୨ଠ୨୪ ପାଇଁ ବିଜେଡିର ପାଗଭିଡ଼ା

ଭୁବନେଶ୍ୱର,୨୨ା୪(ବୁ୍ୟରୋ): ତ୍ରିସ୍ତରୀୟ ପଞ୍ଚାୟତ ଓ ପୌରସଂସ୍ଥା ନିର୍ବାଚନରେ ବିପୁଳ ସଫଳତା ପରେ ୨ଠ୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପାଗ ଭିଡ଼ିବା ଆରମ୍ଭ କରିଛି । ଫୋକସ୍ରେ ରହିଛି ସାଂଗଠନିକ ଶକ୍ତିକୁ ଆହୁରି କିପରି ମଜଭୁତ କରାଯାଇ ଲୋକଙ୍କ ପାଖରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପହଞ୍ଚାଯିବ । ସାଧାରଣ ନିର୍ବାଚନକୁ ଆହୁରି ୨ ବର୍ଷ ବାକି ଥିବାବେଳେ ଏବେଠୁ ତୃଣମୂଳସ୍ତରରେ ବିଜେଡିର ସଂଗଠନ କିପରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିବ, ତାକୁ ଫୋକସ୍ କରାଯାଉଛି ।
ମିଳିଥିବା ସୂଚନାନୁସାରେ, ଶନିବାର ଠାରୁ ତିନିଦିନ ବ୍ୟାପୀ ସବୁ ସାଂଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ନବୀନ ନିବାସରେ ପ୍ରତିଦିନ ୧ଠରୁ ୧୧ ଜିଲ୍ଲା ପର୍ଯ୍ୟବେକ୍ଷକ ସହ ନବୀନ ଆଲୋଚନା କରିବେ । ସକାଳୁ ସନ୍ଧ୍ୟା ମଧ୍ୟରେ ବିଭିନ୍ନ ସମୟରେ ୨ରୁ ୩ ଲେଖାଏଁ ପର୍ଯ୍ୟବେକ୍ଷକଙ୍କ ସହିତ ସଭାପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସଂଗଠନକୁ ଆହୁରି ଆଗେଇ ନେବା ପାଇଁ ଏହି ଅବସରରେ ନବୀନ ପର୍ଯ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେବେ । ତିନିଦିନ ଧରି ଚାଲିବାକୁ ଥିବା ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଂଗଠନର ସଫଳତା ଓ ବିଫଳତାର ହିସାବ ନେବେ । ଯେଉଁ ଜିଲ୍ଲା ପରିଷଦ ଜୋନ୍ରେ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିନି, ସେଠାରେ ପୁଣିଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ରଣନୀତି ପ୍ରସ୍ତୁତ ହେବ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କେଉଁ ୱାର୍ଡରେ କେତେ ଭୋଟ୍ ଦଳର କମିଛି, ଯେଉଁଠି ଭୋଟ୍ କମିଛି ଆଗାମୀ ଦିନରେ କିପରି ସେଠାରୁ ଅଧିକ ଭୋଟ୍ ଦଳକୁ ମିଳିବ; ତାହା ଉପରେ ଫୋକସ୍ ରହିବ । ଏଥିସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ତୃଣମୂଳସ୍ତରରେ ସଠିକ୍ ଭାବେ ପହଞ୍ଚୁଛି ନା ନାହିଁ; ଏଥିରେ କୌଣସି ସମସ୍ୟା ରହିଛି କି, ସେ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ । ସମୀକ୍ଷା ପରେ ପ୍ରତ୍ୟେକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନବୀନ କିଛି ପରାମର୍ଶ ଦେଇପାରନ୍ତି ବୋଲି ଜଣାପଡ଼ିଛି । ତେବେ ଯେଉଁ ସାଂଗଠନିକ ଜିଲ୍ଲାରେ ବିଜେଡି ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିନି, ସେଠାରେ ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି ।
ଏଥିସହ ସାମାଜିକ ଗଣମାଧ୍ୟମରେ ଅଧିକ ସଶକ୍ତ ହେବ ବିଜେଡି । ବିରୋଧୀଙ୍କ ଅପପ୍ରଚାରର ଦୃଢ଼ ଜବାବ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳୀୟ କର୍ମକର୍ତ୍ତାଙ୍କୁ ନିଦେ୍ର୍ଦଶ ଦେଇଆସିଛନ୍ତି । ତେଣୁ ଅପପ୍ରଚାରର କାଉଣ୍ଟର କରିବା ସହ ଲୋକଙ୍କ ନିକଟରେ ସଠିକ୍ ବାର୍ତ୍ତା ପହଞ୍ଚାଇବା ପାଇଁ ରଣନୀତି ଜୋରଦାର ହେବ ବୋଲି ସୂଚନା ମିଳିଛି । ୨ଠ୨୪ ମିଶନ୍ ପାଇଁ ବିଜେଡିର ଏହା ପ୍ରଥମ ବୈଠକ ହେବ । ନବୀନଙ୍କ ଠାରୁ ପରାମର୍ଶ ନେଇ ନିଜ ନିଜ ଜିଲ୍ଲାରେ ପର୍ଯ୍ୟବେକ୍ଷକମାନେ କର୍ମୀମାନଙ୍କୁ ଏହି ଅନୁସାରେ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେବେ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ସାଂଗଠନିକ ସ୍ତରରେ ଆଗକୁ ବଡ଼ ଧରଣର ପରିବର୍ତ୍ତନ ହେବାର ଚର୍ଚ୍ଚା ଜୋର୍ ଧରିଛି । ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେଲେ କିଛି ମନ୍ତ୍ରୀ ବାଦ୍ ପଡ଼ିବେ । ସେମାନଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ୨ଠ୧୭ ପଞ୍ଚାୟତ ନିର୍ବାଚନ ପରେ ଯେଉଁ ଫର୍ମୁଲାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲା, ଠିକ୍ ସେହି ରଣନୀତି ଅନୁସାରେ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଥିବା ମନ୍ତ୍ରୀମାନଙ୍କୁ ନବୀନ ତାଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ସଂଗଠନ ଦାୟିତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *