ପାଞ୍ଚଜଣିଆ ତାଲିକାରେ ରୋହିତ, ଯଶପ୍ରୀତ
ଲଣ୍ଡନ, ୨୧ା୪ (ଏଜେନ୍ସି): ଭାରତର ଅଧିନାୟକ ରୋହିତ ଶର୍ମା ଓ ପେସ୍ ତାରକା ଯଶପ୍ରୀତ ବୁମ୍ରା ୱିଜ୍ଡନ୍ର ପାଞ୍ଚଜଣିଆ ‘କ୍ରିକେଟର୍ସ ଅଫ୍ ଦ ଇଅର’ ତାଲିକାରେ ସ୍ଥାନ ପାଇଛନ୍ତି । ୱିଜ୍ଡନ୍ର ସମ୍ପାଦକ ଲରେନ୍ସ ବୁଥ୍ ଏହି ଘୋଷଣା କରିଛନ୍ତି । ରୋହିତ ଓ ବୁମ୍ରାଙ୍କ ଛଡ଼ା ନୁ୍ୟଜିଲାଣ୍ଡର ଡେଭନ୍ କନୱେ, ଇଂଲଣ୍ଡର ଓଲୀ ରବିନ୍ସନ୍ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ର ଡେନ୍ ଭାନ୍ ନିକେର୍କଙ୍କୁ ଏଥିରେ ସାମିଲ୍ କରାଯାଇଛି ।
ଇଂଲଣ୍ଡର ଜୋ ରୁଟ୍ଙ୍କୁ ବିଶ୍ୱରେ ଅଗ୍ରଣୀ କ୍ରିକେଟର୍ ଭାବେ ନାମିତ କରାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ର ବ୍ୟାଟର୍ ଲିଜେଲୀ ଲି’ଙ୍କୁ ଅଗ୍ରଣୀ ମହିଳା କ୍ରିକେଟର୍ ବିବେଚନା କରାଯାଇଛି । ଏହାଛଡ଼ା, ପାକିସ୍ତାନର ୱିକେଟ୍କିପର୍-ବ୍ୟାଟର୍ ମହମ୍ମଦ ରିଜୱାନ୍ ବିଶ୍ୱରେ ଅଗ୍ରଣୀ ଟି-୨୦ କ୍ରିକେଟର୍ ଆଖ୍ୟା ଅର୍ଜନ କରିଛନ୍ତି ।
ଇଂଲଣ୍ଡ ଗସ୍ତରେ ୧୮ ୱିକେଟ୍ ନେଇଥିଲେ ବୁମ୍ରା
ବୁମ୍ରାଙ୍କୁ ଇଂଲଣ୍ଡ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୱିଜ୍ଡନ୍ କ୍ରିକେଟର୍ ଅଫ୍ ଦ ଇଅର୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ବୁଥ୍ଙ୍କ ବିଚାରରେ ଦ୍ୱିତୀୟ ଟେଷ୍ଟରେ ବୁମ୍ରାଙ୍କ ଯୋଗୁଁ ଭାରତ ବିଜୟ ହାସଲ କରିଥିଲା ।
ବୁମ୍ରା ଏହି ଗସ୍ତରେ ଚାରି ମ୍ୟାଚ୍ରେ ମୋଟ୍ ୧୮ ୱିକେଟ୍ ନେଇଥିଲେ । ସେ ନଟିଂହାମ୍ଠାରେ ପ୍ରଥମ ଇନିଂସ୍ରେ ୪୬ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ୬୪ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିଲେ । ଅବଶ୍ୟ ଏହି ମ୍ୟାଚ୍ ଡ୍ର’ ରହିଥିଲା । ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍କୁ ଜିତାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଦ୍ୱିତୀୟ ଇନିଂସ୍ରେ ସେ ୩୩ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏହାଛଡ଼ା ଅପରାଜିତ ୩୪ ରନ୍ର ଇନିଂସ୍ ମଧ୍ୟ ଖେଳିଥିଲେ । ତୃତୀୟ ଟେଷ୍ଟରେ ସେ ପ୍ରଥମ ଇନିଂସ୍ରେ ୫୯ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଏହି ଟେଷ୍ଟରେ ଭାରତ ହାରି ଯାଇଥିଲା । ଏହାପରେ ଚତୁର୍ଥ ଟେଷ୍ଟରେ ସେ ପ୍ରଥମ ଇନିଂସ୍ରେ ୨୧ ରନ୍ ଦେଇ ୨ ୱିକେଟ୍ ଓ ଦ୍ୱିତୀୟ ଇନିଂସ୍ରେ ୨୭ ରନ୍ ଦେଇ ୨ ୱିକେଟ୍ ନେଇଥିଲେ ।
ଇଂଲଣ୍ଡରେ ରୋହିତଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ
ବୁଥ୍ ରୋହିତଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଇଂଲଣ୍ଡ ଗସ୍ତରେ ଭାରତକୁ ଚାରି ଟେଷ୍ଟରେ ୨-୧ରେ ଅଗ୍ରଣୀ ମିଳିବାରେ ରୋହିତଙ୍କ ବ୍ୟାଟିଂର ବି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା ।
ରୋହିତ ପ୍ରଥମ ମ୍ୟାଚ୍ରେ ୩୬ ଓ ୧୨ ରନ୍ କରିଥିଲେ । ଏହାପରେ ଦ୍ୱିତୀୟ ଟେଷ୍ଟରେ ୮୩ ଓ ୨୧ ରନ୍ ଏବଂ ତୃତୀୟ ଟେଷ୍ଟରେ ୧୯ ଓ ୫୯ ରନ୍ ସଂଗ୍ରହ କରିଥିଲେ । ଚତୁର୍ଥ ଟେଷ୍ଟରେ ସେ ପ୍ରଥମ ଇନିଂସ୍ରେ ୧୧ ଓ ଦ୍ୱିତୀୟ ଇନିଂସ୍ରେ ୧୨୭ ରନ୍ କରିଥିଲେ ।