ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସାର
୩ ବ୍ଲକ୍ରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ): ଲୋକସେବା ଭବନ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତା ଏବଂ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ୍ରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଗିରି ବ୍ଲକ୍ର ୫୯ଟି ଗ୍ରାମ, ସତ୍ୟବାଦୀ ବ୍ଲକ୍ର ୪୬ଟି ଗ୍ରାମ, ଋଷିକୂଲ୍ୟା ନଦୀରୁ ଗଞ୍ଜାମ ଜିଲ୍ଲାର ୩୦ଟି ଗ୍ରାମ ଓ କୃଷ୍ଣପ୍ରସାଦ ବ୍ଲକ୍ର ୯୦ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ ।
ଏଥିସହ କଣାସ, ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକ୍ର ୧୨୬ଟି ଗ୍ରାମକୁ ଭାର୍ଗବୀ ନଦୀରୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ । ସେ କହିଥିଲେ, ଉଭୟ ଚିଲିକା ଓ ସମୁଦ୍ର ପାଣି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେସବୁ ଅଞ୍ଚଳରେ ପୂର୍ବରୁ ଥିବା ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜଳ ବିତରଣ ଏବଂ ସେସବୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉଚିତ୍ । ଅସ୍ତରଙ୍ଗ ବ୍ଲକ୍ର ୫୫ଟି ଗ୍ରାମ, କାକଟପୁରର ୪୭ଟି ଗ୍ରାମ, ଗୋପର ୮୧ଟି ଗ୍ରାମ, ପୁରୀ ସଦର ବ୍ଲକ୍ର ୧୭ଟି ଗ୍ରାମପଞ୍ଚାୟତ ଓ ୬୭ଟି ଗ୍ରାମ, ସତ୍ୟବାଦୀର ୩ଟି ଗ୍ରାମ ପଞ୍ଚାୟତ ଓ ଡେଲାଙ୍ଗର ୭୪ଟି ଗ୍ରାମକୁ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଚଳିତ ବଜେଟ୍ରେ ନିଷ୍ପତ୍ତି ନେଇଥିବାରୁ ପୁରୀ ଜିଲ୍ଲାବାସୀଙ୍କ ପକ୍ଷରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଯେଭଳି କୌଣସି ବାଧା ଏବଂ ସ୍ଥାନୀୟ ସମସ୍ୟା ନ ଉଠେ, ସେଥିପାଇଁ ପୁରୀ ଜିଲ୍ଲାପାଳ ପ୍ରତ୍ୟେକ ମାସରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କିଭଳି ଭାବେ ତ୍ୱରାନ୍ୱିତ ହେବ ସେଥିପାଇଁ ଚଳିତ ସପ୍ତାହରେ ପାନୀୟ ଜଳ ବିଭାଗର ମୁଖ୍ୟଯନ୍ତ୍ରୀ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ୍ର ନିର୍ମାଣାଧୀନ ପ୍ରକଳ୍ପ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନରେ ଯିବା ପାଇଁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁରୀ ଜିଲ୍ଲାର ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଚଳିତ ଗ୍ରୀଷ୍ମରେ ଯେଭଳି ଜିଲ୍ଲାରେ ପିଇବା ପାଣିର ସଂକଟ ନ ଉପୁଜେ, ପର୍ଯ୍ୟାପ୍ତ ନଳକୂପ ସହିତ ନିରନ୍ତର ସେବା ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ ଅଞ୍ଚଳରେ ଜନସଚେତନତା ଲାଗି ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି ।
ବୈଠକରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେବା ସହ ଏଥିରେ ଅବହେଳା ପ୍ରଦର୍ଶନ ହେଲେ ଏଗ୍ରିମେଣ୍ଟର ସର୍ତ୍ତାବଳୀ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ କଡ଼ା ନିଦେ୍ର୍ଦଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ପାନୀୟ ଜଳ ନିଦେ୍ର୍ଦଶକ ବି. ପରମେଶ୍ୱରଙ୍କ ସମେତ ଆଭାସୀ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ ।