ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ନେଲା ବନ ବିଭାଗ
କଲାରାପତରିଆ ଶିକାର ପ୍ରସଙ୍ଗ
କେନ୍ଦୁଝର/ବାରିପଦା (ଆପ୍ର): କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜରେ ହୋଇଥିବା ବାଘ ଶିକାର ଘଟଣାରେ ବନବିଭାଗ ଏସ୍ଡିଜେଏମ୍ କୋର୍ଟରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିଛି । ମୁଖ୍ୟ ଅଭିଯୁକ୍ତ ପଣ୍ଡାପଡ଼ା ଥାନା କପତଡ଼ିହା ଗ୍ରାମର ବାବୁ ଜୁଆଙ୍ଗ (୨୮)ଙ୍କୁ କରଞ୍ଜିଆ ଜେଲ୍ରୁ ଦିନିକିଆ ରିମାଣ୍ଡରେ ଆଣି ଘଟଣା ଘଟିଥିବା ସ୍ଥାନକୁ ସନ୍ଧାନୀ କୁକୁର ନେଇ ଅଧିକ ତଥ୍ୟ ସଂଗ୍ରହ କରିଛି । ବାଘ ମରିଥିବା ସ୍ଥାନଟି କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ କାଞ୍ଜିପାଣି ସେକ୍ସନ ଗୋନାସିକା ବିଟ୍ରେ ଆସୁଥିବା ଜଣାପଡ଼ିଛି । କରଞ୍ଜିଆ ଡିଭିଜନ ଦୁଧିଆଣି ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି ଏବଂ ଏସିଏଫ୍ ଫାଲଗୁଣୀ ବେହେରା ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷାରେ ଆଣି ତଦନ୍ତ କରିଛନ୍ତି ।
ପ୍ରଥମେ ସେମାନେ ବାଘ ମାରିଥିବା ସ୍ଥାନକୁ ଯାଇ ସେଠାରେ କିପରି ବାଘକୁ ମାରିଥିଲା ତାହା ଦେଖିବା ପରେ ଉକ୍ତ ସ୍ଥାନରୁ ହାଡ଼ ଓ ଖପୁରୀ ଜବତ କରିଥିଲେ । ଏହାପରେ ସେ ତାକୁ ନେଇ ତାଙ୍କ ଘରୁ ୨ଟି ବାଘ ଦାନ୍ତ ଜବତ କରିଥିଲେ । ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ଗତ ୪ ସପ୍ତାହ ତଳେ ପଣ୍ଡାପଡ଼ା ଥାନା କପତଡ଼ିହା ଗ୍ରାମର ବାବୁ ଜୁଆଙ୍ଗ ବାର୍ହା ଶିକାର ପାଇଁ ଜଙ୍ଗଲରେ ସନ୍ଧ୍ୟାରେ ଫାଶ ପକାଇଥିଲା । ବାରହା ଶିକାର ପାଇଁ ପକାଇଥିବା ଫାସରେ ବାଘ ପଡ଼ିଥିବା ସକାଳୁ ଦେଖିଥିଲା । ବାଘଟି ବଞ୍ଚିଥିବାରୁ ଗ୍ରାମର ଅନ୍ୟ ୪ଜଣଙ୍କ ମିଶି ତୀର ମାରି ବାଘକୁ ହତ୍ୟା କରିଥିଲେ । ବାଘ ମାଂସ ବିକ୍ରି କରିବା ସହ ଦାନ୍ତ, ନଖ, ଛାଲ ବିକ୍ରି କରିଥିଲେ । କଲରାପତରିଆ ବାଘ ଛାଲକୁ ପରେ ହରିଚନ୍ଦନପୁର ବ୍ଲକ୍ ସିଙ୍ଗାବିଲା ଗ୍ରାମର ହୋଟେଲ କରିଥିବା ଦେବୀପ୍ରସାଦ ସାହୁଙ୍କୁ ବିକ୍ରି କରିବା ପାଇଁ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ପୁରୁଣା ବସଷ୍ଟାଣ୍ଡରେ ୫୦ହଜାର ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବା ବେଳେ ବନବିଭାଗ ହାତରେ ୭ ଜଣ ଗିରଫ ହୋଇଥିଲେ । ଗିରଫ ୭ ଜଣ ମଧ୍ୟରୁ ୫ଜଣ କେନ୍ଦୁଝର ଜିଲ୍ଲାରୁ ଥିବା ଜଣାପଡ଼ିଛି ।