ଭୟ ନାହିଁ, ମାସକ ପାଇଁ ଷ୍ଟକ୍ ଅଛି କୋଇଲା
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଇଲା ଅଭାବ ସୃଷ୍ଟି ହୋଇଥିବା ଏବଂ ଏଥିଯୋଗୁ ଆଗାମୀ କିଛି ଦିନ ମଧ୍ୟରେ ଅନେକ ରାଜ୍ୟରେ ବିଜୁଳି ଉତ୍ପାଦନ ପ୍ରଭାବିତ ହେବା ଭଳି ଆଶଙ୍କାପୂର୍ଣ୍ଣ ରିପୋର୍ଟ ଗତ କିଛି ଦିନ ଧରି ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି । ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁୂ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଆସୁଛି । କୋଇଲା ଅଭାବ ତଥା ବିଜୁଳି ସଂକଟ ଭଳି ଭୟ ମଧ୍ୟରେ ସମଗ୍ର ଦେଶବାସୀ ରହିଛନ୍ତି । ତେବେ ଏସବୁ କଳ୍ପନାଜଳ୍ପନା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । କେନ୍ଦ୍ର ସରକାରଙ୍କ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ଦୈନିକ ଖର୍ଚ୍ଚ ହିସାବରେ ମାସକ (୩ଠ ଦିନ) କିମ୍ବା ତଦୁଦ୍ଧ୍ୱର୍ ସମୟ ପାଇଁ କୋଇଲା ଷ୍ଟକ୍ ଅଛି । ସୁତରାଂ ଭୟଭୀତ ହେବାର କୌଣସି କାରଣ ନାହିଁ ।
ସରକାରୀ ସୂତ୍ର ଅନୁସାରେ କୋଲ୍ ଇଣ୍ଡିଆ ଲିମିଟେଡ୍ ପାଖରେ ପ୍ରାୟ ୭୨.୫ ମିଲିଅନ୍ ଟନ୍ ପରିମାଣର କୋଇଲା ଗଚ୍ଛିତ ରହିଛି । ସେହିପରି ଦେଶରେ ଥିବା ପାୱାର ପ୍ଲାଣ୍ଟଗୁଡ଼ିକଙ୍କ ପାଖରେ ହାରାହାରି ୨୨ ମିଲିଅନ୍ ଟନ୍ ପରିମାଣର କୋଇଲା ରହିଛି । ଦେଶରେ ଥିବା ପାୱାର ପ୍ଲାଣ୍ଟଗୁଡ଼ିକଙ୍କ ପାଇଁ ଦୈନିକ ହାରାହାରି ୨.୧ ମିଲିଅନ୍ ଟନ୍ ଓଜନର କୋଇଲା ଆବଶ୍ୟକତା ପଡ଼ୁଛି । ସୁତରାଂ ଦେଶରେ ୩ଠ ଦିନରୁ ଅଧିକ ସମୟ ପାଇଁ କୋଇଲା ମହଜୁଦ୍ ରହିଛି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଦେଶର ପାୱାର ପ୍ଲାଣ୍ଟଗୁଡ଼ିକରେ ଥିବା କୋଇଲା ଦୈନିକ ଖର୍ଚ୍ଚ ହିସାବରେ ୧ଠ ଦିନ ଯିବ । ସେହିପରି କୋଲ୍ ଇଣ୍ଡିଆ ଲିମିଟେଡ୍ ପାଖରେ ଥିବା କୋଇଲା ୩ଠଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ । ବିଶେଷକରି ମହାରାଷ୍ଟ୍ରରେ କୋଇଲା ଅଭାବ ଥିବା ନେଇ ଯେଉଁ ପ୍ରକାର ଚର୍ଚ୍ଚା ହେଉଛି ତାହା ଆଦୌ ସତ୍ୟ ନୁହେଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟର ସମସ୍ତ ପାୱାର ପ୍ଲାଣ୍ଟଗୁଡ଼ିକରେ ମହଜୁଦ୍ ଥିବା କୋଇଲା ସମ୍ପର୍କରେ ସଠିକ୍ ରିପୋର୍ଟ ଯାଞ୍ଚ୍ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ସୂଚନାଯୋଗ୍ୟ ପ୍ରତ୍ୟେକ ବର୍ଷ ଖରା ମାସ (ମାର୍ଚ୍ଚ-ଏପ୍ରିଲ-ମେ-ଜୁନ୍-ଜୁଲାଇ) ପର୍ଯ୍ୟନ୍ତ ଦେଶରେ ଇଲେକ୍ଟି୍ରସିଟି (ବିଜୁଳି) ଖର୍ଚ୍ଚ ଅଧିକ ହୋଇଥାଏ । ସୁତରାଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଅଧିକ ପରିମାଣର (ହାରାହାରି ୨ଠରୁ ୨୨% ପର୍ଯ୍ୟନ୍ତ) ପାୱାର ଉତ୍ପାଦନ କରିବାକୁ ପଡ଼ିଥାଏ । ସେହିପରି ଭାରତୀୟ ରେଳ ବିଭାଗ ପକ୍ଷରୁ ମଧ୍ୟ ରେକ୍ସ୍ ଉପଲବ୍ଧତା କ୍ଷେତ୍ରରେ ମଧ୍ୟ ୨ଠ% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥାଏ । ଅଲ୍ ଇଣ୍ଡିଆ ପାୱାର ଇଞ୍ଜିନିୟରର୍ସ ଫେଡ଼େରେସନ୍ (ଏଆଇପିଇଏଫ୍) ପ୍ରମୁଖ ଶୈଳେନ୍ଦ୍ର ଦୁବେଙ୍କ କହିବାନୁସାରେ ଉତ୍ତର ଭାରତ ରାଜ୍ୟ ଯେପରିକି ହରିଆଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ବର୍ତ୍ତମାନ ସମୟରେ ମାମ୍ର ୭/୮ ଦିନ ପାଇଁ କୋଇଲା ଉପଲବ୍ଧ ରହିଛି । କେବଳ ରାଜସ୍ଥାନରେ ୧୭ଦିନ ପାଇଁ କୋଇଲା ମହଜୁଦ୍ ରହିଛି । ସେହିପରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟରେ କୋଇଲା ଅଭାବ ଦେଖାଦେଇଛି । ପାୱାର ପ୍ଲାଣ୍ଟଗୁଡ଼ିକୁ କୋଇଲା ଯୋଗାଣ ପାଇଁ ରେଲୱେ ପକ୍ଷରୁ ଦୈନିକ ୪୫୩ ରେକ୍ ଆବଶ୍ୟକ ପଡୁଥିବା ବେଳେ ରେଲୱେ ବର୍ତ୍ତମାନ ସମୟରେ କେବଳ ୪୧୨ ରେକ୍ ହିଁ ଉପଲବ୍ଧ କରାଉଛି । ପାୱାର ପ୍ଲାଣ୍ଟରେ କୋଇଲା ଅଭାବର ଏହା ମଧ୍ୟ ଅନ୍ୟତମ କାରଣ ବୋଲି ଶୈଳେନ୍ଦ୍ର ଦର୍ଶାଇଛନ୍ତି ।