ବଜାରରେ ମିଳୁଥିବା ଆମ୍ବରେ ବିଷ!

ଆସିକା(ଆପ୍ର): ବଜାରରେ ଏବେ ବିଭିନ୍ନ କିସମର ଆମ୍ବ ଗଦା ହେଉଛି । ଦୈନିକ ହଜାର ହଜାର ଟଙ୍କାର ଆମ୍ବ ବିକ୍ରି ହେଉଛି । ବଜାରରୁ ଫେରିବା ବେଳକୁ ବ୍ୟାଗରେ ପନିପରିବା ସହ ପ୍ରାୟତଃ ଆମ୍ବ ଥିବା ଦେଖିବାକୁ ମିଳୁଛି । ହେଲେ ପାଟିକୁ ସୁଆଦ ଲାଗିବା ପାଇଁ ଅଣାଯାଉଥିବା ଏହି ଆମ୍ବ ଶରୀର ପାଇଁ କେତେ ହିତକାର କି ନୁହେଁ ତାହା ଜାଣିବା ପାଇଁ ସମୟ ନଥାଏ । ଆମ୍ବ ଏପରି ଏକ ଫଳ ଯାହା କଞ୍ଚା ଓ ପାଚିଲା ଖାଇ ହୁଏ । କିନ୍ତୁ ଯେଉଁ ପାଚିଲା ଆମ୍ବ ବଜାରରୁ କ୍ରୟ କରି ଅଣାଯାଉଛି ସେଥିରେ କ୍ୟାନସର ଭଳି ରୋଗକୁ ଆମନ୍ତ୍ରଣ କରାଯାଉଛି ବୋଲି ଅଧିକାଂଶ ଜାଣିନାହାନ୍ତି । ଯେଉଁ ଆମ୍ବ ଗଛରେ ରହିଲେ କିମ୍ବା ତୋଳା ହେବାର କିଛି ଦିନ ମଧ୍ୟରେ ପାଚିବା କଥା ସେହି ଆମ୍ବକୁ କଞ୍ଚା ଅବସ୍ଥାରେ ତୋଳି କାଲସିୟମ କାର୍ବାଇଟ ଦେଇ ପଚାଇ ଦିଆଯାଉଥିବା ଅଭିଯୋଗ ହେଉଛି । ଫଳରେ ଉପରୁ ପାଚିଲା ଦେଖାଯାଉଥିବା ଏହି ଆମ୍ବଗୁଡିକ ପାଟିକୁ ସୁଆଦ ଲାଗୁଛି ଆଉ ଶରୀର ପାଇଁ କ୍ଷତିକାରକ ସାଜୁଛି । ସ୍ୱାସ୍ଥ୍ୟ ପାଇଁ କେଉଁ ଫଳ ହିତକର ଓ କେଉଁ ଫଳ ଅହିତକର ତାହାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଯାଞ୍ଚ୍ କରାଯାଉନାହିଁ । ବଜାରରେ ବିକ୍ରି ହେଉଥିବା ଆମ୍ବ ସଂକ୍ରାନ୍ତରେ ଜନୈକ ବିଶେଷଜ୍ଞ ଡାକ୍ତରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ, ଆମ୍ବ ଖାଇବାର ଅଛି ତେବେ ଗଛ ପାଚିଲା ଆମ୍ବ ଖାଅ, କାର୍ବାଇଟ ଦିଆ ଆମ୍ବ ଖାଅନି କି ରୋଗକୁ ଆମନ୍ତ୍ରଣ କରନି । କାଲ୍ସିୟମ କାର୍ବାଇଟ୍ରୁ ଏସିଟିଲିନ୍ ଗ୍ୟାସ୍ ବାହାରୁ ଥିବାରୁ ଏହାକୁ ବ୍ୟବହାର କରି ଯେଉଁ ଫଳ ପଚାଯାଏ ସେହି ଫଳରେ ଏହି ଗ୍ୟାସ୍ ରହିଥାଏ । ଏହାକୁ ଖାଇଲେ କ୍ୟାନସର, ଥାଇରଏଡ, ପାଟି ଭିତରେ ଘା, ଏଲର୍ଜି ପ୍ରଭୃତି ରୋଗ ଦେଖାଦେଉଥିବା ବେଳେ ବୃଦ୍ଧ ଲୋକଙ୍କ ଶରୀରରେ ଆଜମା ରୋଗ ଦେଖା ଦେଇଥାଏ । କେବଳ ଆମ୍ବ ନୁହେଁ କଦଳୀ, ସପୁରୀ, ପଣସ, ଖଜୁରୀ ତଥା ବଜାରେ ମିଳୁଥିବା ପ୍ରାୟ ଅଧିକାଂଶ ଫଳରେ କାଲସିୟମ କାର୍ବାଇଟ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ତେବେ ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ଆମ୍ବ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫଳରେ କାଲସିୟମ କାର୍ବାଇଟ ବ୍ୟବହାର କରାଯାଉଛି କି ନାହିଁ ତାହାର ଏକ ଯାଞ୍ଚ୍ କରିବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *