ସ୍ଲରି ପାଇପ୍ ପରିବହନ ପ୍ରକଳ୍ପକୁ ବିରୋଧ

କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲାରୁ ସ୍ଲରି ପାଇପ୍ ମାଧ୍ୟମରେ ଖଣିଜ ପରିବହନର ନୂତନ ପ୍ରକଳ୍ପକୁ ବନ୍ଦ କରିବାକୁ ଦାବି ହୋଇଛି । ଟ୍ରକ୍ ମାଧ୍ୟମରେ ଖଣିଜ ପରିବହନ କରିବାକୁ କେନ୍ଦୁଝର ଜିଲ୍ଲାର କୋର କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବଡ଼ବିଲ ସୋୟାବାଲି ଠାରୁ ଅନୁଗୁଳ ଷ୍ଟିଲ୍ ପ୍ରକଳ୍ପକୁ ଶୀଘ୍ର ବନ୍ଦ କରା ନ ଗଲେ ଜିଲ୍ଲା ଟ୍ରକ୍ ମାଲିକ ଏବଂ ଟ୍ରକ୍ ବ୍ୟବସାୟର ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ପ୍ରଭାବିତ ହେବେ ବୋଲି କୋର କମିଟି କହିଛି । କେବଳ ସେତିକି ନୁହେଁ, ଜିଲ୍ଲାରେ ଋଣ କରି ଖଣ୍ଡିଏ ଖଣ୍ଡିଏ ଟ୍ରକ କରିଥିବା ଶିକ୍ଷିତ ବେକାର କାମ ନ ପାଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରିବେ ବୋଲି ଅଭିଯୋଗ କରିଛନ୍ତି ।
କୋର କମିଟି ଅଭିଯୋଗ ଅନୁଯାୟୀ, ପୂର୍ବରୁ ଜିଲ୍ଲାରେ କେତେକ ସ୍ଲରୀ ପ୍ରୋଜେକ୍ଟ କାମ କରୁଛି । ଏଭଳି ପରିସ୍ଥିତିରେ ନୂତନ ପ୍ରକଳ୍ପ କାମ କଲେ ପରିବହନ ଏବଂ ଟ୍ରକ୍ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ । ଅନୁ୍ୟନ ୬୦ ଶତକଡ଼ା ଖଣିଜ ପରିବହନ ଟ୍ରକ୍ ଯୋଗେ କରାଗଲେ ନିର୍ଭରଶୀଳ ପରିବାର ବ୍ୟାପକ କ୍ଷତି ସହିବେ ନାହିଁ । ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା, ଯୋଡ଼ା ଟ୍ରକ୍ ମାଲିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ବାରିକ, ବଡବିଲ ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘର ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରସାଦ, ଯୁଗ୍ମ ସମ୍ପାଦକ ଦିଲୁ ସ୍ୱାମୀ, ଗୁଆଲି ଟ୍ରକ ମାଲିକ ସଂଘର କୁଶ ଆପଟ୍ଟ, ଆଞ୍ଚଳିକ ଟ୍ରକ ମାଲିକ ସଂଘ କାଳିମାଟୀର ସଭାପତି ମନୋଜ କୁମାର ମହାନ୍ତ, ସମ୍ପାଦକ ରାଜେନ୍ଦ୍ର ବାରିକ ଏବଂ ଭଦ୍ରାସାହି ଟ୍ରକ ମାଲିକ ସଂଘର କୁନା ବାରିକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *