କବାଡ଼ିଆ ଦୋକାନ ଚୋରି ବୃଦ୍ଧିର କାରଣ
ଧାମନଗର (ଆପ୍ର): ଧାମନଗର ଅଞ୍ଚଳରେ ଦିନକୁ ଦିନ ଚୋରାମଦ ଓ ଗଞ୍ଜେଇ କାରବାର ସହ ଚୋରି, ରାହାଜାନି ବୃଦ୍ଧି ପାଉଛି । ଏହାର ମୂଳ କାରଣ ବେଆଇନ ଭାବେ ଧାମନଗର ଅଞ୍ଚଳରେ କବାଡ଼ି ଦୋକାନ ଗଢି ଉଠିଛି । ସପ୍ତାହେ ତଳେ ଧାମନଗର ଅଞ୍ଚଳର ବିଇଓ, ମିଶନଶକ୍ତି ଓ ଏନ୍ଏସି ଅଫିସ୍, ଆଧାର କେନ୍ଦ୍ର ଏବଂ ଧାମନଗର ପ୍ରେସ୍କ୍ଲବ୍ରେ ତାଲାଭାଙ୍ଗି ଦୁର୍ବୃତ୍ତମାନେ ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି । ଧାମନଗର ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଏହି ଚୋରିରେ ସମ୍ପୃକ୍ତ ଥିବା ମିର ସବିର୍, ସେକ୍ ଇମ୍ରାନ୍, ସେକ୍ ଜମିରୁଦ୍ଦିନ୍, ସେକ୍ ଜାହାଙ୍ଗିରକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି ।
ଧାମନଗର ଏନ୍ଏସି ଅଞ୍ଚଳର ହବିବିନଗରରେ ପ୍ରାୟ ୧୫ଟି କବାଡ଼ିଆ ଦୋକାନ ବେଧଡ଼କ ଭାବେ ଖୋଲି ବିଭିନ୍ନ ଚୋରି ସାମଗ୍ରୀ କିଣୁଥିବା ଦେଖିବାକୁ ମିଳୁଛି । ଧାମନଗର ସମେତ ଦୋବଲ, ପନ୍ଦରବାଟିଆ, ଧୂଷୁରୀ, ଜାହାଙ୍ଗିର ରୋଡ୍, ପଠାଣମହଲ୍ଳା ଓ ମୁଲଣା ସାହି ଅଞ୍ଚଳରେ ଏହି କବାଡ଼ି ଦୋକାନ ଖୋଲାଯାଇ ବେଧଡ଼କ ଭାବେ କିଣା ବିକା ଚାଲିଛି । ସେହିପରି ବଡ଼ ବଡ଼ ଚୋରି ଟ୍ରକ, ବସ ଇତ୍ୟାଦି ଏଠାକୁ ଅଣାଯାଇ ଗୋଟିଏ ଗୋଟିଏ ଦିନ ମଧ୍ୟରେ ଗ୍ୟାସ କଟିଂ ମାଧ୍ୟମରେ କାଟି ବିକ୍ରି କରି ଦେଉଛନ୍ତି । ହବିବି ନଗର ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଟ୍ରକ୍ରେ ରାସ୍ତା ଅବରୋଧ ରଖି ଲୁହାଟିଣା ଲୋଡ଼ିଂ କରୁଥିବାର ଦେଖିବାକୁ ମିଳୁଛି । ଏନେଇ ବାଟୋଇମାନେ ପ୍ରତିବାଦ କଲେ ଓଲଟି ସେମାନେ ନାଲିଆଖି ଦେଖାଇ ଯାହା କହିବା କଥା ଥାନାରେ କୁହ ବୋଲି ସେମାନେ ଉତ୍ତର ଦେଉଛନ୍ତି । ତେବେ ବେଆଇନ୍ ଭାବରେ ଦିନ ଦିପହରେ ଏପରି ବେଆଇନ୍ ବେପାର ଚାଲିଥିବା ବେଳେ କିପରି ଭାବରେ କାହାର ନଜର ପଡ଼ୁନାହିଁ । ବିଭିନ୍ନ ସମୟରେ ଚୋରମାନେ ବହି, ଖାତା, ଚେୟାର, ମୋଟର, ସାଇକେଲ ଇତ୍ୟାଦି ଚୋରିକରି ଏହି କବାଡ଼ିଆ ଦୋକାନରେ ବିକ୍ରି କରୁଛନ୍ତି । ଧାମନଗର ଅଞ୍ଚଳରେ ଏପରି ବେଆଇନ୍ କବାଡ଼ିଆ ଦୋକାନ ବନ୍ଦ ନ ହେଲେ ଚୋରି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।