ନାଗରିକ ବିଦେଶ ଚାଲିଯାଉଛନ୍ତି । ଦେଖଣାହାରୀଙ୍କୁ ଲାଗେ ସେମାନେ ସେଠାରେ ପ୍ରଚୁର ଅର୍ଥ ରୋଜଗାର କରୁଥିବେ ଏବଂ ଖୁସିରେ ବା ଭଲରେ ରହୁଥିବେ । କିନ୍ତୁ ବାସ୍ତବତା ତାହା ନୁହେଁ । ବିଦେଶ ଯାଉଥିବା ବ୍ୟକ୍ତିଙ୍କୁୂ ସେଠାରେ କେଉଁ କେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି, ଘର ପରିବାର ଠାରୁ ଏତେ ଦୂରକୁ ଚାଲିଯିବା ପରେ ସେମାନଙ୍କ ମନ ମସ୍ତିଷ୍କ କିପରି ପ୍ରଭାବିତ ହେଉଛି, ଏବଂ ପରିସ୍ଥିତି ସେମାନଙ୍କୁ କିପରି ଏକ ଚରମ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଦେଉଛି, ସେସମ୍ପର୍କରେ ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ରିପୋର୍ଟ ଏବେ ସାମ୍ନାକୁ ଆସିଛି ।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଗତ ୮ବର୍ଷ ମଧ୍ୟରେ ବିଦେଶରେ ମୋଟ୍ ୪ଠଠ୫ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି । ବିଶେଷକରି ଗଲ୍ଫ ଦେଶ (ଉପସାଗରୀୟ ରାଷ୍ଟ୍ର)ରେ ଭାରତୀୟଙ୍କ ଆତ୍ମହତ୍ୟା ମାମଲା ସର୍ବାଧିକ ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି । ପରିସଂଖ୍ୟାନ ଅନୁଯାୟୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସର୍ବାଧିକ ଭାରତୀୟ ଆତ୍ମହତ୍ୟା କରିଛନ୍ତି । ଗତ ୮ବର୍ଷ ମଧ୍ୟରେ ୟୁଏଇରେ ମୋଟ୍ ୧୧୨୨ଜଣ, ସାଉଦିଆରବରେ ୧ଠ୨୪ଜଣ, କୁଏତ୍ରେ ୪୨୫ ଜଣ, ଓମାନରେ ୩୫୧ଜଣ, ମାଲେସିଆରେ ୨୫୪ ଜଣ, ବାହାରିନ୍ରେ ୧୮ଠ ଜଣ, କତାରରେ ୧୬୫ଜଣ, ସିଙ୍ଗାପୁରରେ ୧୫୯ଜଣ ଆତ୍ମହତ୍ୟା କରିଛନ୍ତି । ସେହିପରି ଏହି ସମୟ ସୁଦ୍ଧା ଇଟାଲୀରେ ୬୫ଜଣ, ଅଷ୍ଟ୍ରେଲିଆରେ ୩୩ ଜଣ, କାନାଡାରେ ୩ଠଜଣ, ଆମେରିକାରେ ୧୯ ଜଣ, ଫିଲିପାଇନ୍ସରେ ୧୫ ଜଣ, ନାଇଜେରିଆରେ ୧୨ଜଣ, ଶ୍ରୀଲଙ୍କାରେ ୧୧ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି ।
ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁୂସାରେ ଅଧିକାଂଶ ଆତ୍ମହତ୍ୟା ମାମଲାରେ ବ୍ୟକ୍ତିଗତ ଏବଂ ପାରିବାରିକ ଅସନ୍ତୋଷ ମୁଖ୍ୟ କାରଣ ରହିଥିବା ଜଣାପଡିଛି । ବିଦେଶରେ ଭାରତୀୟମାନେ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଅସୁବିଧାଗୁଡ଼ିକର ସମାଧାନ ପାଇଁ ଭାରତୀୟ ଦୂତାବାସର ଅଧିକାରୀମାନେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ସତ୍ତ୍ୱେ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଲୋକସଭାରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ ମଧ୍ୟ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଦେଶ ମନ୍ତ୍ରଣାଳୟ ଏବଂ ସରକାରଙ୍କ ମିଶନ ପୋଷ୍ଟରେ ଭାରତୀୟ ନାଗରିକଙ୍କ କଲ୍ୟାଣକୁ ଉଚ୍ଚ ପ୍ରାଥମିକତା ଦିଆଯାଉଛି ।