ସାଇ ସ୍ୱସ୍ତିକ ଓ ଆହାନ ଚାମ୍ପିଅନ୍

୧୪ ବର୍ଷରୁ କମ୍‌ ଚାମ୍ପିଅନ୍ସିପ୍‌ ସିରିଜ୍ ଉଦ୍ୟାପିତ
କଟକ, ୨୨ ।୪ (ବୁ୍ୟରୋ): ସର୍ବଭାରତୀୟ ଟେନିସ୍ ସଂଘ ଓ କଟକ ଟେନିସ୍ ସଂଘର ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ୧୪ ବର୍ଷରୁ କମ୍‌ ଚାମ୍ପିଅନ୍ସିପ୍‌ ସିରିଜ୍ ଶୁକ୍ରବାର ଉଦ୍ୟାପିତ ହୋଇଯାଇଛି । ଏଥିରେ ଓଡ଼ିଶା ଖେଳାଳିମାନେ ପ୍ରଭାବଶାଳୀ ପ୍ରଦର୍ଶନ କରି ସବୁ ବର୍ଗରେ ବିଜେତା ହୋଇଛନ୍ତି । ବାଳକ ଏକକ ବର୍ଗରେ ଓଡ଼ିଶାର ସାଇ ସ୍ୱସ୍ତିକ୍ ମହାନ୍ତି ବିଜେତା ଓ ପଶ୍ଚିମବଙ୍ଗର ଅମରିତ ଭାଟସ ଉପବିଜେତା ହୋଇଛନ୍ତି । ବାଳିକା ଏକକ ବର୍ଗରେ ଓଡ଼ିଶାର ଆହାନ ବିଜେତା ଓ ଆରାଧ୍ୟା ବର୍ମା ଉପବିଜେତା ହୋଇଛନ୍ତି । ସେହିପରି ୧୪ ବର୍ଷରୁ କମ ବାଳକ ଯୁଗଳ ବର୍ଗରେ ଯୋଡ଼ି ବିଜେତା ଭାବେ ଓଡିଶାର ସାଇ ସ୍ୱସ୍ତିକ ମହାନ୍ତି-ଅଙ୍କିତ ସାହୁ ଓ ଅମରିତ ଭାଟସ-ମୟଙ୍କ ମୋଦିଙ୍କ ଯୋଡି ଉପବିଜେତା ହୋଇଥିଲେ ।
ଗତ ୧୮ ତାରିଖରୁ ଚାଲିଥିବା ଏହି ପ୍ରତିଯୋଗିତାରେ ୫ଟି ରାଜ୍ୟର ୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଓଡ଼ିଶା ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓପିଏସ୍ସି ଅଧ୍ୟକ୍ଷ ତଥା ଓଟିଏ ସମ୍ପାଦକ ଡ. ସତ୍ୟଜିତ ମହାନ୍ତି ଉପସ୍ଥିତ ରହି କୃତୀ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ରାଜ୍ୟ ଟେନିସ୍ ସଂଘ ପକ୍ଷରୁ ଆଗାମୀ ଦିନରେ ବାରବାଟୀ ଟେନିସ୍ କୋର୍ଟରେ ଆହୁରି ମେଗା ଇଭେଣ୍ଟ ଆୟୋଜିତ କରାଯିବ । ଅନେକ ନୂଆ ଚେହେରା ଆଗାମୀ ଦିନରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି କହିଛନ୍ତି ରାଜ୍ୟ ଟେନିସ୍ ସଂଘ ସମ୍ପାଦକ ସତ୍ୟଜିତ ମହାନ୍ତି । ଏଥିରେ ଆଇଜି (ପର୍ସନେଲ) ତଥା ସମ୍ପାଦକ ଏସ୍‌. ପ୍ରବୀଣ କୁମାର, ସଭାପତି ଯଶବନ୍ତ ଦାସ, କାର୍ଯ୍ୟକାରୀ ସଭାପତି ରଜନୀକାନ୍ତ ଦୟାଲ, ଟୁର୍ଣ୍ଣାମେଣ୍ଟ ରେଫରୀ ଯତିନ ବୈଶ୍ୟ, କୋଷାଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି (ରୁବୁନା), ସଦସ୍ୟ ହିମାଦ୍ରୀ କାନୁନ୍ଗୋ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *