ଷ୍ଟ୍ରେଚର ପାଇଁ ଆଧାର ଓ ମୋବାଇଲ ବନ୍ଧକ

ଏମ୍ସରେ ବିଚିତ୍ର ବ୍ୟବସ୍ଥା
ଭୁବନେଶ୍ୱର (ତଥ୍ୟ): ଭୁବନେଶ୍ୱର ଏମ୍‌ସରେ ଗୁରୁତର ରୋଗୀଙ୍କ ପାଇଁ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାର ଆବଶ୍ୟକ ହେଲେ ଆଧାରକାର୍ଡ ବନ୍ଧକ ରଖିବାକୁ ପଡୁଛି । ଷ୍ଟ୍ରେଚର ଓ ହ୍ୱିଲ ଚେୟାର ଫେରାଇବା ପରେ ଆଧାରକାର୍ଡ ଫେରସ୍ତ ମିଳୁଛି । ଆଧାରକାର୍ଡ ନ ଥିଲେ ଫୋନ୍ କିମ୍ବା ଅନ୍ୟ ସାମଗ୍ରୀ ବନ୍ଧକ ରଖିବାକୁ ବାଧ୍ୟ କରାଯାଉଛି । ନ ହେଲେ ଷ୍ଟ୍ରେଚର କି ହ୍ୱିଲ ଚେୟାର ମିଳୁନାହିଁ ।
ଗୁରୁତର ରୋଗୀମାନଙ୍କୁ ଜରୁରିକାଳୀନ ସେବା ବିଭାଗରେ ପ୍ରଥମେ ପଞ୍ଜୀକରଣ ପାଇଁ ଭର୍ତ୍ତି କରାଯାଇଥାଏ । ଏହି ପ୍ରାରମ୍ଭିକ ପ୍ରକ୍ରିୟା ସରିବା ପରେ ରୋଗୀଙ୍କୁ ନିର୍ଦ୍ଧାରିତ ଆଇସିୟୁ, ୱାର୍ଡ ଓ କ୍ୟାବିନ ଆଦିକୁ ପଠାଯାଇଥାଏ । ଜରୁରିକାଳୀନ ସେବା ବିଭାଗର ଷ୍ଟ୍ରେଚର କି ହ୍ୱିଲ ଚେୟାରରେ ସାଧାରଣତଃ ଅବଚେତନ ଅବସ୍ଥାରେ ଥିବା କିମ୍ବା ଚାଲିପାରୁ ନ ଥିବା ରୋଗୀଙ୍କୁ ନିଆଯାଇଥାଏ । କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀ ଓ ସିକୁ୍ୟରିଟି ଗାର୍ଡ ଆଧାରକାର୍ଡ କି ମୋବାଇଲ୍ ନ ରଖିଲେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାରରେ ଯିବାକୁ ଦେଉନାହାନ୍ତି । ଏମ୍‌ସରୁ ଡିସଚାର୍ଜ ହେଉଥିବା ରୋଗୀଙ୍କୁ ଛାଡିବା ବେଳେ ସେମାନଙ୍କୁ ଯଦି ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାରରେ ଆଣିବାକୁ ପଡେ ସେ କ୍ଷେତ୍ରରେ ବି ସଂପୃକ୍ତ ନର୍ସ ଓ କର୍ମଚାରୀ ଉପରୋକ୍ତ ସାମଗ୍ରୀ ବନ୍ଧକ ରଖୁଛନ୍ତି ।
କେବଳ ଏମ୍‌ସ ନୁହେଁ ଓଡ଼ିଶାର ସର୍ବବୃହତ୍ ସରକାରୀ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଟ୍ରମା ୟୁନିଟ୍‌ରେ ଷ୍ଟ୍ରେଚର ଓ ହ୍ୱିଲ ଚେୟାର ବ୍ୟବହାର ପାଇଁ ରୋଗୀଙ୍କ ସଂପର୍କୀୟମାନେ ସେମାନଙ୍କ ମୋବାଇଲ ଫୋନ୍‌ ବନ୍ଧା ରଖିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟା କ୍ରମଶଃ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଚିକିତ୍ସା କେନ୍ଦ୍ରଗୁଡିକୁ ସଂକ୍ରମିତ ହେବାରେ ଲାଗିଛି ।
ପୂର୍ବରୁ ସରକାରୀ ଡାକ୍ତରଖାନାଗୁଡିକରେ ସ୍ୱତନ୍ତ୍ର ଷ୍ଟ୍ରେଚର ବାହକ ରହୁଥିଲେ । ଏମାନେ ଷ୍ଟ୍ରେଚର କି ହ୍ୱିଲ ଚେୟାରରେ ରୋଗୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇ ପୁଣି ତାହା ଫେରାଇ ଆଣୁଥିଲେ । ଏବେ ଏମ୍‌ସ, ଏସସିବି ସମେତ ଅନ୍ୟ ପ୍ରମୁଖ ଡାକ୍ତରଖାନାଗୁଡିକରେ ଉକ୍ରଟ କର୍ମଚାରୀ ସଂକଟ ଫଳରେ ସଂଖ୍ୟାଧିକ ସ୍ଥଳରେ ଗୁରୁତର ରୋଗୀଙ୍କୁ ସଂପର୍କୀୟମାନେ ହ୍ୱିଲ ଚେୟାର କି ଷ୍ଟ୍ରେଚରରେ ନେବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ କେତେକ କ୍ଷେତ୍ରରେ ଅଘଟଣ ବି ଘଟୁଛି । ହ୍ୱିଲ ଚେୟାର ଓ ଷ୍ଟ୍ରେଚରରେ ରୋଗୀ ନେବା-ଆଣିବା ପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ବ୍ୟକ୍ତିଙ୍କର ଆବଶ୍ୟକତା ଥିବାବେଳେ ଅନଭିଜ୍ଞ ରୋଗୀ ସଂପର୍କୀୟଙ୍କ ଦ୍ୱାରା ସେମାନଙ୍କୁ ନେବା-ଆଣିବା କରିବା ବିପଦଜନକ ବୋଲି ଅଭିଜ୍ଞ ଚିକିତ୍ସକମାନେ ସ୍ୱୀକାର କରୁଛନ୍ତି । ଏହାଦ୍ୱାରା ବିନା ବନ୍ଧକରେ ଷ୍ଟ୍ରେଚର, ହ୍ୱିଲ ଚେୟାର ଆଦି ଦିଆଗଲେ ବହୁ କ୍ଷେତ୍ରରେ ବ୍ୟବହାର ପରେ ସେଗୁଡିକୁ ବ୍ୟକ୍ତିବିଶେଷ ଅନ୍ୟତ୍ର ଛାଡି ପଳାଉଥିବାରୁ ଷ୍ଟ୍ରେଚର ଓ ହ୍ୱିଲ ଚେୟାରର ୱାର୍ଡୱାରି ହିସାବ ରଖିବାରେ ଅସୁବିଧା ଉପୁଜୁଛି । ଏଥିପାଇଁ ଆଧାରକାର୍ଡ, ମୋବାଇଲ ଆଦି ବନ୍ଧକ ରଖିଲେ ଗୁରୁତର ରୋଗୀଙ୍କ ସଂପର୍କୀୟମାନେ ହଇରାଣ ହୁଅନ୍ତୁ ପଛେ ତାହା ତୁରନ୍ତ ଫେରାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଦାୟିତ୍ୱରେ ଥିବା କର୍ମଚାରୀମାନେ କହୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *