ଘାରିଲା ଚତୁର୍ଥ ଲହର ଡର
ନୂଆଦିଲ୍ଲୀ, ୨୦ା୪: ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କରୋନାର ନୂଆ ମାମଲା ସଂଖ୍ୟା ଗତ କିଛିଦିନ ଭିତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମହାମାରୀର ଚତୁର୍ଥ ଲହର ଆସଙ୍କା ମଧ୍ୟରେ ଚେନ୍ନାଇର ଗଣିତ ବିଜ୍ଞାନ ସଂସ୍ଥାନ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ, ଦେଶରେ କୋଭିଡ୍ର ପ୍ରଜନ୍ନ ହାର (‘ଆର୍’ ଭାଲୁ୍ୟ) ପ୍ରାୟ ୩ ମାସ ପରେ ୧ରୁ ଅଧିକ ହୋଇଛି । ଜାନୁଆରୀ ପରେ ପ୍ରଥମଥର ଆର୍-ଭାଲୁ୍ୟ ୧ ଟପିବା ଉଦ୍ବେଗର କାରଣ ହୋଇଛି ।
ସଂକ୍ରମଣ କେତେ ଦ୍ରୁତ ବେଗରେ ହେଉଛି ତାହା ଆର୍ ଭାଲୁ୍ୟରୁ ଜଣାପଡ଼ିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ କରୋନା ଭାଇରସ୍ ଯେତେ ଲୋକଙ୍କ ଶରୀଚକୁ ସଂକ୍ରମିତ ହୋଇଥାଏ, ତାକୁହିଁ କୁହଯାଏ ରିପ୍ରଡକ୍ସନ୍ ଭାଲୁ୍ୟ (ଆର୍ ଭାଲୁ୍ୟ) । ସେଥିପାଇଁ ମହାମାରୀ ସମୟରେ ଆର୍ ଭାଲୁ୍ୟ ୧ରୁ କମ୍ ହେବା ଡାକ୍ତରମାନେ ଚାହାନ୍ତି । ବିଶେଷଜ୍ଞଙ୍କ ମତରେ ଆର୍ ଭାଲୁ୍ୟ ୧ରୁ ଅଧିକ ହେବା କରୋନାର ନୂଆ ଲହରର ଏକ ସଙ୍କେତ ।
ମହାମାରୀ ଆରମ୍ଭରୁ ଭାରତରେ ‘ଆର୍’ ଉପରେ ନଜର ରଖିଆସୁଥିବା ଗଣିତଜ୍ଞ ସୀତାଭରା ସିହ୍ନା) କହିଛନ୍ତି ଏପି୍ରଲ୍ ୧୨-୧୮ ସପ୍ତାହରେ ଆର୍ ଭାଲୁ୍ୟ ଥିଲା ୧.୦୭ । ତା’ ପୂର୍ବବର୍ତ୍ତୀ ସପ୍ତାହ (ଏପି୍ରଲ୍ ୫-୧୧)ରେ ଏହା ଥିଲା ୦.୯୩ । ଚଳିତ ବର୍ଷ ଜାନୁଆରୀ ୧-୧୦ ମଧ୍ୟରେ ଆର୍ ମାନ ଥିଲା ସର୍ବାଧିକ – ୨.୯୮ – ଯେତେବେଳେ କି କରୋନାର ଓମିକ୍ରନ୍ ଭାରିଏଣ୍ଟ୍ ୩ୟ ଲହର ସୃଷ୍ଟି କରିଥିଲା । ୧୬-୨୨ ସପ୍ତାହରେ ଆର୍ ଭାଲୁ୍ୟ ୧.୨୮ରେକର୍ଡ କରାଯାଇଥିଲ ।
ଏବେ କେବଳ ଦିଲ୍ଲୀ ନୁହେଁ, ହରିୟାଣା ଓ ଉତ୍ତର ପ୍ରଦେଶ ଯୋଗୁ ଆର୍ ଭାଲୁ୍ୟ ୧ରୁ ଅଧିକ ହୋଇଛି । ମହାମାରୀକୁ ନିୟନ୍ତ୍ରିତ କରିବା ପାଇଁ ଆର୍ ଭାଲୁ୍ୟ ୧ ତଳେ ରହିବା ଆବଶ୍ୟକ । ୧ରୁ କମ୍ ଆର୍ ସଂଖ୍ୟା ଲୋକ ସଂକ୍ରମଣ ବନ୍ଦ ହେବାର ଲକ୍ଷଣ ସୂଚାଇଥାଏ । ଚଳିତ ସପ୍ତାହ ଶେଷ ବେଳକୁ ଆନୁମାନିକ ଆର୍ ଭାଲୁ୍ୟ ଦିଲ୍ଲୀ ଓ ୟୁପି ପାଇଁ ୨.୧୨, କର୍ଣ୍ଣାଟକ ପାଇଁ ୧.୦୪, ହରିୟାଣା ପାଇଁ ୧.୭୦, ମୁମ୍ବାଇ ପାଇଁ ୧.୧୩, ଚେନ୍ନାଇ ପାଇଁ ୧.୧୮ ଓ ବେଙ୍ଗଲୁରୁ ପାଇଁ ୧.୦୪ ଆକଳନ କରାଯାଇଛି । ଦେଶର ଅଧିକାଂଶ ପ୍ରମୁଖ ସହର ଯଥା ମୁମ୍ବାଇ, ବେଙ୍ଗଲୁରୁ ଓ ଚେନ୍ନାଇରେ ଆର୍ ଭାଲୁ୍ୟ ୧ରୁ ଅଧିକ ହୋଇଛି । କୋଲକାତାର ତଥ୍ୟ ମିଳି ନାହିଁ ।
ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ କରୋନା ରୋଗୀ ସଂଖ୍ୟା ୪୮୦କୁ ବୃଦ୍ଧି ପାଇଛି । ଏବେ ସଂକ୍ରମଣର ଦୈନିକ ହାର ୦.୪୯ ଓ ସାପ୍ତାହିକ ହାର ୦.୩୮% । ଦିଲ୍ଲୀରେ ମଙ୍ଗଳବାର କୋଭିଡ୍-୧୯ ମାମଲାରେ ପ୍ରାୟ ୨୬ ପ୍ରତିଶତ ବୃଦ୍ଧି ହୋଇଥିଲା, ସଂକ୍ରମଣ ହାର ଥିଲା ୪.୪୨% । ଗତ ୨୪ ଘଣ୍ଟାରେ ଦିଲ୍ଳୀରେ ୧୦୦୯ ଓ ଦେଶରେ ୨୦୦୦ରୁ ଅଧିକ ନୂଆ ମାମଲା ରେକର୍ଡ କରାଯାଇଛି । ଦିଲ୍ଲୀରେ ବୁଧବାର ଠାରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବା ନିଷ୍ପତ୍ତି ନିଆଯାଇଛି ।
ଆଇସିଏମ୍ଆର୍ ମହାମାରୀ ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ରମଣ ଗଙ୍ଗାଖେଡ଼କର କହିଛନ୍ତି, ଏ ପର୍ଯ୍ୟନ୍ତ କରୋନାର ନୂଆ ଭାରିଏଣ୍ଟ୍ ସାମ୍ନାକୁ ଆସିନାହିଁ । ଯେଉଁମାନଙ୍କ ବୟସ ଅଧିକ ଏବଂ କୋଭିଡ୍ ଟିକା ଆଦୌ ନେଇ ନାହାନ୍ତି ଏବଂ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି, ସେମାନେ ଫେସ୍ ମାସ୍କ ପିନ୍ଧିବା ନିହାତି ଜରୁରୀ ।