ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଛାତ୍ରଛାତ୍ରୀ- ଅଭିଭାବକ
ସ୍କୁଲ ମିଶ୍ରଣ ନେଇ ଅସନ୍ତୋଷ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତ ପଶାସିଂହ ଗ୍ରାମରେ ବିଦ୍ୟାଳୟ ମିଶ୍ରଣକୁ ନେଇ ଅସନ୍ତୋଷ ଦେଖାଦେଇଛି । ସମସ୍ତ ପ୍ରକାର ନିତୀ ନିୟମକୁ ଭୁଲି କୋମଳମତି ଛାତ୍ରଛାତ୍ରୀଙ୍କୁ ନେଇ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ପଶାସିଂହ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ରସାସିଂହ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । ବିଦ୍ୟାଳୟକୁ ମିଶ୍ରଣ ନ କରିବାକୁ ଗତ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ ଗ୍ରାମବାସୀମାନେ ଲିଖିତ ଭାବରେ ଜଣାଇଥିଲେ । ଏହା ସତ୍ୱେ ବିଦ୍ୟାଳୟକୁ ରସାସିଂହ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି । କୋମଳମତି ଶିଶୁ ମାନେ ଦୂରରେ ଥିବା ଏହି ବିଦ୍ୟାଳୟକୁ ଯାତାୟତ କରିବା ସୁରକ୍ଷିତ ନୁହେଁ । ଅନେକ ସମୟରେ ରାସ୍ତାରେ କୁକୁର, ମାଙ୍କଡଙ୍କ ଉପଦ୍ରବ ଲାଗିରହୁୂଥିବା ବେଳେ ସକାଳ ସମୟରେ ଜଙ୍ଗଲରୁ ହାତୀ ସେହି ରାସ୍ତାଦେଇ ଯାତାୟାତ କରିଥାନ୍ତି । ଏଭଳି ପରିସ୍ଥିତିରେ ବିଦ୍ୟାଳୟକୁ ଯାତାୟାତ କରିବା ସମ୍ଭବ ନୁହେଁ । ଏହାକୁ ନେଇ ଗୁରୁବାର ଦିନ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରିବା ସହିତ ପ୍ରାର୍ଥନା କରିବାର ଦେଖିବାକୁ ମିଳିଥିଲା । ତାଙ୍କ ସହିତ ସଦାଶିବପୁର ସରପଞ୍ଚି ଧରିତ୍ରୀ ମଲ୍ଲିକଙ୍କ ସହିତ ଅଭିଭାବକମାନେ ସାମିଲ ହୋଇଥିଲେ । ଜିଲ୍ଲାପାଳ ଘଟଣା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ ।