ଦିଲ୍ଲୀର ସହଜ ବିଜୟ

ମୁମ୍ବାଇ, ୨୦ା୪ (ଏଜେନ୍ସି): ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଚଳିତ ଆଇପିଏଲ୍ର ୩୨ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟ୍ରେ ହରାଇ ସହଜ ବିଜୟ ହାସଲ କରିଛି । ଦିଲ୍ଲୀର ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ଦିଲ୍ଲୀର ଏହା ଛଅ ମ୍ୟାଚ୍ରୁ ତୃତୀୟ ବିଜୟ ହୋଇଥିବା ବେଳେ ପଞ୍ଜାବର ସାତ ମ୍ୟାଚ୍ରୁ ଚତୁର୍ଥ ପରାଜୟ ।
ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପୂର୍ବରୁ ଏହି ମ୍ୟାଚ୍ ପୁନେରେ ଖେଳାଯିବାର ଥିଲା, ହେଲେ ପରେ ତାହାକୁ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍କୁ ସ୍ଥାନାନ୍ତର କରାଯାଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୪ ରନ୍ରେ ୪ ୱିକେଟ୍ ହରାଇଥିଲା । ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଶିଖର ଧାବନଙ୍କ ଓପନିଂ ଯୋଡ଼ି ପୁଣି ଥରେ ବଡ଼ ଭାଗୀଦାରୀ କରି ପାରି ନାହାନ୍ତି । ଶିଖର ୯ ରନ୍ କରି ଲଳିତ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ ଏବଂ ୩୩ ରନ୍ରେ ଯୋଡ଼ି ଭାଙ୍ଗିଥିଲା । ମୟଙ୍କ ୨୪ ରନ୍ କରି ମୁସ୍ତାଫିଜୁର ରହମାନଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ (୨) ଓ ଜନି ବେଆର୍ଷ୍ଟୋ (୯) ଉଭୟ ନିରାଶ କରିଥିଲେ ଏବଂ ଯଥାକ୍ରମେ ଅକ୍ଷର ପଟେଲ୍ ଓ ଖଲୀଲ୍ ଅହମ୍ମଦଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଜିତେଶ ଶର୍ମା ଓ ଶାହରୁଖ ଖାଁ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେହେଁ ଏହି ଯୋଡ଼ିକୁ ବି ସଫଳତା ନ ଥିଲା । ପଞ୍ଚମ ୱିକେଟ୍ ପାଇଁ ୩୧ ରନ୍ ଯୋଗ ହୋଇଥିଲା । ଜିତେଶ ୨୩ ବଲ୍ରୁ ୩୨ ରନ୍ କରି ଅକ୍ଷର ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । କାଗିସୋ ରାବାଡ଼ା ୨ ଓ ନାଥନ ଇଲିସ୍ କୌଣସି ସ୍କୋର୍ ନ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ । ଶେଷ ଆଶା ଶାହରୁଖ ମାତ୍ର ୧୨ ରନ୍ କରିଥିଲେ ଏବଂ ଖଲୀଲ୍ ତାଙ୍କ ୱିକେଟ୍ ନେଇଥିଲେ । ରାହୁଲ ଚାହର (୧୨)ଙ୍କୁ ଲଳିତ ପାଭିଲିଅନ୍ ପଠାଇଥିଲେ । ଅର୍ଶଦୀପ ୯ ରନ୍ କରି ଶେଷ ବଲ୍ରେ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ । ବୈଭବ ଆରୋରା ୨ ରନ୍ କରି ଅପରାଜିତ ଥିଲେ ।
ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ ୨୦ ଓଭର୍ରେ ସମସ୍ତ ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରିଥିଲା । ବିପକ୍ଷ ବୋଲର୍ ଖଲୀଲ୍, ଲଳିତ, ଅକ୍ଷର, କୁଲଦୀପ ୨ଟି ଲେଖାଏଁ ଏବଂ ମୁସ୍ତାଫିଜୁର ରହମାନ୍ ଗୋଟିଏ ୱିକେଟ୍ ନେଇଥିଲେ ।
୧୧୬ ରନ୍ର ସହଜ ବିଜୟଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଟିମ୍ ପକ୍ଷରୁ ଓପନର୍ ପୃଥ୍ୱୀ ଶ’ ଓ ଡେଭିଡ୍ ୱାର୍ଣ୍ଣର ଦୃଢ଼ତାର ସହ ଆରମ୍ଭ କରିଥିଲେ । ଓପନିଂ ୱିକେଟ୍ ପାଇଁ ୩୯ ବଲ୍ରୁ ୮୩ ରନ୍ର ଭାଗୀଦାରୀ ହୋଇଥିଲା । ପୃଥ୍ୱୀ ୨୦ ବଲ୍ରୁ ୪୧ ରନ୍ କରି ଚାହରଙ୍କ ଶିକାର ହୋଇଥିଲେ । ଏହାପରେ ୱାର୍ଣ୍ଣର ନୂଆ ବ୍ୟାଟର୍ ସରଫରାଜ ଖାଁଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଦିଲ୍ଲୀ ମାତ୍ର ୧୦.୩ ଓଭର୍ରେ ୧ ୱିକେଟ୍ ହରାଇ ୧୧୯ ରନ୍ କରି ବିଜୟୀ ହୋଇଥିଲା । ୱାର୍ଣ୍ଣର ୩୦ ବଲ୍ରୁ ୧୦ ଚୌକା ଓ ୧ ଛକା ସହାୟତାରେ ୬୦ ଏବଂ ସରଫରାଜ ୧୨ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *