ଅହମଦାବାଦରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ(ଏଜେନ୍ସି): ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଗୁରୁବାର ସେ ସିଧାସଳଖ ଗୁଜରାଟର ଅହମ୍ମଦାବାଦ୍ ବିମାନବନ୍ଦରରେ ଅବତରଣ କରିଥିଲେ । ପାରମ୍ପରିକ ଗୁଜରାଟୀ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ମଧ୍ୟରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ତାଙ୍କୁ ସ୍ୱାଗତ ଜଣାଇବା ସହ ବିମାନବନ୍ଦରରୁ ପାଛୋଟି ନେଇଥିଲେ ।
ପରେ ଜନ୍ସନ୍ ଗାନ୍ଧିଜୀଙ୍କ ସାବରମତିସ୍ଥିତ ଆଶ୍ରମ ପରିଦର୍ଶନରେ ବାହାରିଯାଇଥିଲେ । ଏଠାରେ କିଛି ସମୟ ଅତିବାହିତ କରିବା ଅବସରରେ ଜନ୍ସନ୍, ଚରଖା ଚଲାଇବା ମଧ୍ୟ ଶିଖିଥିଲେ । ବୋରିସ୍ ଜନ୍ସନ୍ ଚରଖା ଚଳାଉଥିବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ତଳେ ବସି ଚରଖା ଚଳାଉଥିବା ଦେଖିବାକୁ ମିଳୁଛି । ଆଶ୍ରମର ପର୍ଯ୍ୟଟକ ପାଇଁ ଉଦ୍ଦିଷ୍ଟ ପୁସ୍ତକରେ ଜନସନ୍ ‘ଗାନ୍ଧିଜୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ଅଧିକାଂଶ ସମୟ କଟିଥିବା ଏହି ଆଶ୍ରମକୁ ଆସିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଉଲ୍ଲେଖ କରିଥିଲେ ।’ ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ପଞ୍ଚମହଲରେ ଥିବା ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଫ୍ୟାକ୍ଟି୍ର ପରିଦର୍ଶନ ସମୟରେ ଜନସନ୍ ହଠାତ୍ ଏକ ବୁଲଡୋଜର ଉପରେ ଚଢିଯାଇଥିଲେ ଏବଂ ହାତ ହଲାଇଥିଲେ । ଦେଶରେ ସମ୍ପ୍ରତି ବୁଲଡୋଜର ମାଧ୍ୟମରେ ଜବରଦଖଲ ଉଚ୍ଛେଦ ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଜନ୍ସନ୍ଙ୍କ ଏପ୍ରକାର ବୁଲଡୋଜର ପ୍ରୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେଠାରୁ ଫେରିବା ପରେ ଜନ୍ସନ୍ ଏବଂ ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ମଧ୍ୟରେ ଘଣ୍ଟାଧିକ କାଳ ଆଲୋଚନା ହୋଇଥିଲା ।
ଆସନ୍ତା କାଲି ଜନ୍ସନ୍ଙ୍କୁ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଏବଂ ଉଭୟଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଦେଶରେ ନିଯୁକ୍ତି ସୃଷ୍ଟି, ଆର୍ଥିକ ପ୍ରଗତି, ପ୍ରତିରକ୍ଷା ଓ ସୁରକ୍ଷା ଭଳି ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ମୁଖ୍ୟତଃ ଫୋକସ୍ ଦିଆଯାଇଥିବା ଜଣାପଡିଛି । ସମ୍ପ୍ରତି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡିଛି । ଗୁରୁବାର ରାତ୍ର ଭୋଜନ ପରେ ଜନ୍ସନ୍ ଏଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି । ପ୍ରକାଶ, ବି୍ରଟେନ୍ ପ୍ରଧାନମନ୍ତ୍ରୀ ଭାବେ ବୋରିସ୍ ଜନସନ୍ଙ୍କ ଏହାର ପ୍ରଥମ ଗୁଜରାଟ ଗସ୍ତ । ଏହା ପୂର୍ବରୁ ତାଙ୍କର ଭାରତ ଗସ୍ତ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଗସ୍ତ ବାତିଲ ହୋଇଯାଇଥିଲା । ସୂଚନାଯୋଗ୍ୟ, ବୋରିସ୍ ଜନସନ୍ଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଜନ୍ସନ୍ଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।