ଅଭିଯୋଗ ସତ୍ତ୍ୱେ ନିର୍ମାଣ ହେଉନି ରାସ୍ତା ଓ ଡ୍ରେନ୍

ଅବହେଳିତ ଅବସ୍ଥାରେ ସିଦ୍ଧମହାବୀର ଅଞ୍ଚଳ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ସେଥିଲାଗି ରାଜ୍ୟ ସରକାର ସହରର ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପ ନିର୍ମାଣ ଜାରି ରହିଛି । ତତ୍ସହିତ ସମସ୍ତ ଦେବାଳୟ ଓ ପର୍ଯ୍ୟଟନସ୍ଥଳର ବିକାଶ ଜାରି ରହିଥିବା ବେଳେ ଅବହେଳିତ ଅବସ୍ଥାରେ ପଡ଼ିରହିଛି ସିଦ୍ଧମହାବୀର ମନ୍ଦିର ଏବଂ ସ୍ଥାନୀୟ ଅଞ୍ଚଳ । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍ ପାଶ୍ୱର୍ରେ ସିଦ୍ଧମହାବୀର ମନ୍ଦିର । ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ହେଲେ ଏହି ମନ୍ଦିରକୁ ସଂଯୋଗ ହେଉଥିବା ମୁଖ୍ୟ ରାସ୍ତା ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ସହରର ବିକାଶ ଲାଗି କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ହେଉଥିବା ବେଳେ ଉକ୍ତ ଅଞ୍ଚଳର ରାସ୍ତା ଓ ଡ୍ରେନେଜ୍ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକମାନେ କଲବଲ ହେଉଛନ୍ତି ।
ଉକ୍ତ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟ କରୁ ନ ଥିବାରୁ ଖାଲି ସ୍ଥାନରେ ପାଣି ଜମି ରହୁଛି । ଫଳରେ ମଶା, ମାଛି ଓ ଦୁର୍ଗନ୍ଧ ବାହାରୁଛି । ଏନେଇ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ପୌରପାଳିକା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ । ଫଳରେ ସଞ୍ଜ ନଈଲେ ସ୍ଥାନୀୟ ଲୋକେ ମଶାଙ୍କ ଦାଉରେ ଆଉଟପାଉଟ ହେଉଛନ୍ତି ।
ଅନ୍ୟପକ୍ଷରେ ପର୍ଯ୍ୟଟନ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ପୌରପାଳିକା ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଉକ୍ତ ଅଞ୍ଚଳରେ ବ୍ୟାପକ ଭାବେ ସ୍ୱଚ୍ଛ କରାଯାଉ ନାହିଁ । ଯାହାଦ୍ୱାର ପାଣି ଜମି ରହିବା ଦ୍ୱାରା ମଶାଙ୍କ ବଂଶ ବୃଦ୍ଧି ପାଇବା ସହ ଦୁର୍ଗନ୍ଧରେ ଲୋକେ ଅତିଷ୍ଠ ହେଲେଣି । କେବଳ ସେତିକି ନୁହେଁ ଏଠାରେ ପ୍ରସିଦ୍ଧ ସିଦ୍ଧ ମହାବୀରଙ୍କ ଦର୍ଶନ ଲାଗି ପ୍ରତ୍ୟେକ ଦିନ ମନ୍ଦିରକୁ ଶହ ଶହ ଶ୍ରଦ୍ଧାଳୁ ଉକ୍ତ ରାସ୍ତା ଦେଇ ଯା’ଆସ କରିଥାନ୍ତି । ମାତ୍ର ରାସ୍ତା ବିପର୍ଯ୍ୟସ୍ତ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।
ଏନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଉପେନ୍ଦ୍ର କୁମାର ଦାସ କୁହନ୍ତି, ଶ୍ରୀକ୍ଷେତ୍ରର ଉନ୍ନତି ଲାଗି ସରକାର ଅନେକ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ସହରର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ସିଦ୍ଧମହାବୀର । ଏପରିକି ରାସ୍ତାଠାରୁ ଆରମ୍ଭ କରି ଡ୍ରେନେଜ୍ ଅବହେଳିତ ଅବସ୍ଥାରେ ରହିଛି । କେଉଁଠାରେ ଡ୍ରେନେଜ୍ ନିୟମିତ ଭାବେ ସଫା କରାଯାଉ ନାହିଁ କି ଅନ୍ୟ କୌଣସି ଠାରେ ବି ଏପର୍ଯ୍ୟନ୍ତ ଡ୍ରେନେଜ୍ ନିର୍ମାଣ ହୋଇନାହିଁ । ଯାହାଫଳରେ ସଞ୍ଜ ନଈଲା ମାତ୍ରେ ମଶାଙ୍କ ଦାଉରେ କଲବଲ ହେଉଛୁ । ହେଲେ ପୌରପାଳିକା ପକ୍ଷରୁ ମଶାମରା ତେଲ ମଧ୍ୟ ସ୍ପ୍ରେ କରାଯାଉ ନାହିଁ । ତେଣୁ ପ୍ରଶାସନର ଅବହେଳା ଯୋଗୁଁ ଦୁଃଖ ଓ କଷ୍ଟରେ ଚଳୁଛନ୍ତି ଅଞ୍ଚଳବାସୀ । ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *